ପୃଷ୍ଠା:Arkakshetra konark.pdf/୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରାଣମାନଙ୍କରେ କୋଣାର୍କକୁ ସୂର୍ଯ୍ୟଙ୍କ ବିଭିନ୍ନ ନାମ ସହିତ ଯୁକ୍ତ କରି ନିମ୍ନ ରୂପେ ବର୍ଣ୍ଣିିତ ହୋଇଛି ।(୩୭)

ବ୍ରହ୍ମପୁରାଣ କୋଣାଦିତ୍ୟ
ସ୍କନ୍ଧପୁରାଣ ସୂର୍ଯ୍ୟକ୍ଷେତ୍ର
ପ୍ରାଚୀମାହାତ୍ମ୍ୟ ଅର୍କକ୍ଷେତ୍ର / ରବିକ୍ଷେତ୍ର
ଭବିଷ୍ୟ ପୁରାଣ ମିତ୍ରବନ
ଶାମ୍ବ ପୁରାଣ ମୈତ୍ରବନ
କପିଳ ସଂହିତା ରବିକ୍ଷେତ୍ର / ମୈତ୍ରେୟ ବନ ।

କେତେକ ଗବେଷକ କହୁଛନ୍ତି, ବର୍ତ୍ତମାନର କୋଣାର୍କ ଦେଉଳ ତୋଳା ହେବା ପରବର୍ତ୍ତୀ ସମୟରେ ଶାମ୍ବପୁରାଣରେ କିଛି ଅନୁପ୍ରବେଶ ଘଟିଛି ।(୩୮) ଏହା ଅବଶ୍ୟ ସ୍ୱୀକାର୍ଯ୍ୟ, ଶାମ୍ବପୁରାଣ ଗୋଟିଏ ପୁରାତନ ପୁରାଣ ଏବଂ ସେଥିରେ ସୂର୍ଯ୍ୟପୂଜା କଥା ଅଛି ।

"ପୁରୁଷୋତ୍ତମ ମାହାତ୍ମ୍ୟ'ରେ ବର୍ଣ୍ଣିିତ ଅଛି, ବିଷ୍ଣୁ ଗୟାସୁରକୁ ବଧକରି ବିଜୟ ଚିହ୍ନ ସ୍ୱରୂପ ପୁରୀରେ ଶଙ୍ଖ, ଭୁବନେଶ୍ୱରରେ ଚକ୍ର, ଯାଜପୁରରେ ଗଦା, କୋଣାର୍କରେ ପଦ୍ମ ଓ ଗୟାରେ ପାଦଚିହ୍ନ ରଖିଦେଲୋ(୩୯) ପୁରାଣ, ଇତିହାସ ନୁହେଁ । ବହୁ କାଳରୁ ପ୍ରଚଳିତ ପୁରାଣର ମୂଲ୍ୟ ଏତିକି ଯେ ସେଥିରେ କଥିତ ସ୍ଥାନର ନାମ ଯେବେ ବର୍ତ୍ତମାନ ସମୟରେ ମଧ୍ୟ ଚାଲୁଥାଏ ତେବେ ତାହାର ଐତିହାସିକ ମୂଲ୍ୟ ଅଛି ।

ଦାକ୍ଷିଣାତ୍ୟ ଯୁଦ୍ଧ ପ୍ରତ୍ୟାଗତ ଯୁବରାଜ ନରସିଂହଦେବ, ମାତା କସ୍ତୁରାଦେବୀଙ୍କ ସହିତ କ'ଣ କଥା ହୋଇଥିଲେ ପୂର୍ବେ ବର୍ଣ୍ଣିିତ ହୋଇଛି । ବିଶ୍ୱାସ କରାଯାଇପାରେ, କୋଣାର୍କରେ ଗୋଟିଏ ସୂର୍ଯ୍ୟକ୍ଷେତ୍ର ଥିଲା ଏବଂ ରାଣୀ ସେଠାରେ ଗୋଟିଏ ବଡ଼ ମନ୍ଦିର ଗଢ଼ିବାକୁ ଚାହିଁଥିଲେ । ଚାରିଟି କ୍ଷେତ୍ର ମଧ୍ୟରୁ ଯାଜପୁରଠାରେ ମଧ୍ୟ ପୁରୀ ଅଥବା ଭୁବନେଶ୍ୱର ଭଳି ବିଶାଳ ମନ୍ଦିର ନ ଥିଲା । ତେବେ ସେ କ୍ଷେତ୍ର ଚୟନକରି ଅପେକ୍ଷାକୃତ ସ୍ୱଳ୍ପଖ୍ୟାତ କୋଣାର୍କକୁ କାହିଁକି ଚୟନ କଲେ ?

