ପୃଷ୍ଠା:Arkakshetra konark.pdf/୧୧୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏଠାରେ ଗୋଟିଏ ବିଷୟ ଉଲ୍ଲେଖ କରାଯାଇପାରେ । କୃପାସିନ୍ଧୁ ଏ.ଏସ୍‍.ଆଇ.ର ୧୯୦୩-୪ ରିପୋର୍ଟର ଉଲ୍ଲେଖ କରି କହିଛନ୍ତି, ମସ୍ତକର ଉଚ୍ଚତା ୨୫ ଫୁଟ୍‍ ଥିଲା । ମାଦଳାପାଞ୍ଜି ଅନୁସାରେ ଖୋର୍ଦ୍ଧାରାଜା ପୁରୁଷୋତ୍ତମ ଦେବ(୧୬୦୭-୧୬୨୧)ଙ୍କ ପୁତ୍ର ନରସିଂହ ଦେବ ୧୬୩୨ରେ କରାଇଥିବା ମାପରେ ମସ୍ତକର ଉଚ୍ଚତା ୩୬ ଫୁଟ୍‍ । ମସ୍ତକ ୧୯୦୩ ବେଳକୁ ନଥିଲା, ନା ଥିଲା ୧୬୨୮ ବେଳକୁ । (ପୃଷ୍ଠା-୭୪ ଦେଖନ୍ତୁ) ପୁରୀ ଓ ଲିଙ୍ଗରାଜ ମନ୍ଦିରର ଗଣ୍ଡି ଓ ଅନୁପାତ ମପାଯାଇପାରେ । ତେବେ ମନେ ହୁଏ କୋଣାର୍କର ବିଶାଳ ଗଣ୍ଡି ପାଇଁ ୩୬ ଫୁଟ ମସ୍ତକ ଉଚିତ ହେବ । ସମସ୍ତ କିଛି ବିଚାରକୁ ନେଇ ରେଖାଚିତ୍ର ୯ ଅଙ୍କା ଯାଇଛି ।

ନିସ ଦେଉଳ :

ବଡ଼ ବଡ଼ ବିମାନ ଦେହକୁ ଲାଗି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦିଗରେ ତିିଟି ଛୋଟ ଦ୍ୱିତଳ ମନ୍ଦିର ଗଢ଼ାହୋଇଥାଏ । ଏହାକୁ ନିସ ଦେଉଳ କୁହାଯାଏ । (ଚିତ୍ର-୭, ପୃଷ୍ଠା-୯୯ ଦେଖନ୍ତୁ) ଏହାର ଦ୍ୱିତଳ ତିିପଟ ଖୋଲା ହଲ୍‍ ଯାହା ଭକ୍ତ ସମାଗମ ପାଇଁ ଉଦ୍ଦିଷ୍ଟ ଥିଲା । ସମ୍ମୁଖରେ ମୂଳ ମନ୍ଦିରର ରହପାଗ ମଧ୍ୟରେ ଖୋଦିତ ସ୍ଥାନ ମଧ୍ୟରେ ପାର୍ଶ୍ୱଦେବତାଙ୍କ ଅବସ୍ଥିତି । ନିସ ଦେଉଳର ଶୀର୍ଷ ପ୍ରାୟ ମୂଳ ମନ୍ଦିରର ବାଡ଼ ଉଚ୍ଚ ହୋଇଥାଏ । ଏହାର ଉଚ୍ଚତା ମୂଳ ମନ୍ଦିରର ଏକ ଚତୁର୍ଥାଂଶ ହୋଇଥାଏ । ମନ୍ଦିରର ଆକଳିତ ଉଚ୍ଚତା ୨୧୧ଫୁଟ ୬ଇଞ୍ଚ ହୋଇଥିବାରୁ (ପୃ- ୧୦୮ଦେଖନ୍ତୁ) ନିସ ଦେଉଳର ଆକଳିତ ଉଚ୍ଚତା ଥିଲା ୫୨ ଫୁଟ ୯ଇଞ୍ଚ । ବିମାନ ବାଡ଼ର ଆକଳିତ ଉଚ୍ଚତା ୫୮ଫୁଟ ୬ଇଞ୍ଚ । ନିସ ଦେଉଳ ତିିଟିର ପୀଢ଼ ଛାତ ବିମାନର ଗଣ୍ଡି ସହିତ ଧ୍ୱଂସ ହୋଇଯାଇଛି । ପଥର କୁଢ଼ ଭିତରୁ ପାର୍ଶ୍ୱଦେବତାମାନଙ୍କୁ ଉଦ୍ଧାର କରି ବିମାନବାଡ଼ ଦେହରେ ନୂଆ ଖୋଳି ବସେଇ ଦିଆଯାଇଛି । ବିଶାଳ ବିମାନକୁ ତିିପଟୁ (ଚତୁର୍ଥ ପଟେ ଜଗମୋହନ ଅଛି) ଠେସ ଦେଇ ସ୍ଥିତିଶୀଳ କରିବା ନିସ ଦେଉଳର ମୂଳ ପ୍ରୟୋଜନ କିନ୍ତୁ କୋଣାର୍କ ଶିଳ୍ପୀ ବୈଷୟିକ ପ୍ରୟୋଜନଟି ଅତି ସୁନ୍ଦର ଭାବେ ମିଶେଇ ଦେଇଛନ୍ତି ତାହାର ନାନ୍ଦନିକ ପରିକଳ୍ପାରେ ।

