ପୃଷ୍ଠା:Amari matir amar shaheed.pdf/୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୮ )

ଇଂରେଜ ରାଜାଙ୍କ ଅଧୀନତା ସ୍ୱୀକାର କରିନେବେ । ତାଙ୍କର ସବୁ ହୁକୁମ ମାନିନେବେ । ନଚେତ୍ ଶାସ୍ତି ପାଇବେ।

୧୮୦୪ ଡିସେମ୍ବର ୯ ତାରିଖରେ କମିଶନର ଶ୍ରୀମନ୍ଦିରର ମୁଖ୍ୟ ପରିଚ୍ଛାଙ୍କୁ ପତ୍ରଲେଖି ଆଦେଶ ଦେଲେ ଯେ ଜଗନ୍ନାଥଙ୍କ ପୁଜା ସମୟରେ ମୁକୁନ୍ଦ ଦେବଙ୍କର ନାମ ସୁଦ୍ଧା ଉଚ୍ଚାରଣ କରିବେ ନାହି । କାରଣ ସେ ହେଉଛନ୍ତି ଇଂରେଜ ରାଜାଙ୍କର ସବୁଠୁ ବଡ ଶତୃ ।

ଜୟୀ ରାଜଗୁରୁ ଅବଶ୍ୟ ରାଜା ମୁକୁନ୍ଦ ଦେବଙ୍କୁ ଇଂରେଜମାନ‌ଙ୍କର ହାତବାରିଶି ହେବାକୁ ଛାଡ଼ି ଦେଇ ନଥିଲେ । କିନ୍ତୁ ରାଜା ଇଂରେଜମାନ‌ଙ୍କ ସରଳ କଥା ଆଉ ସ‌ହଜ କାମକୁ ବୁଝିପାରି ନଥିଲେ । ଇଂରେଜମାନେ ସେତେଳେବେକୁ ସାରା ଭାରତ ଦଖଲ କରି ଏଠା ରାଜନୀତି ଆଉ କୁଟନୀତି ବୁଝିବାରେ ଖୁବ୍ ପାରଙ୍ଗମ ହୋଇ ଯାଇଥିଲେ। ତେଣୁ ଜୟୀ ରାଜଗୁରୁଙ୍କ ମାନ ଅଭିମାନ ଆଉ ଟାଣପଣକୁ ସେମାନେ କାହିକି ବା ପାସଙ୍ଗରେ ପକାଇବେ ?

ଏଣେ ରାଜା ପ୍ରଜାମାନ‌ଙ୍କଠାରୁ ସବୁ ସୁବିଧା ଦାବି କଲାବେଳେ ଇଂରେଜ ସରକାର ତାଙ୍କୁ ସେସବୁ ସୁବିଧା ଦେବାକୁ ମନା କରି ଦେଲେ । କମିଶନର ସାହେବ କଲେକ୍ଟରଙ୍କୁ ଜଣାଇ ଦେଲେ ଯେ ସିଧା ପ୍ରଧାନ, ଭୋଇ ପ୍ରଭୁତି ମୁଖିଆମାନ‌ଙ୍କୁ ଧରି ଜମିବାଡ଼ି ବନ୍ଦୋବସ୍ତ କରି ଦିଅନ୍ତୁ । ରାଜାଙ୍କ ଲୋକମାନେ ଡାକନେବା ଆଣିବାରେ ଗଣ୍ଡଗୋଳ କରୁଥିବାରୁ ଖଣ୍ଡାୟତ ଓ ପାଇକମାନେ ଜଗାରଖା କରନ୍ତୁ ବୋଲି ସେ ଆଦେଶ ଦେଲେ ।

ଜୟୀ ରାଜଗୁରୁ ଦେଖିଲେ ଅବସ୍ଥା ଦିନ‌କୁ ଦିନ ଅସ‌ହ୍ୟ ହେଉଛି । ମାର ବା ମର-ଏହି ନୀତି ନ ଧରିଲେ ଚଳିବ ନାହି। ଶେଷ ଚେଷ୍ଟା କରିବାକୁ ହେବ । ଜୋର ଯା'ର ମୁଲକ ତାର, ଏଇ ଜଙ୍ଗଲୀ ନୀତିକୁ ଧରିବାକୁ ଇଂରେଜମାନେ ବାଧ୍ୟ କଲେଣି । ଚଳନ୍ତୀ ବିଷ୍ଣୁ ରାଜାଙ୍କୁ ଅପମାନ ଦେଲେଣି ।