ପୃଷ୍ଠା:Arkakshetra konark.pdf/୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥାତ୍‍ ଅଂଶୁମାଳୀ (ସୂର୍ଯ୍ୟ) ଦେବଙ୍କ ମନ୍ଦିର ଲାଙ୍ଗୁଳା ନରସିଂହ ଦେବ ୧୨୦୦ ଶକାବ୍ଦରେ ତୋଳାଇ ଥିଲେ ।(୩୩) ୧୨୦୦ ଶକାବ୍ଦ ଅର୍ଥାତ୍‍ ୧୨୭୮ ଖ୍ରୀଷ୍ଟାବ୍ଦ (କରୁଣାସାଗରଙ୍କ ହିସାବରେ ୧୨୭୬), ନରସିଂହଦେବଙ୍କ ଶାସନକାଳ (୧୨୩୮ ଠାରୁ ୧୨୬୪) ମଧ୍ୟରେ ପଡ଼ୁନାହିଁ । ମନ୍ଦିର ତ ବର୍ଷେ ଦୁଇ ବର୍ଷରେ ଗଢ଼ାଯାଏନା । "ଗଢ଼ିଥିଲେ' ଅର୍ଥ ହେବ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ମନମୋହନ ଗାଙ୍ଗୁଲୀ କିନ୍ତୁ ଏଥିରେ କୌଣସି ବିଭ୍ରାନ୍ତି ଦେଖି ନାହାନ୍ତି । କାରଣ ତାଙ୍କ ପ୍ରଦତ୍ତ ବଂଶାବଳୀରେ ନରସିଂହଦେବ ୧୨୫୮ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ଏବଂ ସେହି ଶ୍ଳୋକର ଅନ୍ୟ ଗୋଟିଏ ପାଠ ଅନୁଯାୟୀ ୪୫ ବର୍ଷ ରାଜତ୍ୱ କରିଥିଲେ । (କୃପାସିନ୍ଧୁ,ପୃ-୧୩୯) । ଗାଙ୍ଗୁଲି ଅବଶ୍ୟ ମନମୋହନ ଚକ୍ରବର୍ତ୍ତୀଙ୍କ ବହୁଳ ସ୍ୱୀକୃତ ମତ-୧୨୩୮ଠାରୁ ୧୨୬୪ର ଉଲ୍ଲେଖ କରିଛନ୍ତି କିନ୍ତୁ ବିବାଦର ସମାଧାନକୁ ଯାଇ ନାହାନ୍ତି । (ଗାଙ୍ଗୁଲୀ, ପୃ-୪୭୯)

କୃପାସିନ୍ଧୁ ଷ୍ଟର୍ଲିିଂଙ୍କ ମତ ଉଦ୍ଧାର କରି (୩୪) କହିଛନ୍ତି ୧୨୪୧ ସାଲରେ ଅର୍ଥାତ୍‍ ନରସିଂହଦେବ ସିଂହାସନ ଆରୋହଣ କରିବାର ମାତ୍ର ୪ବର୍ଷ ପରେ (କୃପାସିନ୍ଧୁ ମାଦଳାପାଞ୍ଜିରୁ ବୁଲାବାଟରେ ଉପପାଦିତ କରି ୧୨୩୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ ଧରିଛନ୍ତି) ମନ୍ଦିର କାର୍ଯ୍ୟ ଶେଷ ହେଲା । ୪ ଅଥବା ୫ବର୍ଷ ଏ ବିଶାଳ କାର୍ଯ୍ୟପାଇଁ ଅବିଶ୍ୱାସ୍ୟ । କିନ୍ତୁ କିଏ କହୁଛି, ମନ୍ଦିର ଗଠନ ଆରମ୍ଭ ହେଲା ନରସିଂହଦେବଙ୍କ ସିଂହାସନ ଆରୋହଣର ଚତୁର୍ଥ ବର୍ଷ । ଏ ବିବାଦକୁ ଟିକେ ପରେ ଆସିବା ।

