ପୃଷ୍ଠା:Amari matir amar shaheed.pdf/୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪ )


ଭାବରେ ରାଜକାର୍ଯ୍ୟ ଚଳାଇଥିଲେ । ତାଙ୍କର ନ୍ୟାୟବିଚାର, ସାଧୁତା, ପରୋପକାର ଆଉ ସାହସରେ ରାଜା ପ୍ରଜା ସମସ୍ତେ ଖୁସି ହେଲେ । ତାଙ୍କର ସୁନାମ ଚାରିଆଡ଼େ ଖେଳିଗଲା ।

ସେତେବେଳେ ଓଡିଶାର ଅଧିକାଂଶ ଅଞ୍ଚଳ ମରହଟ୍ଟାଙ୍କ ଅଧୀନରେ ଥିଲା । କେତେକ ଜମିଦାର ଗୋଟିଏ ଗୋଟିଏ ଇଲାକାର ମାଲିକ ହୋଇ ମରହଟ୍ଟାମାନଙ୍କୁ କର ବା ଖଜଣା ଦେଉଥିଲେ । ପୁରୀର ରାଜା ସେମିତି ଖୋର୍ଦ୍ଧା ଇଲାକାର ମାଲିକ ଥିଲେ । ପୁରୀ ଜଗନ୍ନାଥଙ୍କ ଦେଉଳ ଥାଏ ତାଙ୍କ ଅଧିନରେ ଆଉ ତାଙ୍କୁ ଭକ୍ତିରେ ଲୋକମାନେ ଗଜପତି ମହାରାଜା ବୋଲି କହୁଥିଲେ । ରାଜାଙ୍କର ଗୋଟିଏ ନଅର ଥିଲା ପୁରୀରେ ଆଉ ଗୋଟିଏ ଥିଲା ଖୋର୍ଦ୍ଧାରେ । ପୁରୁଣା ପୁରୀ ନଅରଟି ସିଂହଦ୍ୱାରଠାରୁ ସ୍ୱର୍ଗଦ୍ୱାରକୁ ଯିବା ବାଟରେ । ଖୋର୍ଦ୍ଧା ନଅରଟି ଥିଲା ବରୁଣେଇ ପାହାଡ଼ ତଳେ । ସେଠାରେ ଖୁବ୍ ବଡ଼ ଗଡ଼ଟିଏ ଥିଲା । ସେଠାରେ ବହୁ ପାଇକ ସୈନ୍ୟ ରହୁଥିଲେ ଆଉ ଗୁଳିଗୁଳା, ହାତହତିଆର ମହଜୁଦ ଥିଲା ।

ସେଇ ସମୟରେ ଇଂରେଜମାନେ ଓଡିଶାର ଉତ୍ତର ଓ ଦକ୍ଷିଣରେ ଥିବା ଭାରତର ପ୍ରାୟ ସବୁ ଅଞ୍ଚଳକୁ ନିଜ ଅକ୍ତିୟାରକୁ ନେଇ ଯାଇଥିଲେ । ତେଣୁ ଓଡିଶାକୁ ନିଜ ଅଧୀନକୁ ନେଇଗଲେ ସେମାନଙ୍କୁ ସୁବିଧା ହେବ ବୋଲି ଭାବୁଥିଲେ । ଓଡିଶା ମରହଟ୍ଟାମାନଙ୍କ ଅଧୀନରେ ଥିଲା । ଏହା ଫଳରେ ଇଂରେଜମାନେ ଉତ୍ତର ଓ ଦକ୍ଷିଣ ଅଞ୍ଚଳ ମଧ୍ୟରେ ଯିବା ଆସିବା ଆଉ ଶାସନ ଚଳାଇବାରେ ଅସୁବିଧା ହେଉଥିଲା ।

ସେତେବେଳେ ମାନ୍ଦ୍ରାଜରେ ଇଂରେଜମାନଙ୍କର ସେଣ୍ଟଜର୍ଜ ନାମରେ ଗୋଟିଏ ବିରାଟ ଦୁର୍ଗ ଥିଲା; ସେଠାରେ ଇଂରେଜ ସେନାପତି ଓ ସୈନ୍ୟମାନେ ଗୁଳିଗୋଳା, ତୋପବନ୍ଧୁକ ରଖି ଜଗି ରହୁଥିଲେ । ସେଠାରେ ଥିବା ଇଂରେଜ ସେନାପତି ନାମ ଥିଲା ଜର୍ଣ୍ଣେଲ ହାର୍କଟ । ସେ ବହୁ ସୈନ୍ୟଙ୍କୁ ମାନ୍ଦ୍ରାଜରୁ ସାଥିରେ ଆଣି ଓଡ଼ିଶା ଦଖଲ କରିବାକୁ ଆସିଲେ ୧୮୦୩ ମସିହାରେ ।

ସମୁଦ୍ର କୂଳେ କୂଳେ ସେମାନେ ଚାଲିଲେ । ପୁରୀଜିଲ୍ଲାର ମାଣିକ ପାଟଣା ନାମକ ଗୋଟିଏ ଗାଁ ପାଖରେ ପ‌ହ‌ଞ୍ଚିଲେ । ସେହି ଗାଁଟି ଚିଲିକା କୂଳରେ । ସେଠାରେ ହ୍ରଦରୁ ବଙ୍ଗୋପସାଗରକୁ ଗୋଟିଏ ମୁହାଣ ଅଛି ।