ପୃଷ୍ଠା:Arkakshetra konark.pdf/୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସାରଣୀ - ୨

ପୁନର୍ଗଠିତ ବଂଶାବଳୀ

ନାମ ଶାସନକାଳ ସିଂହାସନ ଆରୋହଣ
ଚୋଡ଼ଗଙ୍ଗ ଦେବ *୩୦ ବର୍ଷ *୧୧୧୨ ଖ୍ରୀଷ୍ଟାବ୍ଦ
କାମାର୍ଣ୍ଣବ ଦେବ ୮ ବର୍ଷ *୧୧୪୨ ଖ୍ରୀଷ୍ଟାବ୍ଦ
ରାଘବ ୧୨ ବର୍ଷ ୧୧୫୦ ଖ୍ରୀଷ୍ଟାବ୍ଦ
ରାଜରାଜ (୨) ୨୦ ବର୍ଷ ୧୧୬୨ ଖ୍ରୀଷ୍ଟାବ୍ଦ
ଅନଙ୍ଗଭୀମଦେବ (୧) ୮ ବର୍ଷ ୧୧୮୨ ଖ୍ରୀଷ୍ଟାବ୍ଦ
ରାଜରାଜ (୩) ୧୪ ବର୍ଷ ୧୧୯୦ ଖ୍ରୀଷ୍ଟାବ୍ଦ
ଅନଙ୍ଗଭୀମଦେବ(୨) ୨୮ ବର୍ଷ ୧୨୦୪ ଖ୍ରୀଷ୍ଟାବ୍ଦ
ନରସିଂହ ଦେବ(୧) ୨୭ ବର୍ଷ ୧୨୩୨ ଖ୍ରୀଷ୍ଟାବ୍ଦ

ତ୍ରିପାଠୀଙ୍କ ସନ୍ଦର୍ଭରୁ ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଜୟର ବର୍ଷ ଏବଂ ପୁତ୍ର କାମାର୍ଣ୍ଣବଙ୍କ ଆରୋହଣର ବର୍ଷ ତଥା ଚୋଡ଼ଗଙ୍ଗଦେବଙ୍କର ଅକଳିତ ଶାସନ କାଳ ଉପରୋକ୍ତ ସାରଣୀରେ ରଖାଗଲା ।୧ ନମ୍ବର ସାରଣୀର ଚତୁର୍ଥ ସ୍ତମ୍ଭର ଦ୍ୱିତୀୟ ଭାଗରେ ପରବର୍ତ୍ତୀ ରାଜାମାନଙ୍କର ଶାସନ କାଳ (ଇଂରାଜୀ ମତେ) ଯାହା ମିଳିଛି ସେଗୁଡ଼ିକ ଜଣେ ଜଣେ କରି ମିଶେଇ କରି ଗଲେ କାମାର୍ଣ୍ଣବ ପରବର୍ତ୍ତୀ ଛଅ ଜଣ ରାଜାଙ୍କର ସିଂହାସନ ଆରୋହଣର ବର୍ଷ ମିଳିଯାଉଛି । ବର୍ତ୍ତମାନ ନରସିଂହଦେବଙ୍କର ସିଂହାସନ ଆରୋହଣର ବର୍ଷ ମିଳି ଆସୁଛି ୧୨୩୨ ।

ଗାଙ୍ଗୁଲୀ ପ୍ରଦତ୍ତ ତାମ୍ରପଟ୍ଟା ନାମଗୁଡ଼ିକ ଛଡ଼ା ସଂପୂର୍ଣ୍ଣ କାଟ ଖାଉଛି । କୃପାସିନ୍ଧୁ ପ୍ରଦତ୍ତ ତାମ୍ରପଟ୍ଟାର ବର୍ଷ ହିସାବ ପ୍ରଥମ ଦୁଇଟି ଛଡ଼ା ବିରୋଧ ସତ୍ତ୍ୱେ ରହୁଛି ।ନରସିଂହଦେବଙ୍କ ସିଂହାସନ ଆରୋହଣର ବର୍ଷ ସଂଖ୍ୟାଧିକ ମତ ସହିତ ପ୍ରାୟ ମିଳିଯାଉଛି । ପାଞ୍ଚ ଛଅବର୍ଷର ଫରକ ଧର୍ତ୍ତବ୍ୟ ନୁହେଁ । ତାହା ମଧ୍ୟ ନ ରହିପାରେ ଶକ ବର୍ଷକୁ ଇଂରାଜୀ ବର୍ଷରେ ପରିବର୍ତ୍ତଜନିତ ଭଗ୍ନାଂଶଗୁଡ଼ିକ ହିସାବକୁ ନେଲେ । ନରସିଂହଦେବଙ୍କ ଶାସନକାଳ ନିରୂପଣ କରିବାକୁ ଆହୁରି କିଛି ତଥ୍ୟ ଅନୁସନ୍ଧାନ କରାଯାଇପାରେ ।