କେଶରୀ ବଂଶର ସ୍ଥପତି ଯଯାତି କେଶରୀ ଯାଜପୁରକୁ ନିଜ ରାଜଧାନୀ କରି ତୋଳିଥିଲେ । କେଶରୀ ବଂଶ ହାତରୁ ଦେଶ ଛଡ଼ାଇ ନେଇଥିଲେ ଗଙ୍ଗବଂଶର ନରପତି ଚୋଡ଼ଗଙ୍ଗଦେବ । ଗଙ୍ଗ ବଂଶର ଜଣେ ସାମ୍ରାଜ୍ଞୀ ଅବଶ୍ୟ ଚାହିଁ ନଥିବେ ପରାଜିତ ପକ୍ଷର ରାଜଧାନୀକୁ ଅଧିକ ପ୍ରସିଦ୍ଧି ଆଣିଦେବାକୁ । ଏହାଛଡ଼ା ୫୧ପୀଠର ଅନ୍ୟତମ ଜାଗ୍ରତ ଦେବୀ ବିରଜା ଓ ଦଶାଶ୍ୱମେଧ ଘାଟ ପାଇଁ ଯାଜପୁରର ପ୍ରସିଦ୍ଧି ଥିଲା । ଏହାଛଡ଼ା ଆହୁରି ମଧ୍ୟ ଥିଲା ଯଯାତିକେଶରୀ ପରିକଳ୍ପିତ ଓ ତାଙ୍କ ପୁତ୍ର ଲଲାଟେନ୍ଦୁଙ୍କ ଦ୍ୱାରା ଗଠିତ ଏକାଦଶ ଶତାବ୍ଦୀର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର । ସେସବୁ ତୁଳନାରେ ସୂର୍ଯ୍ୟକ୍ଷେତ୍ରର ଖ୍ୟାତି ଅଳ୍ପ ଥିଲା । ନରସିଂହଦେବଙ୍କର ଶାରୀରିକ ବୈକଲ୍ୟ ମଧ୍ୟ ଗୋଟିଏ କାରଣ ହୋଇଥାଇପାରେ ବୋଲି କିଛି ଐତିହାସିକ କହିଥାଆନ୍ତି । ତାଙ୍କର ମେରୁଦଣ୍ଡ ଶେଷରେ କିଛି ବୃଦ୍ଧି ଥିଲା ଯେଉଁ କାରଣରୁ ତାଙ୍କୁ "ଲାଙ୍ଗୁଡ଼ା' କୁହାଯାଉଥିଲା । ହୁଏତ ପୌରାଣିକ ପୁରୁଷ ଶାମ୍ବ ଭଳି ସେ ମଧ୍ୟ ସୂର୍ଯ୍ୟ ପୂଜା କରି ଶାରୀରିକ ବୈକଲ୍ୟରୁ ମୁକ୍ତି ପାଇବାର ଚିନ୍ତା କରିଥାଇ ପାରନ୍ତି ।