ଡକ୍ଟର କରୁଣାସାଗର ବେହେରା ଅନେକଗୁଡ଼ିଏ ମତର ଉଦ୍ଧୃତି ଦେଇଛନ୍ତି ।(୩୫) ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତ ଉପରୋକ୍ତ ଶ୍ଳୋକଟି ଅର୍ଥାତ୍‍ ପୁଚ୍ଛନରସିଂହେନ ସିଂହାସନ.... ଇତ୍ୟାଦି, "Modern fabrication" କିନ୍ତୁ Surveyor General R.H.Colebrook ୧୮୦୭ ଖ୍ରୀଷ୍ଟାବ୍ଦରେ ଏହାର ଉଲ୍ଲେଖ କରିଛନ୍ତି । "ଓଡ୍ରଦେଶ ରାଜବଂଶାବଳୀ'ରୁ କଲିନ ମ୍ୟାକେଞ୍ଜି ଏହାର ଉଦ୍ଧୃତି ଦେଇଛନ୍ତି । ଆହୁରି ମଧ୍ୟ ଅଛନ୍ତି R.L.Mitra । କରୁଣାସାଗର କହିଛନ୍ତି, "But in spite of this he date is hardly tenable" ଯେବେ ଏହା ସମର୍ଥନୀୟ ନୁହେଁ,ତେବେ କ'ଣ ସମର୍ଥନୀୟ ? ସେ ଦିଗକୁ ନ ଆଗେଇ ପୁଣି କହୁଛନ୍ତି ଷ୍ଟର୍ଲିିଂଙ୍କ ମତରେ, ମନ୍ଦିର ଗଢ଼ାହେଲା ୧୨୪୧ ଖ୍ରୀଷ୍ଟାବ୍ଦରେ କିନ୍ତୁ ସେ ମତ ସମର୍ଥରେ ଷ୍ଟର୍ଲିଂ କିଛି ପ୍ରମାଣ ଦେଇ ନାହାନ୍ତି । ସେ ଆହୁରି ମଧ୍ୟ ଆର୍‍.ଜେ. ମେହେଟ୍ଟା ଓ ଜେ.ଏଚ୍‍ ଡାଭେଙ୍କ ମତ ଉଦ୍ଧାର କରି ସେମାନେ ନିର୍ଭର କରିଥିବା ତମ୍ବାପଟ୍ଟା ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି । ପୁନଶ୍ଚ ଡକ୍ଟର ଆର୍‍. ସି. ହାଜରାଙ୍କ ମତ (୧୨୫୧ଖ୍ରୀଷ୍ଟାବ୍ଦ)କୁ ଗ୍ରହଣଯୋଗ୍ୟ ମାନୁନାହାନ୍ତି କରୁଣା ସାଗର, କାରଣ ତାଙ୍କ ମତରେ ଶ୍ରୀକୂର୍ମମ୍‍ ଅନୁଶାସନ ଏପରି କିଛି କହୁନାହିଁ ।' ପଣ୍ଡିତମାନଙ୍କ ମଧ୍ୟରେ ମତଦ୍ୱୈଧ ଥାଏ; ଅଧିକାଂଶ ପାଠକ, କୁହାଯାଉଥିବା ସୂତ୍ରଗୁଡ଼ିକର ମୂଳ ଦଲିଲ୍‍ ଆଉ ଥରେ ପାଠ କରି ସତ୍ୟ, ମିଥ୍ୟା ବିଚାର କରିବେ ନାହିଁ, କିନ୍ତୁ ଯୁକ୍ତିସଂଗତ ବିଚାର କହେ, ରାୟ ଦେଇ ସାରିବା ପରେ (hardly tenable ) ପୁଣି ସାକ୍ଷ୍ୟ ପରୀକ୍ଷା କରିବା ଉଚିତ ନୁହେଁ ।

ପରିଚ୍ଛେଦର ଶେଷ ଅନୁଚ୍ଛେଦରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତ ଉଦ୍ଧାର କରି କରୁଣାସାଗର କହିଛନ୍ତି, ବଙ୍ଗ ଦେଶର ମୁସଲମାନମାନଙ୍କୁ ଦମନ କରିବା ପରେ ଦେଶରେ ଯେଉଁ ଶାନ୍ତ ବାତାବରଣ ସୃଷ୍ଟି ହେଲା, ସେଥିରେ ଏ ବିଶାଳ ମନ୍ଦିର ଗଢ଼ିବାକୁ ସମୟ ଓ ଅର୍ଥ ନରସିଂହଦେବ ବ୍ୟୟ କରିପାରିଥାଆନ୍ତି । ଏହା ପରେ କହିବାକୁ ଯାଉଥିବା ଇତିହାସ ସହିତ ଏ ମତାମତର ସାମଞ୍ଜସ୍ୟ ଅଛି ।