ଜଗମୋହନ :

କୋଣାର୍କ ଜଗମୋହନର ତୁଳନା ଏକମାତ୍ର ସେ ହିଁ । ଏହା ଖାଲି ଗୋଟିଏ ବିରାଟ ମନ୍ଦିର ବୋଲି ନୁହେଁ, ଏତେ ସୁଷମ ଗଠନ କୌଣସି ମନ୍ଦିରରେ ଦେଖାଯାଏନା । ପୀଢ଼ ଦେଉଳର ଭିତର ଦୈର୍ଘ୍ୟ ଓ ବାଡ଼ର ଉଚ୍ଚତା ସମାନ ହୋଇଥାଏ ଅଥବା ବାଡ଼ ସାମାନ୍ୟ ଉଚ୍ଚ ହୋଇଥାଏ । ଏଠାରେ ଜଗମୋହନ ଭିତର ଦୈର୍ଘ୍ୟ ୬୦ଫୁଟ୍‍ ଏବଂ ବାଡ଼ର ଉଚ୍ଚତା ୩୯ଫୁଟ୍‍ ୧୦ ଇଞ୍ଚ୍‍, ତଥାପି ଦୃଷ୍ଟିକଟୁ ଲାଗୁ ନାହିଁ । ବାଡ଼ର ଉଚ୍ଚତା ୩୯ଫୁଟ୍‍ ୧୦ ଇଞ୍ଚ୍‍ ହେବା ସ୍ଥଳେ ପୀଢ଼ର ଉଚ୍ଚତା ୪୬'-୧ (ଚିତ୍ର ନଂ.୧୦) । ରେଖାଚିତ୍ର ଦେଖùଲେ ମନେ ହେବ ବିଶାଳ ପୀଢ଼ ବାଡ଼କୁ ମାଡ଼ି ବସିଛି, କିନ୍ତୁ ମନ୍ଦିରଟି ଚାକ୍ଷୁଷ ଦେଖùଲେ ସେପରି ମନେ ହେବ ନାହିଁ, ମନେ ହେବ ଯେପରି ଗୋଟିଏ ବିଶାଳ ଦେହ ମୁଣ୍ଡରେ ଟୋପର ପିନ୍ଧିଛି । ଏ ଦୃଷ୍ଟି ବିଭ୍ରମ (optical illusion)ର କାରଣ ପୀଢ଼ର ଦୂରତ୍ୱ ଏବଂ ତିି ଭାଗରେ ପୀଢ଼ ଅଞ୍ଚଳର ବିଭକ୍ତୀକରଣ । ପ୍ରଥମ ଥାକ ପୋଟାଳରେ ଅଛି ଛ'ଟି ପୀଢ଼, ତାହାପରେ କାଣ୍ଟି ନାମକ ଥାକଟିଏ ଯାହା ଉପରେ ବାଜେଣି କନ୍ୟା ଓ ଭୈରବ ନାଚୁଛନ୍ତି । କାଣ୍ଟିକୁ "ପାରାଘର' ମଧ୍ୟ କୁହାଯାଇଥାଏ । ତାହା ଉପର ପୋଟାଳରେ ପୁଣି ଛ'ଟି ପୀଢ଼ ଏବଂ ତାହା ଉପରେ ଆଉ ଗୋଟିଏ କାଣ୍ଟି । ସବା ଶେଷ ପୋଟାଳରେ ପାଞ୍ଚଟି ପୀଢ଼ । ପୀଢ଼ ଉପରେ ମସ୍ତକର ଉଚ୍ଚତା ୨୫ଫୁଟ୍‍ ୯ଇଞ୍ଚ୍‍ (୩୦ ଫୁଟ୍‍) କିନ୍ତୁ ତାହାର ଗଠନ ଆଶ୍ଚର୍ଯ୍ୟ ଛନ୍ଦମୟ । ବାଡ଼ ଦେହରେ ସେଇ ପାଞ୍ଚଟି ମୂଳ ବିଭାଗ - ପାଭାଗ, ତଳଜଙ୍ଘା, ବନ୍ଧନ, ଉପର ଜଙ୍ଘା ଓ ବାରଣ୍ଡା । ଉପର ବିଭାଗଗୁଡ଼ିକ ବିମାନ ବାଡ଼ର ଉପବିଭାଗ ଭଳି କିନ୍ତୁ ସ୍ୱାଭାବିକ ଭାବେ ଉଚ୍ଚତା ଓ କାମରେ ଫରକ୍‍ ଅଛି । ଏହା ମଧ୍ୟ ଆଲୋଚିତ ହେବ ଭାସ୍କର୍ଯ୍ୟ ପରିଚ୍ଛେଦରେ ।

ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ପଟେ । ଏ ଦ୍ୱାର ବନ୍ଧ ମୁଗୁନି ପଥରରେ ତିଆରି । ସିଂହ ଦ୍ୱାରର ଖୋଲା ଅଂଶ (ସିଲ୍‍ କରିବା ପୂର୍ବେ) ଥିଲା ୬'-୬" × ୧୪'-୧୧" ଏବଂ ବନ୍ଧ ବାହାର ମାପ ୧୯' × ୧୯' । ଏଥିରୁ ଅନ୍ଦାଜ ହେଉଛି ଦ୍ୱାରଗୁଡ଼ିକ କେତେ ବିରାଟ ଥିଲା । ଦ୍ୱାର ବନ୍ଧର ଓସାର ୬'-୩" ଯେଉଁଥିରେ ଅଛି କାରୁକାର୍ଯ୍ୟପୂର୍ଣ୍ଣ ଆଠଟି ପଟି । ଏହା ଉପରେ ଥିଲା ସେଇ ପ୍ରସିଦ୍ଧ ନବଗ୍ରହ ପଟ ଯାହା ପ୍ରଥମେ ଖୋର୍ଦ୍ଧା ରାଜା ଏବଂ ପରେ Asiatic Society of Bengal ଅପସରଣ କରିବାର ଚେଷ୍ଟା କରିଥିଲେ । ଅନ୍ୟ ତିନୋଟି ଦ୍ୱାର ମଧ୍ୟ ଏକା ରକମର ଥିଲା । ଦକ୍ଷିଣ ଦ୍ୱାର ଲୁପ୍ତ । ତାହା ଉପରେ ପଥର ବାଡ଼ ଦିଆଯାଇଛି । ପଶ୍ଚିମ ଦ୍ୱାର ସିଲ୍‍ କରି ଦିଆଯାଇଛି । ଉତ୍ତର ଦ୍ୱାର ସିଲ୍‍ କରିଦେଲେ ମଧ୍ୟ କିଛି ଅଂଶ ଏବେ ମଧ୍ୟ ଦିଶୁଛି । ନବଗ୍ରହ ଶିଳା ସବୁ ଲୁଣ୍ଠିତ । ପୂର୍ବଦିଗର ନବଗ୍ରହପାଟ ବ୍ୟତୀତ ଅନ୍ୟଗୁଡ଼ିକ ଗୋଟିଏ ପଥରରେ ତିଆରି ହୋଇ ନଥିଲା ।

ଅନବଦ୍ୟ ଶିଳ୍ପ କର୍ମଗୁଡ଼ିକ ଛାଡ଼ିଦେଲେ ମଧ୍ୟ ସ୍ଥାପତ୍ୟରେ ଏପରି ଗଠନଗତ ସୌନ୍ଦର୍ଯ୍ୟ ଫୁଟି ଉଠିଛି ଯାହାର ପଟାନ୍ତର ନାହିଁ । ଧରାଯାଉ ପଞ୍ଚରଥ ପରିକଳ୍ପା କଥା । ଏତେ ବଡ଼ ମନ୍ଦିରରେ ସ୍ୱାଭାବିକ ଭାବେ ମନ ଯିବ ସପ୍ତ ଅଥବା ନବରଥ ଗଢ଼ିବାକୁ । କୋଣାର୍କ ଶିଳ୍ପୀ ଭାବି ଚିନ୍ତି

ତାହା କରି ନାହାନ୍ତି । ମନ୍ଦିରରେ ଇଞ୍ଚେ ହେଲେ ଖାଲି ସ୍ଥାନ ନାହିଁ, ତଥାପି କୌଣସି ଭାସ୍କର୍ଯ୍ୟର ଆଧିକ୍ୟ ଅଥବା ଅଭାବ ବୋଧ ହେଉନାହିଁ ।

ଅର୍କକ୍ଷେତ୍ର କୋଣାର୍କ . ୧୧୧