ପୃଷ୍ଠା:Ama Deha (BB Patnaik 1940) o.pdf/୧୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୩
ଅମ ଦେହ

ଦେହରେ ମିଶିଯାଏ । ଏହିପରି ଡିମ୍ବାଣୁ ଓ ଶୁକ୍ରକୀଟାଣୁ ଉଭୟ ମିଳିଯାଇ ଗୋଟିଏ କୋଷାଣୁ ହୋଇଯାନ୍ତି । ଏହି କୋଷାଣୁ ହେଲା ଆମ ଦେହର ଆରମ୍ଭ । ଏଥିରୁ କିପରି ନାନା ପ୍ରକାର ଆକାର ବାହାରେ, ତାହା ପରେ କୁହାଯିବ ।

କୋଷାଣୁ ବଡ଼ ହେବା ସଙ୍ଗେ ସଙ୍ଗେ ଡିମ୍ବବାହୀ ନଳ ଦେଇ ଗଡ଼ି ଗଡ଼ି ଜରାୟୁକୁ ଆସେ । ଜରାୟୁରେ ପହଞ୍ଚିଲାବେଳକୁ ଏହା ଟିକିଏ ବଡ଼ ହୋଇ ଯାଇଥାଏ, ତଥାପି ଏହାର ଆକାର ସେତେବେଳେ ସୋରିଷଠାରୁ ମଧ୍ୟ ଛୋଟ ଥାଏ । ଏହି ସମୟରୁ ଏହାକୁ ଭୃଣ (Embryo) କହିନ୍ତି ।

ଜରାୟୁ (Uterus):- ମାଆ ପେଟରେ ଛୁଆ ଯେଉଁ ମୁଣିରେ ରହେ, ତାକୁ ଜରାୟୁ କହନ୍ତି । ଏହା ଭିତରେ ଛୁଆ ଥିଲା ବେଳେ ମାଠିଆଟାଏ ଉଗୁଡ଼ାଇ ଦେଲେ ଯେପରି ଦେଖାଯାଏ, ଏହା ଠିକ୍ ସେହିପରି ଦେଖାଯାଏ । ସେତେବଳେ ଏହାର ଆକୃତି ଅନେକଟା ପିଜୁଳି ପରି । ଛୁଆ ନ ଥିଲାବେଳେ ମୁଣିର ଆଗ ଓ ପଛପଟ ଲାଗିଯାଇଥିବାରୁ ଠିକ୍ ଗୋଟିଏ ମୁଦା ବଟୁଆ ପରି ଦେଖାଯାଏ । ଖାଲିବେଳେ ଏହାର ଲମ୍ବ ତିନି ଇଞ୍ଚ, ଓସାର ଦୁଇ ଇଞ୍ଚ ଓ ମୋଟ ଏକ ଇଞ୍ଚ ଥାଏ; କିନ୍ତୁ ଗର୍ଭାବସ୍ଥାରେ ଭୃଣ ବଢ଼ିବା ସଙ୍ଗେ ସଙ୍ଗେ ଏହା ବଢ଼େ ଏବଂ ଆକାର ଓ ଆକୃତିରେ ଗୋଟାଏ ଉଗୁଡ଼ା ମାଠିଆ ପରି ଦେଖାଯାଏ । ଛୁଆ ଜନ୍ମ ହୋଇ ସାରିଲେ ଏହାର ଆକାର ପୁଣି କମିଯାଏ କିନ୍ତୁ କୁମାରୀ ଅବସ୍ଥାରେ ଏହାର ଆକାର ଯେଡ଼େ ଛୋଟ ଥାଏ, ଆଉ ତେତେ ଛୋଟ ହୁଏ ନାହିଁ । ତା' ଠାରୁ ଟିକିଏ ବଡ଼ ରହିଯାଏ । ଏହାର ଆଗରେ ମୂତ୍ରାଧାର ଏବଂ ପଛରେ ବୃହଦନ୍ତ୍ରର ମଳାଧାର ଅଂଶ ଅଛି । ଏହାର ତିନିଗୋଟି ଆସ୍ତର ।