ଚୋଡଗଙ୍ଗ ପିତୃହୀନ ହୁଅନ୍ତି ମାତ୍ର ୫ବର୍ଷ ବୟସର । ପିତାଙ୍କ ନାମ ମହାରାଜା ଦେବେନ୍ଦ୍ର ବର୍ମା ରାଜରାଜ ଦେବ ଏବଂ ମାତା ରାଜସୁନ୍ଦରୀ ଦେବୀ । ରାଜସୁନ୍ଦରୀ କାଞ୍ଚି ଅଧିପତି ମହାରାଜା କୁଳତୁଙ୍ଗ ରାଜେନ୍ଦ୍ର ଚୋଳଙ୍କ କନ୍ୟା ଥିଲେ । ଅସୁରକ୍ଷିତ ରାଜ୍ୟ ରକ୍ଷା କରିବାକୁ ଆଗେଇ ଆସିଲେ ରାଜସୁନ୍ଦରୀଙ୍କ ଭ୍ରାତା ବେଙ୍ଗି ରାଜ୍ୟର ଅଧିପତି ବୀର ଚୋଡ଼ । ପାଞ୍ଚବର୍ଷର ଭଣଜାକୁ ସିଂହାସନରେ ବସାଇ ନିଜ କନ୍ୟା କସ୍ତୁରୀ କାମୋଦିୀ ସହ ବିବାହ ଦେଲେ ବୀର ଚୋଡ଼ । ଏହାଛଡ଼ା ବୀର ଚୋଡ଼ ବହୁ ଜ୍ଞାନୀ ଶିକ୍ଷକ ନିୟୋଜିତ କଲେ ଏମାନଙ୍କର ଶିକ୍ଷାଦୀକ୍ଷା ପାଇଁ ।
ଚୋଡ଼ଗଙ୍ଗ ପିତୃହୀନ ହୁଅନ୍ତି ୧୦୭୭ ଖ୍ରୀଷ୍ଟାବ୍ଦରେ, ଅର୍ଥାତ୍ ତାଙ୍କ ଜନ୍ମ ୧୦୭୨ ଖ୍ରୀଷ୍ଟାବ୍ଦରେ । ବୟଃପ୍ରାପ୍ତି ସହ ଚୋଡ଼ଗଙ୍ଗଦେବ ବିରାଟ ସୈନ୍ୟ ବାହିନୀ ଗଢ଼ି ପାର୍ଶ୍ୱବର୍ତ୍ତୀ ରାଜ୍ୟ ଆକ୍ରମଣ କରି ନିଜ ଦେଶର ସୀମା ବଢ଼ାଇବାକୁ ଲାଗିଲେ । ଉତ୍ତରପାର୍ଶ୍ୱରେ ଉତ୍କଳ ଅଧିପତି ଥିଲେ ସେତେବେଳେ ସୋମବଂଶୀ କର୍ଣ୍ଣଦେବ । ଉତ୍କଳ ଜୟ କରିବା ପରେ ଚୋଡ଼ଗଙ୍ଗ ଦେବ ଚାଲୁକ୍ୟ ଓ ତା'ପରେ ବେଙ୍ଗି(ହୁଏତ ସେତେବେଳେ ମାମୁ ବୀର ଚୋଡ଼ ବିତାଡ଼ିତ ହୋଇ ଅନ୍ୟ କେହି ରାଜତ୍ୱ କରୁଥିଲେ) ଏବଂ ଶେଷରେ ବଙ୍ଗ ଦେଶର ପାଳ ରାଜ୍ୟ ଜୟ କଲେ । ରାଜ୍ୟ ସୀମା ପୁଣି ବଢ଼ିଗଲା ଗୋଦାବରୀଠାରୁ ଗଙ୍ଗା ଯାଏ । ରାଜ୍ୟଶାସନ ପ୍ରୟୋଜନରେ କେନ୍ଦ୍ରୀୟସ୍ଥାନ କଟକକୁ ରାଜଧାନୀ ସ୍ଥାନାନ୍ତରିତ ହେଲା ୧୧୧୨ ଖ୍ରୀଷ୍ଟାବ୍ଦରେ । ସେତେବେଳେ ଚୋଡ଼ଗଙ୍ଗଦେବଙ୍କ ବୟସ ୪୦ । ଉତ୍କଳ ବିଲୁପ୍ତ ହେଲା । କଳିଙ୍ଗ ନାମ ଲୋପ ହୋଇ ଓଡ଼ିଶା ହେବାକୁ ଆହୁରି ବହୁବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଚୋଡ଼ଗଙ୍ଗ କିନ୍ତୁ ସେ ସମୟରେ କଟକରେ ରହିଲେ ନାହିଁ । ଏଡେ଼ ବିଶାଳ ଯୁଦ୍ଧବିଧ୍ୱସ୍ତ ଦେଶରେ ଶାନ୍ତି ଫେରାଇ ଆଣିବାକୁ ସମୟ ଲାଗିଲା । ୧୧୨୬ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସପରିବାର ସ୍ଥାୟୀ ଭାବେ ବସବାସ କଲେ କଟକରେ, ନୂତନ ରାଜଧାନୀର । ସେତେବେଳେ ତାଙ୍କ ବୟସ ୫୪ । ୧୦୫୦ ଶକାବ୍ଦ (୧୧୨୮ଖ୍ରୀଷ୍ଟାବ୍ଦ) ତାଙ୍କ ଶାସନର ପ୍ରଥମ ବର୍ଷ ଧରା ହେବ ବୋଲିପୁରୀ ମୁକ୍ତିମଣ୍ଡପ ନିକଟସ୍ଥ ନୃସିଂହ ମନ୍ଦିର ଗାତ୍ରରେ ଶିଳାଲିପି ଲେଖା ହେଲା । ତାଙ୍କର ନାମ ଆଗରେ ଯୁକ୍ତ ହେଲା, "ପରମ ମାହେଶ୍ୱର, ପରମ ବୈଷ୍ଣବ ଓ ପରମ ବ୍ରାହ୍ମଣ୍ୟ' । ଚୋଡଗଙ୍ଗଦେବ ମୂଳତଃ ଶୈବ ଥିଲେ ଏବଂ ତାଙ୍କର ଗୁରୁ ଥିଲେ ମଧୁକେଶ୍ୱର ମନ୍ଦିରର ଜଣେ ସାଧୁ । କିନ୍ତୁ ଏ ଦେଶକୁ ଆସି ବୈଷ୍ଣବ ହୋଇଗଲେ । ତାଙ୍କର ବୈଷ୍ଣବ ଗୁରୁ ଆସିଲେ କୂର୍ମପାତକରୁ ଏବଂ ସେ ପୁରୀ ଜଗନ୍ନାଥ ଦେଉଳ ଗଢ଼ିବାକୁ ଲାଗିଲେ । (ଚୋଡ଼ଗଙ୍ଗ ନୂତନ ମନ୍ଦିର ଗଢ଼ିଲେ ଅଥବା ପୁରାତନ ମନ୍ଦିରର ପୁନର୍ଗଠନ କଲେ ଏହା ନେଇ ମତଦ୍ୱୈଧ ଅଛି) । ୧୧୪୨ ଖ୍ରୀଷ୍ଟାବ୍ଦରେ ଜ୍ୟେଷ୍ଠପୁତ୍ର କାମାର୍ଣ୍ଣବ ଦେବଙ୍କ ରାଜ୍ୟାଭିଷେକ ପୁରୀ ଶ୍ରୀମନ୍ଦିରରେ କରିଦେଇ ନିଜେ ରହିଗଲେ ପୁରୀଠାରେ । ସେତେବେଳେ ତାଙ୍କ ବୟସ ୭୦ ।
