ପୃଷ୍ଠା:Amari matir amar shaheed.pdf/୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୨୬ )

ମେଜର ବେଜେଲ୍‌ଗେଟ୍। ସେ ସେତେବେଳେ ନୟାଗଡ଼ରେ ରହିଥିଲେ । ରଣପୁରରେ ସଙ୍ଗୀନ ଅବସ୍ଥା ଶୁଣି ଅଳ୍ପ କେତେକ ସୈନ୍ୟଙ୍କ ସହିତ ସେ ତରବର ହୋଇ ସେଠାକୁ ଆସୁଥିଲେ । ବାଟରେ ପଡ଼ିଲା ଲୋଧାଚୁଆଁ ଗାଆଁ । ସେଠାରେ ରାସ୍ତା ଉପରେ ପଡ଼ିଥିଲା କଟା ଗଛ ସବୁ । ହେଲେ ଗାଁରେ ମଣିଷ ତ ମଣିଷ, ବିଲେଇ ଛୁଆଟିଏ ବି ନ ଥିଲା ।ପିଲା ମାଇପେ ଖୋର୍ଦ୍ଧା ଅଞ୍ଚଳକୁ ଆଉ ପୁରୁଷମାନେ ରଣପୁର ଗଡ଼କୁ ଚାଲି ଯାଇଥିଲେ ।

ସେଠାରେ କେବଳ ଦୁଇ ଜଣ ଜଗୁଆଳି ଥା'ନ୍ତି । କଟାଗଛ ସବୁକୁ ଆଡ଼େଇ ଦେବାକୁ ହୁକୁମ ହେଲା । ସେମାନେ ତାଙ୍କୁ ବେଖାତିର କରି ଶୁଣିଲେ ନାହିଁ । ସେମାନଙ୍କୁ ତେଣୁ ଗୁଲି ମାଡ଼ ହେଲା । ସୀପେହିମାନେ ଗଛସବୁ ରାସ୍ତା ଉପରୁ କାଢ଼ି ଦେଲେ । ବେଜେଲ୍‌ଗେଟ୍ ସାହେବ ରଣପୁର ଚାଲିଲେ ।

ରଣପୁର ଗଡ଼ରେ ଲୋକ ଭରପୁର । ଥାଳି ଛାଡ଼ି ଦେଲେ ଥାଳି ଚାଲିଯିବ । ବେଜେଲ୍‌ଗେଟ୍ ପ‌ହ‌ଞ୍ଚିବାରୁ ତାଙ୍କୁ ସମସ୍ତେ ଘେରିଗଲେ । ତାଙ୍କର ଗାଡ଼ି ଅଟକି ରହିଲା । ଆହତ ଜଗୁଆଳିଙ୍କୁ ଲୋଧାଚୁଆଁରୁ ଆଣୁଥିବା ଶଗଡ଼ଗାଡ଼ି ସେଠାରେ ପ‌ହ‌ଞ୍ଚିଲା । ସେମାନଙ୍କୁ ଟାଙ୍ଗି ଡ଼ାକ୍ତରଖାନା ନେବାର ଥିଲା । ମାତ୍ର ବେଜେଲ୍‌ଗେଟ୍ ସେଇ ଗାଡ଼ି ସବୁ ଯିବାକୁ ବାରଣ କଲେ । ଏଣେ ଲୋକେ ତାଙ୍କ କଥା ଶୁଣିଲେ ନାହିଁ । ଆହତ ଲୋକଙ୍କୁ ସେଠାରୁ ନେବାକୁ ସେମାନେ ବାହାରିଲେ । ଖୁବ ଧସ୍ତା ଧସ୍ତି ହେଲା । ହଠାତ୍ ସାହେବ ତାଙ୍କ ରିଭଲଭରରେ ଅର୍ଜୁନ ରାଉତ ନାମକ ଜଣେ ଲୋକକୁ ଗୁଳି କରି ପକାଇ ଦେଲେ । ଆଉ ଗୁଳି କରିବା ପୁର୍ବରୁ ରଘୁନାଥ ଓ ଦିବାକର କହି ଉଠିଲେ- ଭାଇ ମାନେ, ଆଉ ଛାଡ଼ନ୍ତୁ ନାହିଁ । ସାହେବକୁ ଶିକ୍ଷା ଦିଅ । ଭଲ କରି ପାନେ ଦେଇଦିଅ । ସେ ଦରମରା କରି ଥିବା ଆମର ଭାଇଙ୍କୁ ଚିକିତ୍ସା ପାଇଁ ଛାଡ଼ିଲା ନାହିଁ । ପୁଣି ଅନ୍ୟ ଭାଇକୁ ଗୁଳି କରି ପକାଇ ଦେଲାଣି । ଆଉ ରକ୍ଷା ନାହିଁ । ଲଗାଅ । ଭାଇମାନେ, ଲଗାଅ ।

ସେତେବେଲେ ଲୋକ ତ ତାତି କରି ଥିଲେ । ଏଇ କଥା ରେ ସେମାନେ ମାତିଗଲେ । ରକ୍ତ ଯେମିତି ଟକ୍ ଟକ୍ କରି ଫୁଟି ଉଠିଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା । ବିଜୁଳି ବେଗରେ ସମସ୍ତେ ସାହେବଙ୍କୁ