ପୃଷ୍ଠା:Arkakshetra konark.pdf/୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ଡିତ କୃପାସିନ୍ଧୁ ମିଶ୍ର କୋଣାର୍କ ମନ୍ଦିରର ଗଠନ କାଳ ନିର୍ଣ୍ଣୟ କରିବାକୁ ଯାଇ ମାଦଳାପାଞ୍ଜିରୁ ନିମ୍ନୋକ୍ତ ଘଟଣାଗୁଡ଼ିକ ବ୍ୟକ୍ତ କରିଛନ୍ତି ।(୪୦)

ଶାମ୍ବ ପାପମୁକ୍ତ ହୋଇ ଦ୍ୱାରକା ପ୍ରସ୍ଥାନ କରିବା ଦିନଠାରୁ କୋଣାର୍କ କ୍ଷେତ୍ରରେ ଚନ୍ଦ୍ରଭାଗା ଉପରେ ନିର୍ମିତ ମନ୍ଦିରରେ ମିତ୍ରାଦିତ୍ୟ ସୂର୍ଯ୍ୟ ପ୍ରତିଷ୍ଠିତ ହୋଇଥିଲେ । ତତ୍‍ପରେ ରାଜାମାନେ ବହୁ ଯୁଗଧରି ସେହିଠାରେ ସୂର୍ଯ୍ୟ ଉପାସନା କରି ଆସୁଥିଲେ । କେଶରୀ ବଂଶୀୟ ୪୪ ଜଣ ରାଜାଙ୍କ ମଧ୍ୟରେ ତ୍ରିଂଶତମ ରାଜା ପୁରନ୍ଦର କେଶରୀ ଏହି ସ୍ଥାନରେ ଗୋଟିଏ ମନ୍ଦିର ନିର୍ମାଣ କଲେ ଏବଂ ସୂର୍ଯ୍ୟଦେବଙ୍କ ପୂଜାପାଇଁ ଆଠଟି ବ୍ରାହ୍ମଣଶାସନ ବସେଇ ଦେଲେ । ଏହାର ବହୁକାଳ ପରେ ଗଙ୍ଗବଂଶର ଅନଙ୍ଗଭୀମଦେବଙ୍କ ପୁତ୍ର ବଡ଼ରାୟ ନରସିଂହଦେବ ପୁରନ୍ଦର କେଶରୀଙ୍କ ମନ୍ଦିର ଜୀର୍ଣ୍ଣ ହୋଇଥିବାର ଦେଖି ତାହା ସମ୍ମୁଖରେ ପଦ୍ମତୋଳା ନାମକ ଗଣ୍ଡ ଉପରେ ନୂତନ ମନ୍ଦିରଟିଏ ଗଢ଼ିବାକୁ ଆପଣାର ଦ୍ୱିତୀୟ ମନ୍ତ୍ରୀ ଶିବ ସାମନ୍ତରାୟ ମହାପାତ୍ରଙ୍କ ଉପରେ ଭାର ଦେଲେ । ମନ୍ଦିର ନିର୍ମାଣ ଶେଷ ହେଲା ଏବଂ ପୁରନ୍ଦରଙ୍କ ମନ୍ଦିରରୁ ବିଗ୍ରହ ଆଣି ନୂତନ ମନ୍ଦିରରେ ପ୍ରତିଷ୍ଠା କରାଗଲା । ଏହା ପରେ କୃପାସିନ୍ଧୁ ପୁଣି ମାଦଳା ପାଞ୍ଜିରେ ବର୍ଣ୍ଣିିତ ଗୋଟିଏ ମୋହରର ପାଠୋଦ୍ଧାର କରି କହିଛନ୍ତି, ୧୨୦୪ ଶକାବ୍ଦ ଅର୍ଥାତ୍‍ ୧୨୮୨ ଖ୍ରୀଷ୍ଟାବ୍ଦ ଯାଏ ନରସିଂହ ଦେବ ୪୫ ବର୍ଷ ରାଜତ୍ୱ କରିଥିଲେ ଏବଂ ଅଂଶୁମାଳୀ (ସୂର୍ଯ୍ୟ)ଙ୍କ ମନ୍ଦିର ୧୨୦୦ ଶକାବ୍ଦ ଅର୍ଥାତ୍‍ ୧୨୭୮ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା ।

