ପୃଷ୍ଠା:Ama Deha (BB Patnaik 1940) o.pdf/୯୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୫
ଆମ ଦେହ

ରେଳଗାଡ଼ି ଚାଲିଲାବେଳେ ତା ଚକର ଅର (Spokes) ଦେଖାଯାଏ ନାହିଁ । ଆମେ ଯେତେ ଯାହା ଦେଖୁଥାଇଁ, ସେ ସବୁର ଗୋଟାଏ ଲେଖାଏଁ ଫଟୋ ଆମ ଆଖିଭିତରେ ଉଠି ଯାଏ । ଦିନ ଭିତରେ କେତେ ଲକ୍ଷ ଫଟୋ ଯେ ଆମ ଆଖି ଭିତରେ ଉଠୁଛି, ତାହା କଳିବ କିଏ ? ଏ କଥାରୁ, 'ଆମ ଆଖି ଭିତର ଫଟୋଗ୍ରାଫ ଯନ୍ତ୍ର ବଢ଼ିଆ, ନା ଯେଉଁ ଫଟୋଗ୍ରାଫ ଯନ୍ତ୍ର ବଜାରରେ ବିକ୍ରୀ ହୁଏ ସେ ବଢ଼ିଆ - ଏହା ସହଜରେ ବୁଝିପାରିବ । ଆଖି ଭିତରେ ଏହି ଛବି ବେଶି ସମୟ ରହେ ନାହିଁ । ତାହ ସଙ୍ଗେ ସଙ୍ଗେ ଧୋଇ ହୋଇଯାଏ କିନ୍ତୁ ଛବି ଉଠିଲାକ୍ଷଣି ଦୃଷ୍ଟିଗ୍ରାହୀନାଡ଼ୀ (Optic Nerve) ଯେଉଁ ଛବି ଉଠିଲା, ତାହାର ସନ୍ଦେଶ ଦୃଷ୍ଟି କେନ୍ଦ୍ରକୁ ନେଇଯାଏ । ଆଗରୁ କୁହାଯାଇଛି ଯେ, ଆମେ ଯାହାଦେଖୁଁ, ଆଖି ଭିତରେ ତାହାର ଓଲ୍ଟା ଛବି ହୁଏ । ଦୃଷ୍ଟି କେନ୍ଦ୍ରରେ କିନ୍ତୁ ଏହି ଓଲଟା ଛବି ଓଲଟି ଯାଇ ଠିକ୍ ଅସଲ ଜିନିଷ ପରି ଥମକୁ ଜଣାଯାଏ । କହିବାକୁ ଗଲେ ଏଠାରେ ଦୃଷ୍ଟିଗ୍ରାହୀ ନାଡ଼ୀ ବା ଦୃଷ୍ଟିବାହୀ ନାଡ଼ୀ ସାହାଯ୍ୟରେ ଛବି ବି ଟେଲିଗ୍ରାଫ ହୋଇ ପାରୁଛି; ଅର୍ଥାତ୍ ଆଖିରେ ଛବି ଉଠିଲା ତ ସେ ଛବି ଦୃଷ୍ଟିଗ୍ରାହୀ ନାଡୀ ବାଟେ ଯାଇ ସଙ୍ଗେ ସଙ୍ଗେ ଦୃଷ୍ଟିକେନ୍ଦ୍ରରେ ଉଠିଗଲା ଓ ସେ ସଙ୍ଗେ ସଙ୍ଗେ ଆମେ ତାହା ଜାଣି ପାରିଲେ । ଆମେ ଯେ ଖାଲି ଚାହିଁ ଦେଲେ ଗୋଟାଏ ଜନିଷ ଦିଶିଯାଏ ତା ନୁହେ । ଗୋଟାଏ ଜିନିଷ ଦେଖିବା ସଙ୍ଗେ ସଙ୍ଗେ ଆମ ଦେହରେ ଏତେ ଏତେ କଥା ଆଗ ହୋଇଯାଏ - ତେବେ ଯାଇ ଆମେ ଦେଖି ପାରୁଁ । ଅଥଚ ଏସବୁ କଥା ଏତେ ଶୀଘ୍ର ଶୀଘ୍ର ହୋଇ ପାରେ ଯେ, ଆମେ ଯାହା ଦେଖିବାକୁ ବସୁଁ ଚାହିଁବା ମାତ୍ରେ ତାହା ଆମକୁ ଦିଶିଯାଏ ।