ଏହାକୁ ସହସ୍ରାର (Cerebrum) କହନ୍ତି । ଏହି ସହସ୍ରାରର ତଳକୁ ଓ ପଛପଟକୁ ଅନୁମସ୍ତିଷ୍କ (Cerebellum) ରହିଅଛି । ଏ ଦୁହିଙ୍କ ମଝି ଜାଗାକୁ ମଧ୍ୟ-ମସ୍ତିଷ୍କ (Mesencephalon) କହନ୍ତି । ଟିକିଏ ଭଲ କରି ଦେଖିଲେ ସମସ୍ତ ମସ୍ତିଷ୍କଟା ଠିକ ମଝିରେ ଡାହାଣ ଓ ବାଆଁ ସମାନ ଦୁଇ ଭାଗରେ ଫଡ଼ା ହେଲା ପରି ଜଣାଯାଏ । ଖପୁରି ଓ ମସ୍ତିଷ୍କ ମଧ୍ୟରେ ଓ ମସ୍ତିଷ୍କକୁ ଘୋଡ଼ାଇ ତିନିଗୋଟି ସୂକ୍ଷ୍ମ ଝିଲ୍ଲିନିର୍ମିତ ପର୍ଦ୍ଦା ଅଛି । ଉପର ପରଦାଟି ଟାଣ, କିନ୍ତୁ ବେଶ୍ ଚିକ୍କଣ । ମଝି ପରଦାରେ ରକ୍ତାଧାର ରହିଥାଏ । ମଝି ଓ ତଳ ପରଦା ମଧ୍ୟରେ ରକ୍ତର ପାଣିଆ ଅଂଶ (Serum) ପରି ଏକପ୍ରକାର ଜିନିଷ ଥାଏ । ଏହାକୁ ବ୍ରହ୍ମବାରି (Cerebro-spinal Fluid ) କହନ୍ତି । ସବା ତଳ ପରଦାଟି ଠିକ ମସ୍ତିଷ୍କକୁ ଲାଗି କରି ଥାଏ । ଏହା ଭାରି ପତଳା । ମସ୍ତିଷ୍କ ଉପର ସମତଳ ନୁହେ । ନାନା ପ୍ରକାର ଆଙ୍କ ବାଙ୍କର ଗାଡ଼ ଥିବାରୁ ଏହା ଆବଡ଼ା ଖାବଡ଼ା ଦେଖାଯାଏ; ମନେ ହୁଏ ଯେପରିକି ଅନେକ ଗୁଡ଼ାଏ ନାଡ଼ୀଭୁଡ଼ି ଏକ ସଙ୍ଗେ ମେଞ୍ଚା ହୋଇ ରଖା ହୋଇଛି । ଉଚ୍ଚ ଉଚ୍ଚ ଜାଗାକୁ ଦଳ (Convolution) କହନ୍ତି । ଏହି ହେତୁରୁ ସହସ୍ରାରର ଅନ୍ୟ ନାମ ହେଉଛି ସହସ୍ରଦଳ ପଦ୍ମ ।
ମସ୍ତିଷ୍କର ବାହାର ଦେଖିବାକୁ ଟିକିଏ ଧୂସରବର୍ଣ୍ଣ, କିନ୍ତୁ ଭିତର କାଟି ଦେଲେ ଧଳା ଦେଖାଯାଏ । ଏହା ଭାରି ନରମ ଓ କୋମଳ । ଟିକିଏ ଅଘାତ ପାଇଲେ ଦହି ବାହାରିପଡ଼େ । ଏଥିରୁ ଟିକିଏ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅସଂଖ୍ୟ ଅସଂଖ୍ୟ କୋଷରେ ଏହା ତିଆରି ହୋଇଥିବାର ଦେଖାଯାଏ । ପ୍ରତ୍ୟେକ କୋଷରୁ ଗୋଟିଏ କମ୍ବା ତହିଁରୁ ବେଶି ତାରି ପରି ଶାଖା ବାହାରିଅଛି । ଏହି ଶାଖା ଭିତରୁ କେତେକ ଅନ୍ୟାନ୍ୟ କୋଷର ଶାଖା ସଙ୍ଗେ ମିଳିଛି ।