ପୃଷ୍ଠା:Amari matir amar shaheed.pdf/୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୭ )


ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ‌ଦେବ ଇଂରେଜମାନଙ୍କୁ ବାଧା ନଦେଇ ଆଶା କରିଥିଲେ ମରହଟ୍ଟାମାନେ ହଟିଗଲେ ସେ ଅଧିକ ସୁବିଧା ପାଇବେ । ତାଙ୍କଠାରୁ ମରହଟ୍ଟାମାନେ ନେଇ ଯାଇଥିବା ଲିମ୍ବାଇ, ରାହାଙ୍ଗ, ଶିରାଇ, ଚବିଶକୁଦ ଓ ପୁରୀ ସ‌ହରକୁ ମିଶାଇ ମସ୍ତବଡ଼ ଧନଶାଳୀ ଅଞ୍ଚଳ ଇଂରେଜମାନେ ଫେରାଇ ଦେବେ ବୋଲି ଆଶା କରିଥିଲେ । କିନ୍ତୁ ଫେରାଇ ଦେବା ବଦଳରେ ବରଂ ଇଂରେଜମାନେ ସାରା ଓଡିଶାରେ ନିଜର ଅଧିକାର ସାବ୍ୟସ୍ତ କଲେ ।

ଆଗରୁ ତ କୁହାଯାଉଛି, ସେତେବେଳେ ମୁକୁନ୍ଦ‌ଦେବ ନାଁବାଳକ ଥିବାରୁ ମନ୍ତ୍ରୀ ଜୟୀ ରାଜଗୁରୁ ପ୍ରକୃତରେ ରାଜ୍ୟ ଶାସନ‌ କରୁଥିଲେ । ଇଂରେଜମାନେ ଓଡିଶାରେ ମରହଟ୍ଟାମାନଙ୍କ ସହିତ ଲଢେଇ କରିବା ପୂର୍ବରୁ ଏହି ପ୍ରଗଣାଗୁଡ଼ିକୁ ଫେରାଇ ଦେବାକୁ ଆଉ ଲକ୍ଷେ ଟଙ୍କା ଦେବାକୁ ଜବାବ୍ ଦେଇଥିଲେ । କିନ୍ତୁ ସେମାନେ ଜାଣିଗଲାପରେ ଆଉ ସେ କଥା କଲେ ନାହିଁ । ବରଂ ରାଜାଙ୍କ ସହିତ ଗୋଟିଏ ଚୁକ୍ତି କରିବାକୁ ଇଂରେଜମାନେ ପ୍ରସ୍ତାବ କଲେ । ଏଥିରେ ଜୟୀ ରାଜଗୁରୁ ଆପତ୍ତି କଲେ । ରାଜାଙ୍କ ପାଖକୁ ଏଥିପାଇଁ ଇଂରେଜ କମିଶନର ଯେତେ ଚିଠି ଦେଲେ, ତାର ଉତ୍ତର ଦିଆଗଲା ନାହିଁ । ଶେଷରେ ଏକ ଚିଠିରେ ସେ ଜଣାଇଦେଲେ - ଏଇ ଚୁକ୍ତି ନକଲେ ଇଂରେଜ ସରକାର ଅସନ୍ତୁଷ୍ଟ ହେବେ ଏବଂ କାହାର କୁମନ୍ତ୍ରଣାରେ ରାଜା ଏହା କରୁଛନ୍ତି ବୋଲି ବିଚାର କରିବେ ।

କମିଶନର ଜୟୀ ରାଜଗୁରୁଙ୍କ ଶିକ୍ଷାରେ ରାଜା ଏହା କରୁଛନ୍ତି ବୋଲି ଭାବିନେଲେ । ରାଜା ଓ ମନ୍ତ୍ରୀ ମଧ୍ୟରେ ସନ୍ଦେହ ସୃଷ୍ଟି କରାଇ ଆଉ ଭୟ ଦେଖାଇ ଇଂରେଜମାନେ କୂଟନୀତିର ଚାଲ ଆରମ୍ଭ କରିଦେଲେ । ବିଭିନ୍ନ ପ୍ରକାର ଧମକଚମକ କଲେ । ଶେଷରେ ରାଜାଙ୍କୁ ଗୋଟିଏ ଚିଠି ଲେଖି କମିଶନର ଜଣାଇ ଦେଲେ ଯେ ରାଜା କାହାର ଖରାପ ପରାମର୍ଶରେ ଚଳୁଛନ୍ତି । ରାଜଗୁରୁଙ୍କୁ ମଧ୍ୟ ପତ୍ର ଦେଲେ ଯେ ସେ କମିଶନରଙ୍କୁ ଶୀଘ୍ର ଦେଖା କରନ୍ତୁ । ତାଙ୍କୁ କୌଣସି ଅସଦ୍‌ବ୍ୟବହାର କରାଯିବ ନାହିଁ ।

୧୮୦୪ ମସିହା ଡିସେମ୍ବର ୭ ତାରିଖରେ କମିଶନର ଘୋଷଣା କଲେ-ରାଜା ମୁକୁନ୍ଦ‌ଦେବ ତଡ଼ା ଖାଇଲେ । କାରଣ ସେ ଇଂରେଜ ସରକାରଙ୍କ ପ୍ରତି ଖରାପ ବ୍ୟବହାର କଲେ । ଏଣିକି ତାଙ୍କର ପ୍ରଜାମାନେ