ପୃଷ୍ଠା:Arkakshetra konark.pdf/୧୧୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶିଳ୍ପୀକୁ ଗୋଟିଏ ବିରାଟ ପଟ ( Canvas ) ମିଳିଲା ସୂକ୍ଷ୍ମାତିସୂକ୍ଷ୍ମ କାର୍ଯ୍ୟ ଫୁଟାଇବାକୁ । ଅସଂଖ୍ୟ ଭାଞ୍ଜ ଓ ଲକ୍ଷ ଲକ୍ଷ ଖୋଦନ କାର୍ଯ୍ୟ ଯେଉଁ ଆଲୋକ ଏବଂ ଅନ୍ଧାରର ଖେଳ ଦେଖାଉଛି, ଗୋଟିଏ ଶବ୍ଦରେ "ଅନବଦ୍ୟ' । ରେଖ ଦେଉଳ ଜଗମୋହନ ଠାରୁ ବହୁ ଉଚ୍ଚ, ତାହା ଗଣ୍ଡି ଉପରେ କାରୁକାର୍ଯ୍ୟ ଲମ୍ବାକାର ( Vertical ) କିନ୍ତୁ ତାହା ଆଗକୁ ଜଗମୋହନ କାର୍ଯ୍ୟ ସମାନ୍ତରାଳ (Horizontal) ପରସ୍ପର ପରସ୍ପରର ପରିପୂରକ, ଏହା ଗୋଟିଏ ଅପୂର୍ବ ପରିକଳ୍ପା ଯାହା ଆସିପାରେ ଏକମାତ୍ର ଆତ୍ମମଗ୍ନ ଶିଳ୍ପୀର ଆଜୀବନ ବ୍ୟାପୀ ସାଧନାରୁ ।

ବିମାନ ଓ ଜଗମୋହନ ପରସ୍ପର ସଂଯୁକ୍ତ କିନ୍ତୁ ଦେହକୁ ଦେହ ଲଗା ନୁହେଁ; ଯେ ଯାହାର ସ୍ୱାଧୀନ ବ୍ୟକ୍ତିତ୍ୱ ପ୍ରକଟ କରୁଛି କିନ୍ତୁ ତଥାପି ନିବିଡ଼ ବନ୍ଧନରେ ବଦ୍ଧ । ସଂଯୁକ୍ତୀକରଣ ଘଟିଥାଏ "ଗଇଣ୍ଠାଳ' ମାଧ୍ୟମରେ । ଏହା ଅତି ଦୀର୍ଘ ହେଲେ ଦେଉଳ ବାହାରୁ ମଧ୍ୟ ଟନେଲ୍‍ ଭଳି ମନେ ହେବ, ଅତି ହ୍ରସ୍ୱ ହେଲେ ଦୁଇଟି ମନ୍ଦିର ବ୍ୟକ୍ତିତ୍ୱ ହରାଇବ । ଏହା ଏତେ ସଂଯମର ସହିତ ଗଢ଼ା ଯାଇଛି ଯେ ଥିଲା ଭଳି ମନେ ହୁଏନା । ଏହିପରି ସବୁ ନାନା ଅବ୍ୟକ୍ତ ସମତୁଳନ ସଚେତନ ଚେଷ୍ଟାର ଫଳ ନୁହେଁ, ଚେତନାର କେଉଁ ଗଭୀର ପ୍ରଦେଶରୁ ଉତ୍‍ଥିତ ।

