ପୃଷ୍ଠା:Ama Deha (BB Patnaik 1940) o.pdf/୧୩୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୯
ଆମ ଦେହ

ଖାଇ ଭିତରକୁ ପଶିବାକୁ ଲାଗେ । କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଭିତରକୁ ଚାଲିଗଲେ ତାହା ପୁଣି ବନ୍ଦ ହୋଇଯାଏ ଏବଂ ମାଟିତଳେ ମଞ୍ଜି ପୋତି ଦେଲାପରି ଜରାୟୁର ଶ୍ଳୈଷ୍ନିକ ଝିଲ୍ଲି ତଳେ ପୋତି ହୋଇଯାଏ । ଏହା ହେଲା ଭୃଣର ଆରମ୍ଭ । ମଞ୍ଜି ଗଜା ହେଲାବେଳେ ତହିଁରୁ ଯେପରି ଚେର ଦିଏ ଓ ତାହା ଆସ୍ତେ ଆସ୍ତେ ମାଟି ଭିତରକୁ ମାଡ଼େ, ସେହିପରି ଭୃଣ ଦେହରୁ ଚେରସବୁ ବାହାରି ଜରାୟୁ ଦେହରେ ଥିବା ଛୋଟ ଛୋଟ ଶିରା ପ୍ରଶିରା ସଙ୍ଗେ ମିଳିଯାଏ । ଭୃଣର ଏହି ଚେରସବୁ ଜନ୍ମ ପରେ ମେଞ୍ଚା ହୋଇ ବାହାରେ ଓ ତାକୁ ଆମେ ଫୁଲ କହୁଁ । ପକା କାନ୍ଥ ଦେହରେ ଗଛ ଉଠିଲେ ଚେର ଯେପରି କାନ୍ଥକୁ କାମୁଡ଼ି ଧରିଥାଏ ସେହିପରି ଏହି ଫୁଲ ଜରାୟୁକୁ କାମୁଡ଼ି ଧରିଥାଏ । ପେଟରେ ଛୁଆ ଥିଲାବେଳେ ଏହିବାଟେ ମା ଦେହରୁ ଛୁଆ ଦେହକୁ ରକ୍ତ ଆସେ । ଫୁଲ (Placenta) ଦେହରୁ ଗୋଟିଏ ନାଡ଼ୀ ବାହାରି ଥାଏ । ଏହି ନାଡ଼ୀଟି ପ୍ରାୟ ଏକ ହାତ ଲମ୍ବା । ଏହାଯାଇଁ ଛୁଆର ନାହିଠାରେ ଗୋଟିଏ ଶିରା ସଙ୍ଗେ ମିଳିଥାଏ । ଏହି ଶିରା ଯକୃତ ବାଟଦେଇ ଛୁଆର ହୃଦୟଯନ୍ତ୍ରକୁ ଯାଇଥାଏ । ଏହିବାଟେ ମା ଦେହରୁ ଛୁଆ ଦେହକୁ ରକ୍ତ ଯାଏ ଓ ସେ ତାହାଦ୍ୱାରା ଆସ୍ତେ ଆସ୍ତେ ବଢ଼େ ।

ଆଗରୁ କୁହାଯାଇଛି ଯେ ଡିମ୍ବାଣୁ ଓ ଶୁକ୍ରକୀଟାଣୁ ମିଶି କୋଷାଣୁ ହୁଏ । ପ୍ରଥମେ ଏହି କୋଷାଣୁରେ ଗୋଟିଏ ମାତ୍ର କୋଷ ଥାଏ । କିନ୍ତୁ ତାହା ଆସ୍ତେ ଆସ୍ତେ ଦୁଇଟି କୋଷରେ ପରିଣତ ହୁଏ । ଦୁଇଟିରୁ ଚାରୋଟିରୁ ଆଠୋଟି ଏହିପରି ହୋଇ ହୋଇ ତାହା ବଢ଼େ ଏବଂ ଭୃଣ ଆକାର ଧରେ । ଭୃଣ ମଧ୍ୟ ସେହିପରି ବଢ଼ିବାକୁ ଲାଗେ ଓ ତହିଁରୁ ଆସ୍ତେ ଆସ୍ତେ ଦେହର ସମସ୍ତ ତନ୍ତୁ ଓ ଅଙ୍ଗ ପ୍ରତ୍ୟଙ୍ଗ ଜାତ ହୁଏ । ଜରାୟୁ ମଧ୍ୟରେ ଭୃଣ