ପୃଷ୍ଠା:Amari matir amar shaheed.pdf/୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୩୬ )

ବିଲାତ ପତାକାମାନ ଦେଖାଇ ସ୍ୱାଗତ ଜଣାବାକୁ ସରକାରଙ୍କ ତରଫରୁ ଆୟୋଜନ ଚାଲିଲା ।

କିନ୍ତୁ ଯୁବକମାନେ ଯୁବରାଜଙ୍କୁ ସବୁଆଡ଼େ ଖାଲି କଳା ପତାକା ଦେଖାଇଲେ । ଏହା ତାଙ୍କ ପକ୍ଷେ ବଡ଼ ଅପମାନ ହେଲେ । ଇଂରେଜ ସରକାରଙ୍କ ପାରିବାର ପଣିଆ ନଥିବାରୁ ଏତେ କଥା ହେଲା ବୋଲି ସମାଲୋଚନା ଚାଲିଲା । ତେଣୁ ଏସବୁ ମୂଳରେ କିଏ, ବାହାର କରିବା ପାଇଁ ସରକାରଙ୍କ ତରଫରୁ ଘମାଘୋଟ ତଦନ୍ତ ହେଲା । ଶେଷରେ ସୁଭାଷଙ୍କୁ ଏଥିପାଇଁ ଦାୟୀ କରାଯାଇ ଗିରଫ କରାଗଲା, ମାଲିମୋକଦ୍ଦମା ଚାଲିଲା ଆଉ ତାଙ୍କୁ ଜେଲ ଦଣ୍ଡ ଦିଆଗଲା ।

ଏସବୁ କାମରେ ସୁଭାଷ ଭାରି ଲୋକପ୍ରିୟ ହୋଇଗଲେ । ଜେଲରୁ ଖଲାସ ହେଲା ପରେ ସେ କଲିକତା କର୍ପୋରେସନର ମୁଖ୍ୟ ହାକିମ ହେଲେ । ମାସକୁ ତିନି ହଜାର ଟଙ୍କା ଦରମା । ମାତ୍ର ସେ ଅଧେ ଦରମା ନେଉଥିଲେ । ସେ କଲିକତାରେ ବହୁ ସଂଖ୍ୟାରେ ପ୍ରାଥମିକ ସ୍କୁଲ ଓ ଡାକ୍ତରଖାନା ବସାଇଥିଲେ । ପଞ୍ଚମ ଶ୍ରେଣୀ ଯାଏ ସେ ପିଲାମାନଙ୍କର ଦରମା ଛାଡ଼ କରି ଦେଇଥଲେ । ଏସବୁ ଲୋକହିତକର କାମ କରି ସୁଭାଷଙ୍କ ସୁନାମ ବଢ଼ିଗଲା ।

ଇଂରେଜ ସରକାର ତେଣୁ ତାଙ୍କୁ ଜେଲରେ ଭର୍ତ୍ତି କରିବାର ଉପାୟ ପାଞ୍ଚିଲେ । ଗୋଟିଏ ନୂଆ ଆଇନ କରି ସରକାର ଯେତେବେଳେ ଯାହାକୁ ଚାହିଁବେ, ଜେଲରେ ଅଟକ ରଖିପାରିବେ ବୋଲି ବ୍ୟବସ୍ଥା କଲେ । ସେଇ ଆଇନ ବଳରେ ସୁଭାଷଙ୍କୁ ଜେଲରେ ରଖିଲେ ସୁଦ୍ଧା ସେ କର୍ପୋରେସନର କାମସବୁ ଆଗଭଳି ସେଠାରେ କଲେ । ମାତ୍ର ଜେଲ୍ ଭିତରେ ତାଙ୍କର ଦେହ ଖରାପ ହେଲା । ସେ ଅତି ଦୁର୍ବଳ ହୋଇ ପଡ଼ିଲେ । ଠିଆ ହେବାକୁ ବି ବଳ ପାଇଲା ନାହିଁ । ଏକଥା ଶୁଣି ଜନସାଧାରଣ ତାଙ୍କୁ ଜେଲରୁ ଖଲାସ କରି ଦେବାକୁ ଦାବି କଲେ । ସଭାସମିତି କରି ତାଙ୍କୁ ଅଟକ ରଖିବାର ପ୍ରତିବାଦ କଲେ ।

ଇଂରେଜ ସରକାର ଦେଖିଲେ ଲୋକମାନେ ଯେମିତି ହେଲେଣି, ସୁଭାଷଙ୍କୁ ଖଲାସ ନ କଲେ ରକ୍ଷା ନାହିଁ । ତେଣୁ ବାଧ୍ୟ ହୋଇ ସରକାର ତାଙ୍କୁ ଛାଡ଼ିଦେଲେ । ଖଲାସ ହେବା ପରେ ସେ କଲିକତା କର୍ପୋରେସନରେ