ପୂର୍ବ କଥିତ "ବଂଶାବଳୀ'ର ପୁନରାଲୋଚନା ପାଇଁ ଚୋଡ଼ଗଙ୍ଗଦେବଙ୍କ ଉତ୍ଥାନର ଗୋଟିଏ କାଳକ୍ରମ ନିମ୍ନରେ ଉପସ୍ଥାପିତ ହେଲା ।
୧୦୭୨ ଖ୍ରୀଷ୍ଟାବ୍ଦ | – | ଜନ୍ମ | ||
୧୦୭୭ ଖ୍ରୀଷ୍ଟାବ୍ଦ | – | କଳିଙ୍ଗ ସିଂହାସନ ଆରୋହଣ | – | ବୟସ - ୦୫ |
୧୧୧୨ ଖ୍ରୀଷ୍ଟାବ୍ଦ | – | ଉତ୍କଳ ଜୟ | – | ବୟସ - ୪୦ |
୧୧୨୬ ଖ୍ରୀଷ୍ଟାବ୍ଦ | – | ସ୍ଥାୟୀ କଟକ ବାସ | – | ବୟସ - ୫୪ |
୧୧୪୨ ଖ୍ରୀଷ୍ଟାବ୍ଦ | – | କାମାର୍ଣ୍ଣବଙ୍କୁ ସିଂହାସନ ଦାନ | – | ବୟସ - ୭୦ |
ଏହାପରେ କେତେବର୍ଷ ବଞ୍ଚିଥିଲେ, ତ୍ରିପାଠୀ କହି ନାହାନ୍ତି । ଏ ଇତିହାସ ଶ୍ରୀ ଅଜିତ୍ କୁମାର ତ୍ରିପାଠୀଙ୍କ ଲିଖିତ ଗୋଟିଏ ସନ୍ଦର୍ଭରୁ ଇଣ୍ଟରନେଟ୍ ମାଧ୍ୟମରେ ପ୍ରାପ୍ତ । ଉପରୋକ୍ତ ହିସାବ ଅନେକଗୁଡ଼ିଏ ଅସମାହିତ ପ୍ରଶ୍ନର ଯୁକ୍ତିଗ୍ରାହ୍ୟ ଉତ୍ତର ଦେଉଛି ।
୧. ଚୋଡ଼ଗଙ୍ଗଦେବ ୭୦ ବର୍ଷ ନୁହେଁ ୩୦ ବର୍ଷ ଉତ୍କଳ ଶାସନ କରିଥିଲେ ।
୨. ୧୧୧୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଜୟକରି ବଂଶ ସ୍ଥାପନ; କରୁଣାସାଗରଙ୍କ ସହିତ ମିଳିଯାଉଛି ।
୩. ୧୧୪୨ ଖ୍ରୀଷ୍ଟାବ୍ଦରେ କାମାର୍ଣ୍ଣବଦେବଙ୍କ ସିଂହାସନ ଆରୋହଣ ତାମ୍ରପଟ୍ଟାର ୩୭ ନମ୍ବର ଶ୍ଳୋକ ସହିତ ମିଶି ଯାଉଛି (୧୦୬୪ ଶକ + ୭୮=୧୧୪୨ ଖ୍ରୀଷ୍ଟାବ୍ଦ) ।
କୃପାସିନ୍ଧୁ ସେ ତାମ୍ରପଟ୍ଟାକୁ ବିଶ୍ୱାସ କରୁ ନାହାନ୍ତି କିନ୍ତୁ ଶ୍ଳୋକଗୁଡ଼ିକର ଅନୁବାଦ ଉପସ୍ଥାପିତ କରିଛନ୍ତି । (ପୃ-୧୪୧)
ବର୍ତ୍ତମାନ ବଂଶାବଳୀକୁ ପୁର୍ଗଠନ କରାଯାଇପାରେ ।
୧୮ . ଅର୍କକ୍ଷେତ୍ର କୋଣାର୍କ