ଆହୁରି ମଧ୍ୟ ଗୋଟିଏ କାରଣ ଥାଇପାରେ, ଯାହା ଏ ଲେଖକର ନିଜସ୍ୱ ମତ ଏବଂ ଯାହା ଗଢ଼ିଉଠିଛି ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି କୋଣାର୍କ ଅନୁଶୀଳନ ଫଳରେ । ପୂରା କାଳରେ ରାଜାମାନେ ରାଜ୍ୟ ଜୟ କରୁଥିଲେ କାହିଁକି ? ଧନ ସମ୍ପତ୍ତି ଅର୍ଜ୍ଜନ ଗୋଟିଏ ଗୌଣ କାରଣ । ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଗୋଟିଏ ବିଶାଳ ଓ ସମୃଦ୍ଧ ଭୂଖଣ୍ଡରେ ରାଜନୈତିକ ସ୍ଥିରତା, ଅର୍ଥନୈତିକ ବିକାଶ ଓ ବୌଦ୍ଧିକ ବିକାଶ ସୃଷ୍ଟି କରିବା । ୭୨୪ ଠାରୁ ୭୬୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ହିନ୍ଦୁ ଲଳିତାଦିତ୍ୟ କନ୍ୟାକୁମାରୀଠାରୁ କାଶ୍ମୀର ଯାଏ ରାଜ୍ୟକୁ ଗୋଟିଏ ଶାସନଡୋରିରେ ବାନ୍ଧି ବର୍ତ୍ତମାନର ପହେଲ ଗାଁ ଠାରୁ ୩୨ କିଲୋମିଟର ଦୂରରେ ପ୍ରସିଦ୍ଧ ମାର୍ତ୍ତଣ୍ଡ ମନ୍ଦିର ଗଢ଼ିଥିଲେ କାହିଁକି ? ସେ ହୁଏତ ସୂର୍ଯ୍ୟ ପୂଜାରେ ସର୍ବଧର୍ମ ସମନ୍ୱୟର ସୂତ୍ର ଗୋଟିଏ ଖୋଜି ପାଇଥିଲେ । ଧର୍ମ ମତ ନିର୍ବିଶେଷରେ ସୂର୍ଯ୍ୟଙ୍କ କରୁଣା ସମସ୍ତଙ୍କ ଉପରେ ବର୍ଷିତ ହୋଇଥାଏ । ସୂର୍ଯ୍ୟପୂଜା ପ୍ରକୃତ ପକ୍ଷେ ଧର୍ମ ନିରପେକ୍ଷ । ବିଶ୍ୱର ସର୍ବ ବୃହତ ଓ ସର୍ବଶ୍ରେଷ୍ଠ ମନ୍ଦିର ଗଢ଼ି ତୋଳିବା ପଛରେ ଏଇ ଆଦର୍ଶ ହୁଏତ ନରସିଂହଦେବଙ୍କ ମନରେ କାର୍ଯ୍ୟ କରିଥିଲା । ଏପରି ଚିନ୍ତା ଖାଲି ଏ ସାମାନ୍ୟ ଲେଖକ ମନକୁ ଛୁଇଁନାହିଁ । ସୁଲେଖକ ହରପ୍ରସାଦ ଦାସ ମଧ୍ୟ ""ଓଡ଼ିଆ ଜାତିର ଜୀବନ କଥାରେ ଏହିପରି ମତବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି -""ଯିଏ ଯାହାର ହୁଅନ୍ତୁ, ସୂର୍ଯ୍ୟ ସମସ୍ତଙ୍କର, ସେଠି ଧର୍ମଭେଦ ନାହିଁ କି ପନ୍ଥା ଭେଦ ନାହିଁ । ପ୍ରଥମ ଗଜପତି ନରସିଂହଦେବ । ଅଖଣ୍ଡ ଭାରତର ପ୍ରଥମ ଚିନ୍ତକ ନରସିଂହ ଦେବ.... । (ସମ୍ବାଦ-୧୯-୯-୨୦୦୯)

"ନରସିଂହଦେବ, ଅଖଣ୍ଡ ଭାରତର ପ୍ରଥମ ଚିନ୍ତକ'- ଏହା ସତ୍ୟ ନୁହେଁ କିନ୍ତୁ ଏକଥା ସତ୍ୟ, ନରସିଂହଦେବ ଚାହିଁଥିଲେ ଗୋଟିଏ ବିଶାଳ ଶାନ୍ତିପୂର୍ଣ୍ଣ ଦେଶ ଯେଉଁଠାରେ ଧର୍ମଭେଦ ଭାବ ନ ରହି ସୂର୍ଯ୍ୟଦେବତାଙ୍କ ସର୍ବବ୍ୟାପକତା ପ୍ରଭାବରେ ସର୍ବତ୍ର ଶାନ୍ତି ବିରାଜମାନ କରିବ ।

ଅର୍କକ୍ଷେତ୍ର କୋଣାର୍କ . ୨୩