ଯୁବରାଜ ନରସିଂହଦେବ ଦକ୍ଷିଣର ଯୁଦ୍ଧରୁ ପ୍ରଚୁର ଧନ ସମ୍ପତ୍ତି ଧରି ଫେରି ଆସିଲେ ୧୨୩୭ ଖ୍ରୀଷ୍ଟାବ୍ଦରେ । ଷ୍ଟେଲା କର୍ମରୀଶ୍‍ ଦେଇଥିବା ତଥ୍ୟାନୁଯାୟୀ ନରସିଂହଦେବଙ୍କ ମାତା କସ୍ତୁରୀ ଦେବୀ ଚାହିଁଲେ, ସେ ଅର୍ଥ ଅର୍କକ୍ଷେତ୍ରରେ ଗୋଟିଏ ବୃହତ୍‍ ସୂର୍ଯ୍ୟମନ୍ଦିର ଗଢ଼ିବାରେ ବ୍ୟୟିତ ହେଉ । କାରଣ ଚାରିଟି ମୁଖ୍ୟ କ୍ଷେତ୍ର ମଧ୍ୟରେ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏ ସୂର୍ଯ୍ୟଙ୍କ ଉପଯୁକ୍ତ ମନ୍ଦିର ନଥିଲା । କାର୍ଯ୍ୟ ଆରମ୍ଭ ହେଲା ଯେତେବେଳେ ନରସିଂହଦେବ ଆହୁରି ଯୁବରାଜ ଥିଲେ । ଷ୍ଟେଲାଙ୍କ ତଥ୍ୟ ଅନୁସାରେ ଯଦିଓ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନରସିଂହଦେବଙ୍କ ରାଜ୍ୟଶାସନର ପଞ୍ଚମ ଅଙ୍କରେ, ନକ୍ସା, ଯୋଜନା ଓ ପଥର କାଟିବାର କାର୍ଯ୍ୟ ଛଅବର୍ଷ ଆଗରୁ ଆରମ୍ଭ ହୋଇ ଯାଇଥିଲା । ଷ୍ଟେଲା ଆହୁରି ପ୍ରୟୋଜନୀୟ ତଥ୍ୟ ଉପସ୍ଥାପିତ କରିଛନ୍ତି, ଯାହା ଉଚିତ ସ୍ଥାନରେ ବ୍ୟବହାର କରାଯିବ କିନ୍ତୁ ସେ କୋଣାର୍କ ମନ୍ଦିର ପ୍ରତିଷ୍ଠାର କୌଣସି ବର୍ଷ ମାସ ଦେଇ ନାହାନ୍ତି । ତାଙ୍କର ତଥ୍ୟଗୁଡ଼ିକ ମାଦଳାପାଞ୍ଜି ଓ ଇଦାନୀଂ ଆବିଷ୍କୃତ "ବାୟା ଚକଡ଼ା'(ବ୍ୟୟ ଚକଡ଼ା କି ?)ରୁ ପାଇଥିବା ସ୍ୱୀକାର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବାୟା ଚକଡ଼ାର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଜର୍ମନ ଓ ଭାରତୀୟ ପଣ୍ଡିତ(୩୬) କିନ୍ତୁ କାରଣଗୁଡ଼ିକ ଆଲୋଚନା କରି ନାହାନ୍ତି । ସେ ଆଲୋଚନା ଅନ୍ୟତ୍ର କରାଯିବ । କିନ୍ତୁ ବର୍ତ୍ତମାନ ଏତିକି କହିଲେ ଗ୍ରହଣଯୋଗ୍ୟ ହେବ, କୋଣାର୍କ ଦେଉଳର ଗଠନ ସମୟ ଉପରେ କିଛି ଆଲୋକପାତ ହେଲା ।

ନରସିଂହଦେବଙ୍କ ସମୟର ବହୁ ପୂର୍ବରୁ ଓଡିଶାରେ ଚାରିଟି କ୍ଷେତ୍ର ଥିଲା ଏବଂ ଦେଶରେ ବହୁ ଦେବଦେବୀଙ୍କ ପୂଜା ସହିତ ସୂର୍ଯ୍ୟନାରାୟଣଙ୍କ ପୂଜାର ପ୍ରଚଳନ ମଧ୍ୟ ଥିଲା । ପରବର୍ତ୍ତୀ ପରିଚ୍ଛେଦରେ ଏ ଆଲୋଚନା ବିଶଦ୍‍ ଭାବେ ହେବ ।

୨୨ . ଅର୍କକ୍ଷେତ୍ର କୋଣାର୍କ