ପୃଷ୍ଠା:Amari matir amar shaheed.pdf/୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୀର ଶହୀଦ ବାଜିରାଉତ

ଛତିଶ ବର୍ଷ ଆଗରୁ ଆମରି ଏଇ ରାଜ୍ୟ ଓଡ଼ିଶାର ଆକାର ଥିଲା ଅଲଗା । ଏବେ ସିନା ତେରଟି ଜିଲାକୁ ନେଇ ଏହା ଗଢା, ସେତେବେଲେ ଏଠାରେ ଥିଲା ମାତ୍ର ଛଅଟି ଜିଲା । ଆଉ ଛତିଶଟି ଛୋଟ ଛୋଟ ଗଡ଼ଜାତ । ଏଇ ଗଡ଼ଜାତଗୁଡ଼ିକୁ ଦେଶୀୟ ରାଜ୍ୟ ଆଉ ଜିଲାଗୁଡ଼ିକୁ ମୋଗଲବନ୍ଦୀ କୁହାଯାଉଥିଲା । ମୋଗଲବନ୍ଦୀ ଜିଲାଗୁଡ଼ିକ ଥିଲା ଇଂରେଜ ସରକାରଙ୍କ ଖୋଦ ଅଧୀନରେ ।

ଅଳ୍ପ କେତୋଟିକୁ ଛାଡ଼ିଦେଲେ ଅଧିକାଂଶ ଗଡ଼ଜାତର ଲୋକେ ଥିଲେ ଭାରି ଦୁଃଖରେ । ରାଜାମାନେ ଇଂରେଜ ସରକାରଙ୍କ ବାହୁଛତ୍ରତଳେ ରହି ଚଳାଇଥିଲେ ମନମୁଖୀ ଶାସନ । ପ୍ରଜାମାନଙ୍କୁ ମନଇଚ୍ଛା ବେଠି-ବେଗାରିରେ ଖଟାଉଥିଲେ । ରାଜାଙ୍କର ନଅର, ବାଡ଼ିବଗିଚା, ରାସ୍ତାଘାଟ ତିଆରି ଆଉ କୂଅପୋଖରୀ ଖୋଳାରେ ସେମାନେ ବିନା ମଜୁରୀରେ ଖଟୁଥିଲେ । ପ୍ରଜାମାନେ ତାଳୁଝାଳ ତଳିପାରେ ମାରି ଯାହା ରୋଜଗାର କରୁଥିଲେ, ସେଥିରୁ ବେଶି ଭାଗ ଯାଉଥିଲା ରାଜାଙ୍କ ଆଡ଼ମ୍ବର ଆଉ ମଜଲିସ ପାଇଁ । ସେଥିରେ ପୁଣି ଲୋକମାନଙ୍କୁ ପଶୁଠାରୁ ବଳି ହଇରାଣ ହରକତ ହେବାକୁ ଆଉ କଠିନ ଶାସ୍ତି ଭୋଗିବାକୁ ହେଉଥିଲା ।

ଏମିତି ଗୋଟିଏ ରାଜ୍ୟ ଥିଲା ଢେଙ୍କାନାଳ । ସେଠାରେ ଜଣେ ରାଜାଙ୍କର ଅତ୍ୟାଚାର ସୀମା ଟପିଲା । ପ୍ରଜାମାନେ ତାଙ୍କର ନଅର ତୋଳିବାରେ ଲାଗି ପୋକମାଛି ପରି ମରୁଥିଲେ । ଟିକିଏ ଦୋଷ ପାଇଁ ଆଖିବୁଜା ଦଣ୍ଡ ଭୋଗୁଥିଲେ । ନିଶ ଉପାଡ଼ି ମାଡ଼ ଦେବା, ଗଛ ଡାଳରେ ବାନ୍ଧି ତଳମୁହାଁ ଝୁଲାଇ ଦେବା, ବଳଦଙ୍କ ପରି ଯୋଚି ଗାଡ଼ି ଟାଣିବା ଆଦି ଦଣ୍ଡ ଥିଲା ଅତି ମାମୁଲି । ସେଥିରେ ପୁଣି ଝିଅବୋହୂଙ୍କର ଇଜ୍ଜତ ଦିକଡ଼ାର ହେଉଥିଲା । ଦିନ ଦିପ‌ହରେ ମଧ୍ୟ କବାଟ କିଳି ସେମାନେ ଚାରିକାନ୍ଥ ଭିତରେ ଲୁଚି ରହୁଥିଲେ। ସେଥିପାଇଁ ଏମିତି ରାଜାଙ୍କର ରାଜୁତିକୁ କୁହାଯାଉଥିଲା ଅନ୍ଧାରି ଶାସନ ।