ପୃଷ୍ଠା:Amari matir amar shaheed.pdf/୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୪୯ )

ମଧ୍ୟ ଚାଲିଲା । ସେ କିନ୍ତୁ ଏହାର ପ୍ରତିବାଦ କଲେ । ଶେଷରେ ୧୮୧୫ ଖ୍ରୀଷ୍ଟାବ୍ଦରେ ତାଙ୍କର ଜମିଦାରୀ ଫିରିଙ୍ଗ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ କରାଗଲା । ଧନଞ୍ଜୟ ଭଞ୍ଜ ଏହାର ପ୍ରତିରୋଧ କରିବାରୁ ଫ୍ଲେଚର ସାହେବଙ୍କୁ ତାଙ୍କୁ ଦମନ କରିବାକୁ ପଠାଗଲା । ରାଜାଙ୍କର କୁଲାଡ଼ ଗଡ଼କୁ ଫିରିଙ୍ଗ ଫଉଜ ଦଖଲ କରିନେଲେ । ଧନଞ୍ଜୟ ଭଞ୍ଜ ମଧ୍ୟ କଲେକ୍ଟରଙ୍କ ନିକଟରେ ଆତ୍ମସମର୍ପଣ କଲେ । ସର୍କିଟ କୋର୍ଟରେ ତାଙ୍କର ବିଚାର ହେଲା । ମାତ୍ର ଶେଷରେ ତାଙ୍କୁ ଛାଡ଼ିଦିଆଗଲା ଏବଂ ଚିଙ୍ଗେଲପୁର ଜେଲକୁ ଜଣେ ସରକାରୀ ବନ୍ଦୀ ଭାବରେ ପଠାଇ ଦିଆଗଲା ।

ଏଇ ସମ‌ୟରେ ଦୋରା ବିଶୋଇ ନାମକ ଜଣେ କନ୍ଧ ସର୍ଦ୍ଦାର ଘୁମୁସର ରାଜ୍ୟରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । ତାଙ୍କ ପ୍ରେରଣାରେ ପାରଳାଖେମୁଣ୍ଡି, ଘୁମୁସର, ଶେରଗଡ଼ ପ୍ରଭୃତି ଅଞ୍ଚଳରେ ବାରମ୍ବାର ବିଦ୍ରୋହ ମୁଣ୍ଡ ଟେକୁଥିଲା । ଗଞ୍ଜାମର ଜମିଦାର, ବିଶୋଇ ଓ ପାଇକମାନେ ଖୁବ୍ ସ୍ୱାଧୀନତାପ୍ରେମୀ ଥିବାରୁ ସେମାନେ ଫିରିଙ୍ଗ ସରକାରଙ୍କୁ ମାନିନେଲେ ନାହିଁ । ଯୁଗ ଯୁଗ ଧରି ସେମାନେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ, ଫିରିଙ୍ଗ ସରକାରଙ୍କ କାଇଦା କଟକଣା ସେଥିରେ ବାଧାଦେଲା । ସେମାନେ ଇଂରେଜମାନଙ୍କର ପ୍ରଭୁତ୍ୱକୁ ଘୃଣା କଲେ । ୧୭୫୩ରୁ ଗଞ୍ଜାମ ଫିରିଙ୍ଗ ସରକାରଙ୍କର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ପାଖରେ ଗଞ୍ଜାମର ପାଇକ ଏବଂ ବିଶୋଇମାନଙ୍କର ଦୃଢ ମନୋବଳ, ସ୍ୱାଧୀନପ୍ରୀତି ଓ ଅପୂର୍ବ ସାହସ ଶେଷରେ ହାର ମାନିବାକୁ ବାଧ୍ୟ ହେଲା ।

ଯେଉଁ ବୀର ସର୍ଦ୍ଦାରମାନେ ଇଂରେଜ ସରକାରଙ୍କୁ ଅତ୍ୟନ୍ତ ହନ୍ତସନ୍ତ କରି ପକାଇଥିଲେ, ସେମାନଙ୍କ ମଧ୍ୟରେ ଦୋରା ବିଶୋଇ ପ୍ରଧାନ । ସେ ୧୭୮୦ ଖ୍ରୀଷ୍ଟାବ୍ଦରେ କୁଲାଡ଼ ନିକଟରେ ଥିବା ବିଞ୍ଜଗିରି ଗ୍ରାମରେ ଜନ୍ମ ହୋଇଥିଲେ। ସେ ଜାତିରେ ବେଣିଆ କନ୍ଧ ଥିଲେ ହେଁ ପିଲାଦିନୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିଲା । ଗାଁର ଆଖଡାଘରେ ସେ କୁସ୍ତିକସରତ, ବାଡିଖେଳ, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧ ପ୍ରଭୃତି ଅଭ୍ୟାସ କରୁଥିଲେ । ଅଳ୍ପ ବ‌ୟସରେ ସେ ଧନୁଶର, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧରେ ସମସ୍ତଙ୍କୁ ଟପି ଯାଇଥିଲେ ।ଚାରିଆଡେ ଦୋରା ବିଶୋଇଙ୍କର ବୀରତ୍ୱ ପ୍ରଚାରିତ ହୋଇଗଲା ।