ପୃଷ୍ଠା:Amari matir amar shaheed.pdf/୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୫୦ )

ଧନଞ୍ଜୟ ଭଞ୍ଜ ପୁଣି ଘୁମୁସରର ରାଜଗାଦିରେ ବସିଥିଲେ । କିନ୍ତୁ ଇଂରେଜ ସରକାରଙ୍କୁ ରାଜସ୍ୱ ନ ଦେବା ଫଳରେ ୧୮୩୫ରେ କଲେକ୍ଟର ଷ୍ଟିଫେନସନ ତାଙ୍କୁ ଧମକ ଦେଲେ । ଏକ ମାସ ମଧ୍ୟରେ ରାଜସ୍ୱ ବକେୟା ସବୁ ଦାଖଲ ନ କଲେ ତାଙ୍କର ଜମିଦାରୀ ବାଜ୍ୟାପ୍ତି ହୋଇଯିବ ବୋଲି ଜଣାଇଦେଲେ । ସେତେବେଳେ ଧନଞ୍ଜୟ ଦୋରା ବିଶୋଇଙ୍କୁ ତାଙ୍କ ସୈନ୍ୟ ବାହିନୀର ପ୍ରଧାନ ସେନାପତି ଭାବରେ ନିଯୁକ୍ତ କରିଥିଲେ । ତାଙ୍କର ବୀରତ୍ୱ ଓ ସାହସରେ ମୁଗ୍‌ଧ ହୋଇ ତାଙ୍କୁ "ବୀରବର ପାତ୍ର" ଉପାଧି ଦେଇଥିଲେ । ଇଂରେଜ ସରକାରଙ୍କ ଧମକରେ ଡରି ନଯାଇ ତାଙ୍କୁ ମୁକାବିଲା କରିବା- ପାଇଁ ଦୋରା ରାଜାଙ୍କୁ ପରାମର୍ଶ ଦେଲେ । ୧୮୩୫ ମସିହାରେ ଫିରିଙ୍ଗ ଫ‌ଉଜ କୁଲାଡ଼ ଗଡ଼କୁ ଆନ୍ରମଣ କଲେ । ଭୟଙ୍କର ଯୁଦ୍ଧ ହେଲା । ଶେଷରେ ଘୁମୁସରର ସୈନ୍ୟମାନେ ପରାସ୍ତ ହେଲେ । କୁଲାଡ଼ ଗଡ଼କୁ ଇଂରେଜମାନେ ଦଖଲ କରିନେଲେ ।

ଧନଞ୍ଜୟ ଭଞ୍ଜ ଘଞ୍ଚ ଜଙ୍ଗଲକୁ ପଳାୟନ କଲେ ଏବଂ ସେଠାରେ ମୃତ୍ୟୁବରଣ କଲେ । ଦୋରା ବିଶୋଇ କିନ୍ତୁ ତାଙ୍କର ସୈନ୍ୟମାନଙ୍କୁ ଇଂରେଜମାନଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ କଲେ । ଘୁମୁସର ଛାଡ଼ି ସେ ତୋରାବାଡ଼ି ଗାଁରେ ରହିଲେ । ସେଠାରେ ସେ ଏକ ଯୁଦ୍ଧଶିକ୍ଷାକେନ୍ଦ୍ର ଗଢ଼ିଲେ । ନାନାସ୍ଥାନରୁ ଯୁବକମାନେ ଆସି ସେଠାରେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ କନ୍ଧ ସଂପ୍ରଦାୟର ଥିଲେ ଏବଂ ସେମାନଙ୍କ ସାହସ ଓ ସ୍ୱାଧିନତା ପ୍ରେମ ସମସ୍ତଙ୍କଠାରୁ ବଳିଯାଇଥିଲା ।

୧୮୧୭ ମସିହାରେ ଖୋର୍ଦ୍ଧାର ପାଇକ ବିଦ୍ରୋହ ଚାଲିଥିଲା ବେଳେ, ଦୋରା ପାଞ୍ଚଶହ କନ୍ଧ ସୈନ୍ୟଙ୍କୁ ଫିରିଙ୍ଗ ସରକାର ବିରୁଦ୍ଧରେ ଲଢ଼ିବାକୁ ପଠାଇଥିଲେ । ସେମାନେ ଖୋର୍ଦ୍ଧାରେ ଫଞ୍ଚିବା ମାତ୍ରେ ବିଦ୍ରୋହର ନିଆଁ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା ।

ଏଣେ ଘୁମୁସର ରାଜ୍ୟରେ ଇଂରେଜ ସୈନ୍ୟମାନେ ଆଗକୁ ଆଗକୁ ମାଡ଼ିଚାଲିଥାନ୍ତି । ମାନ୍ଦ୍ରାଜରୁ ନୂଆ ନୂଆ ସୈନ୍ୟଦଳ ଆଉ ଶକ୍ତିଶାଳୀ ହାତ ହତିଆର ଆଣି ବିଦ୍ରୋହୀମାନଙ୍କୁ ଦମନ କରିବାକୁ ଇଂରେଜ ସରକାର