ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଠେକୁଆ କଇଁଛ

ଠେକୁଆ କଇଁଛ ବାହାରିଲେ ଦିନେ ଦୌଡାରେ ନେଇ ଭାଗ
ପ୍ରାଇଜ ପାଇବ ସେ ପାଖରେ ଯାଇ ପହଞ୍ଚିବ ଯିଏ ଆଗ ।

ଦଉଡି ଦଉଡି ଅଧାବାଟ ଯାଇ ଦେଖି ବରଗଛ ଛାଇ
କଇଁଛ ରହିଛି ଅନେକ ପଛରେ ଠେକୁଆ ପଡିଲା ଶୋଇ ।

ଧୀରେ ଅତି ଧୀରେ କଇଁଛ ଚାଲିଛି ହୋଇଗଲା ବାଟ ଅଧା
ବରଗଛ ତଳେ ଠେକୁଆକୁ ଟପି ଆଗକୁ ଚାଲିଲା ସିଧା ।

ଦେଖୁଥିବା ଲୋକେ କହିଲେ ଏଥର କଇଁଛ ଜିଣିବ ଏକା
ମଠ ହେଉ ପଛେ ଲାଗି ରହିଥିଲେ ଜିତାପଟ ତାକୁ ଲେଖା ।

ଏତେବେଳେ ଠିକ ଠେକୁଆ ହାତରେ ବାଜିଲା ଆଲାର୍ମ ଘଡି
ଧଡପଡ ହୋଇ ଗହନ ନିଦରୁ ଉଠିଲା ସେ ଆଖି ମଳି ।

ଦେଖିଲା ଯାଉଛି କଇଁଛ ଆଗରେ ପାଦରେ ପାଦକୁ ମାପି
କୁଦା ମାରି ଗଲା ଠେକୁଆ ତାହାକୁ ସହଜରେ ଗଲା ଟପି ।

ଠେକୁଆର ହେଲା ଜିତାପଟ, ଗଲା କଇଁଛ ବିଚରା ହାରି
ନୀତି କଥା ଯାହା ଶୁଣିଥିଲେ ଲୋକେ ସବୁ ଗଲା ଜଳି ପୋଡି ।

ନୂଆ ନୀତିଶିକ୍ଷା :
ଦଉଡକୁ ଦଉଡ ଆରାମକୁ ଆରାମ
ଜିତାପଟ ହେଲା ଯାର ତା ନାଁ ଆଲାର୍ମ ।

୧୯ ଅନାବନା