ସବୁଠାରୁ ବଡ଼ ସ୍ଥାପତ୍ୟ ପରିକଳ୍ପା ମନ୍ଦିର ବାହାରର ଅଳଂକରଣ । ଲତା ପତ୍ର ଠାରୁ ନାନା ଜୀବ ଜନ୍ତୁ, ଦେଖା ଅଦେଖା ଅନେକ ଜୀବ, ମଣିଷ ତଥା ଜୀବ ଜଗତର ନାନା କର୍ମ, ଭାସ୍କର ହୁଏତ ନିହଣର ନିଖୁଣତାରେ ଫୁଟେଇ ତୋଳିଛି କିନ୍ତୁ ସମସ୍ତ କିଛିର ସୁଷମ ଉପସ୍ଥାପନ ମନ୍ଦିରକୁ କରି ତୋଳିଛି ଜୀବନ୍ତ, ଚଳମାନ ଜୀବନର ଛବି ଯାହା ଚାଲି ଅଛି ବର୍ଷ ବର୍ଷ ଯୁଗ ଯୁଗ ଧରି । କୋଣାର୍କ ମନ୍ଦିରର ମୂଳ ପରିକଳ୍ପାର ଏହା ଏକ ବିସ୍ମୟକର ପରିପୂରକ ।

ପୀଢ଼ ଦେଉଳର ବିଭାଗୀକରଣ :

ଜଗମୋହନ ତିି ପ୍ରକାରର ହୋଇଥାଏ (୨୨୪) :

(କ) ଘଣ୍ଟାଶ୍ରୀ ମୋହନ - ମସ୍ତକରେ ଅମଳା, ତ୍ରିପଟଧାରା, କଳସ, ଇତ୍ୟାଦି ମସ୍ତକର ସମସ୍ତ ଉପବିଭାଗ ଥାଏ ।

(ଖ) ନାଡ଼ୁ ମୋହନ - ପୀଢ଼ମାନଙ୍କ ମଧ୍ୟସ୍ଥ କାଣ୍ଟି ପାରାଘର ନ ଥାଏ ।

(ଗ) ପୀଢ଼ ମୋହନ - ପୀଢ଼, କାଣ୍ଟି ଥାଏ କିନ୍ତୁ ମସ୍ତକରେ ଅଁଳା, କଳସ ଇତ୍ୟାଦି କିଛି ନଥାଏ ।

କୋଣାର୍କର ଜଗମୋହନ ପ୍ରଥମ ଶ୍ରେଣୀଭୁକ୍ତ ।

କୋଣାର୍କ ଜଗମୋହନର ଉଚ୍ଚତା (୨୨୫) : (ସାରଣୀ-୮ ଦ୍ରଷ୍ଟବ୍ୟ)

ଗଣ୍ଡି : ପାଭାଗ ୧୦'-୧୧"
ତଳଜଙ୍ଘା ୮' - ୧୦"
ବନ୍ଧନ ୨' - ୭.୧/୨"
ଉପରଜଙ୍ଘା ୮' - ୧.୧/୨"
ବାରଣ୍ଡା ୯' - ୪"
ବାଡ଼ର ଉଚ୍ଚତା ୩୯'-୧୦" ------------ ୩୯'-୧୦"
ପୀଢ : ପ୍ରଥମ ପୋଟାଳ ୧୫' - ୮"
ପ୍ରଥମ କାଣ୍ଟି ୦୭'
ଦ୍ୱିତୀୟ ପୋଟାଳ ୧୦'- ୬"
ଦ୍ୱିତୀୟ କାଣ୍ଟି ୦୫'-୭"
ତୃତୀୟ ପୋଟାଳ ୭' - ୪"
ପୀଢ଼ର ଉଚ୍ଚତା ୪୬'-୧" ------------- ୪୬'-୧"
ମସ୍ତକ : ଅମଳା, ବେକି, ଶ୍ରୀ, ଇତ୍ୟାଦି (କଳସ ଛଡ଼ା) ୨୫'-୯" ------------- ୨୫'-୯"
ପୀଠ : ଉପନ, ତଳପୃଷ୍ଠ, ଖୁରା ପୃଷ୍ଠ ୧୬'-୬" ------------- ୧୬'-୬"
ମୋଟ ଭୂମିଠାରୁ ଜଗମୋହନର ଉଚ୍ଚତା ୧୫୧'-୧୧" ------------ ୧୨୮'-୨"

୧୧୨ . ଅର୍କକ୍ଷେତ୍ର କୋଣାର୍କ