ପୃଷ୍ଠା:Amari matir amar shaheed.pdf/୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୩୩ )

ତାଙ୍କୁ ଏଦଣ୍ଡ ମିଳିଲା । ହେଲେ ଅଧକ୍ଷଙ୍କୁ ସେ ଜଣାଇବାରୁ ଦୁଇବର୍ଷ ପାଇଁ ସୁଭାଷଙ୍କୁ କଲେଜରୁ ବାହାର କରି ଦିଆଗଲା । ପରେ ସେ ପୁଣି କଲେଜରେ ଭର୍ତ୍ତି ହୋଇଥିଲେ, ଆଉ ପ୍ରଥମ ଶ୍ରେଣୀରେ ଅନର୍ସ ସ‌ହିତ ବି٠ଏ٠ ପାସ୍ କରିଥିଲେ ।

ଜାନ‌କୀନାଥ ବୋଷ ତ ସେତେବେଳେ ଖୁବ୍ ବଡ଼ ଓକିଲ । ଅକଳନ୍ତା ତାଙ୍କର ରୋଜଗାର । ଟଙ୍କା ପଇସାର ବା କି ଅଭାବ ? ପୁଅକୁ ବିଲାତକୁ ପଠାଇବାକୁ ମନ କଲେ । ସେଠାରେ ହେଉଥିବା ଆଇ٠ସି٠ଏସ୍٠ ପରୀକ୍ଷା ଦେଇ ବଡ଼ ହାକିମ କରାଇବାକୁ ତାଙ୍କର ଭାରି ଇଚ୍ଛା । କିନ୍ତୁ ସୁଭାଷ ବିଲାତ ଯିବାକୁ ଅମଙ୍ଗ । ଜାନକୀନାଥ ଏଥିରେ ଭାରି ରାଗିଗଲେ। ହେଲେ ପୁଅର ଗୁଣ ଜାଣିଛନ୍ତି । କାଊଁରିଆ କାଠି। ଭାଙ୍ଗିଯିବ ସିନା ନଇବ ନାହିଁ। ତାର ମନ ମନାଇ ସିନା ଯାହା କରିହେବ, ଧମକ ଚମକରେ କିଛି ଲାଭ ହେବ ନାହିଁ । ବରଂ ଫଳ ଓଲଟା ହେବ ।

ଜାନକୀନାଥ ତେଣୁ ସୁଭାଷଙ୍କୁ ଶୁଣାଇ ଶୁଣାଇ ତାଙ୍କ ମା'ଙ୍କୁ କହିଲେ-- ଜାଣିଲ, ବିଲାତ ତ ସାହେବ ଦେଶ । ଆମ ଭାରତ ପରି ନୁହେଁ । ସବୁଠି ବିଲାତି କାଇଦା । ସେଠି ଚଳିବା ସହଜ କଥା ନୁହେଁ । ପୁଣି ଆଇ٠ସି٠ଏସ୍٠ ପରୀକ୍ଷା ଖୁବ୍ କଡ଼ା । ସେଥିପାଇଁ ସୁଭାଷ ଡରୁଛି !

ସୁଭାଷ ଏକଥା ଶୁଣି ଅସମ୍ଭଳ । ବାପାଙ୍କ ପାଖକୁ ସିଧା ଆସି ରୋକଠୋକ କହିଦେଲେ- ମୁଁ ବିଲାତ ଯିବାକୁ କି ଆଇ٠ସି٠ଏସ୍٠ ପରୀକ୍ଷା ଦେବାକୁ ଭୟ କରୁନି । ମୁଁ ବିଲାତରେ ସାହେବମାନଙ୍କ ସାଥିରେ ଚଳିପାରିବି ଆଉ ଆଇ٠ସି٠ଏସ୍٠ ପରୀକ୍ଷାରେ ପାସ୍ ବି କରିବି । ମାତ୍ର୍ ମନ ହେଲେ ଚାକିରୀ କରିବି ନହେଲେ ନାହିଁ ।

ଜାନକୀନାଥ ଭାବିଲେ ବିଲାତରେ ଚଳି, ଆଇ٠ସି٠ଏସ୍٠ପରୀକ୍ଷାରେ ପାସ୍ କଲେ ପୁଅର ମନ ବଦଳିଯିବ । ଆଗ ସେ ବିଲାତକୁ ଯାଉ । ସେତିକି ଆଗ ହେଉ !

ସୁଭାଷ ବିଲାତରେ ଆଇ٠ସି٠ଏସ୍٠ପରୀକ୍ଷା ଦେଲେ । ଚତୁର୍ଥ ସ୍ଥାନ ଅଧିକାର କରି ପାସ୍ ବି କଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବି٠ଏ٠ପରୀକ୍ଷା ଦେଇ ଭଲ ଭାବରେ ପାସ୍ କଲେ ।