ପୃଷ୍ଠା:Ama Deha (BB Patnaik 1940) o.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ଆମ ଦେହ

ନାଡ଼ୀଦ୍ୱାରା ସାଧିତ ହୁଏ । ଗୋଟିଏ ନାଡ଼ୀଖିଅରେ ଯେ ଏସବୁ ହୁଏ ତା ନୁହେ । ଏସବୁ ପାଇଁ ପ୍ରକାରେ ପ୍ରକାରେ ନାଡ଼ୀଖିଅ ରହିଅଛି । ଏ ହେତୁରୁ ପ୍ରତି କୋଷକୁ ଅନେକ ଗୁଡ଼ିଏ ନାଡ଼ୀଖିଅ ଆସିଅଛି ଏବଂ ଗୋଟିଏ ଗୋଟିଏ ଖିଅରେ ଗୋଟିଏ ଗୋଟିଏ କଥା ହେଉଅଛି । ଏ ତ ଗଲା ଆମ ନିଜର ଅନୁଭବ ପାଇଁ; କିନ୍ତୁ ଏହା ଛଡ଼ା ଆଉ ପ୍ରକାରେ ନାଡ଼ୀ ଅଛି, ଯାହା କି ସେହିପରି ପ୍ରତ୍ୟେକ କୋଷକୁ ଯାଇଛି । ଏହାଦ୍ୱାରା ମସ୍ତିଷ୍କରୁ ଆଦେଶ ଆସେ ଓ ସେହି ଆଦେଶ ଅନୁସାରେ କୋଷ କାମ କରେ । ମନେ କର, ଆମର ଗୋଟାଏ ଆଙ୍ଗୁଠି ବଙ୍କାଇବା ଦରକାର । ଏଥିପାଇଁ ମସ୍ତିଷ୍କରୁ ଆଦେଶ ଆସିବା ଦରକାର ଆଉ ସେହି ଆଦେଶ ଯେଉଁ ଯେଉଁ ପେଶୀଦ୍ୱାରା ଆମେ ଆଙ୍ଗୁଠି ବଙ୍କେଇ ପାରିବା, ସେହି ସେହି ପେଶୀର ସମସ୍ତ କୋଷକୁ ଆସିବା ଦରକାର । ମସ୍ତିଷ୍କରୁ ଆସିଥିବା ଏକପ୍ରକାର ନାଡ଼ୀଖିଅ ବାଟେ ଏହି ଆଦେଶ ଆସେ । ଏହିପରି ନାଡ଼ୀଖିଅ ମଧ୍ୟ ଦେହର ପ୍ରତ୍ୟେକ ସ୍ଥାନକୁ ଯାଇଅଛି । ଏହି ନାଡ଼ୀଖିଆସବୁ କିଛି ଅନୁଭବ କରି ପାରନ୍ତି ନାହିଁ । ଏମାନେ ମସ୍ତିଷ୍କର ଯେଉଁ ସ୍ଥାନରୁ ବାହାରିଅଛନ୍ତି ସେଠା ମଧ୍ୟ କିଛି ଅନୁଭବ କରି ପାରେ ନାହିଁ । ଆଗରୁ କୁହାଯାଇଛି ଯେ, ମସ୍ତିଷ୍କର କୋଷରୁ ଯେଉଁ ସବୁ ଶାଖା ବାହାରିଅଛି, ସେଥିମଧ୍ୟରୁ ଛୋଟ ଛୋଟ ଶାଖାଗୁଡ଼ିକ ସେହି ମସ୍ତିଷ୍କର ଅନ୍ୟାନ୍ୟ କେତେକ କୋଷର ଶାଖା ସଙ୍ଗେ ମିଳିଅଛି । ଏପରି ହେବାଦ୍ୱାରା ଅନୁଭବ କରି ପାରିବା ନାଡ଼ୀ ଓ କାର୍ଯ୍ୟ କରିବା ନାଡ଼ୀ ମଧ୍ୟରେ ସମ୍ପର୍କ ରହିଅଛି, ତେଣୁ ଆମେ ଅନୁଭବ କରିପାରୁଁ ଏବଂ ସେହି ସମୟରେ କଣ କରିବାକୁ ହେବ, ତାହା ଜାଣି ପାରି ତଦନୁସାରେ କାର୍ଯ୍ୟ କରି ପାରୁଁ ।