ଉପରୋକ୍ତ ବଂଶାବଳୀରେ ଗାଙ୍ଗୁଲୀ ଯାହାଙ୍କୁ ଅନିୟଙ୍କଦେବ (୨) ଅଥବା ଅନଙ୍ଗଭୀମଦେବ (୨) ଲେଖୁଛନ୍ତି (କୃପାସିନ୍ଧୁ ଉପସ୍ଥାପିତ ବଂଶାବଳୀରେ ମଧ୍ୟ ତାହା ହିଁ ଲେଖାଯାଇଛି) ଡଚ୍ଛରର କରୁଣାସାଗର ବେହେରା ତାହାଙ୍କୁ ଅନଙ୍ଗଭୀମ ଦେବ (୩) କହୁଛନ୍ତି ।ଏହା ଅର୍ଥ ଚୋଡ଼ଗଙ୍ଗଦେବଙ୍କ ପୂର୍ବରୁ ମଧ୍ୟ ଜଣେ କେହି ଅନଙ୍ଗଦେବ ଥିଲେ । ସେ ଯାହାହେଉ, ଯେହେତୁ ଏହାପରେ କହିବାକୁ ଯାଉଥିବା ଇତିହାସର ତଥ୍ୟ ବହୁଳାଂଶେ କରୁଣାସାଗରଙ୍କ ଗ୍ରନ୍ଥ ଉପରେ ନିର୍ଭର କରୁଛି । (୨୩) ଆମେ ମଧ୍ୟ ପ୍ରଥମ ନରସିଂହଦେବଙ୍କ ପିତା, ୩ୟ ଅନଙ୍ଗଭୀମଦେବ ଧରି ଆଗେଇବା ।

ଲାଙ୍ଗୁଳା ନରସିଂହଦେବଙ୍କ ଯୁଦ୍ଧ :

ଦକ୍ଷିଣରେ କାକତୀୟ ନୃପତିମାନଙ୍କ ସହିତ ଗଙ୍ଗବଂଶର ଯୁଦ୍ଧ, ବଂଶ ପରମ୍ପରାକ୍ରମେ ଚାଲିଥିଲା, ଯାହାର ସମାପ୍ତି ଘଟିଲା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ । ସେ ଯୁଦ୍ଧରେ କେତେବେଳେ ଏମାନେ, କେତେବେଳେ ସେମାନେ ହାରନ୍ତି ।ଯେଉଁ ଚୋଡ଼ଗଙ୍ଗଦେବଙ୍କ ରାଜ୍ୟସୀମା ସୀମାଚଳ ପର୍ବତଶ୍ରେଣୀଠାରୁ ଋଷିକୂଲ୍ୟା ନଦୀ ଯାଏ ସଂକୁଚିତ ହୋଇ ଯାଇଥିଲା ସେଇ ଚୋଡ଼ଗଙ୍ଗଦେବ ନିଜ ବାହୁବଳରେ ଗୋଦାବରୀଠାରୁ ଗଙ୍ଗା ଯାଏ ରାଜ୍ୟ ବିସ୍ତାର କରି ପାରିଥିଲେ । କିନ୍ତୁ ପରବର୍ତ୍ତୀ ଛଅ ପ୍ରଜନ୍ମରେ ରାଜ୍ୟସୀମା ପୁଣି ସଂକୁଚିତ ହୋଇ ଯାଇଥିଲା ଏବଂ

ତୃତୀୟ ଅନଙ୍ଗଭୀମଦେବଙ୍କୁ ଗୋଦାବରୀ ଉପତ୍ୟକାରେ ଦଖଲ ରଖିବାକୁ ପ୍ରବଳ ପରାକ୍ରାନ୍ତ କାକତୀୟ ନୃପତି ଗଣପତିଙ୍କ ସହିତ ଅବିରାମ ଯୁଦ୍ଧ କରିବାକୁ ପଡ଼ୁଥିଲା ।

ଅର୍କକ୍ଷେତ୍ର କୋଣାର୍କ . ୧୯