ବଂଶ ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ୭୦ ବର୍ଷ ରାଜତ୍ୱ କଲା ଭଳି ଏହା ମଧ୍ୟ ଅବାସ୍ତବ ମନେ ହେଉଛି । ଦ୍ୱିତୀୟ ନରସିଂହଦେବ ତାଙ୍କର ବିଖ୍ୟାତ ପୂର୍ବଜ ପ୍ରଥମ ନରସିଂହଦେବଙ୍କ ପ୍ରଶସ୍ତି ଗାନକରିବାପାଇଁ ୧୨୯୫ ଖ୍ରୀଷ୍ଟାବ୍ଦରେ ଗୋଟିଏ ତମ୍ବାପଟ୍ଟା ଅନୁଶାସନ ପ୍ରକାଶ କରିଥିଲେ ।(୪୧) ପ୍ରଥମ ନରସିଂହଦେବ ଯେବେ ୧୨୮୨ ଯାଏ ସିଂହାସନରେ ଥିଲେ, ଏ ତାମ୍ରପଟ୍ଟା ଢଳା ଯାଇଥିଲା ମାତ୍ର ୧୪ ବର୍ଷ ପରେ । ମଝିର ପ୍ରଜନ୍ମଗୁଡ଼ିକ କୁଆଡ଼େ ଗଲେ ? ଏପରିକି କୃପାସିନ୍ଧୁ ପ୍ରଦତ୍ତ ବଂଶାବଳୀ ୧ନମ୍ବର ସାରଣୀ ଅନୁଯାୟୀ ପ୍ରଥମ ନରସିଂହଦେବଙ୍କ ପୁତ୍ର ଭାନୁଦେବ ୧୫ ବର୍ଷ ରାଜତ୍ୱ କରିଥିଲେ । ପରବର୍ତ୍ତୀ ରାଜାମାନଙ୍କ ଶାସନ କାଳର ଗୋଟିଏ ତାଲିକା ଇଣ୍ଟରନେଟ୍‍ରୁ ମିଳୁଛି, ଯାହା ନିମ୍ନରେ ଉଦ୍ଧୃତ ହେଲା ।

ନରସିଂହଦେବ (୧) ୧୨୩୮-୧୨୬୪ ଖ୍ରୀଷ୍ଟାବ୍ଦ
ଭାନୁଦେବ (୧) ୧୨୬୪-୧୨୭୯ ଖ୍ରୀଷ୍ଟାବ୍ଦ
ନରସିଂହଦେବ (୨) ୧୨୭୯-୧୩୦୬ ଖ୍ରୀଷ୍ଟାବ୍ଦ
ଭାନୁଦେବ (୨) ୧୩୦୬-୧୩୨୮ ଖ୍ରୀଷ୍ଟାବ୍ଦ
ନରସିଂହଦେବ (୩) ୧୩୨୮-୧୩୫୨ ଖ୍ରୀଷ୍ଟାବ୍ଦ
ଭାନୁଦେବ (୩) ୧୩୫୨-୧୩୭୮ ଖ୍ରୀଷ୍ଟାବ୍ଦ
ନରସିଂହଦେବ (୪) ୧୩୭୮-୧୪୧୪ ଖ୍ରୀଷ୍ଟାବ୍ଦ
ଭାନୁଦେବ (୪) ୧୪୧୪-୧୪୩୪ ଖ୍ରୀଷ୍ଟାବ୍ଦ

କୃପାସିନ୍ଧୁ ପ୍ରଦତ୍ତ ମାଦଳା ପାଞ୍ଜି ପାଠ ଅନୁଯାୟୀ ଯେବେ ପ୍ରଥମ ନରସିଂହଦେବ ୧୨୮୨ ଯାଏ ରାଜତ୍ୱ କରିଥିଲେ ଏବଂ ମନ୍ଦିର ନିର୍ମାଣ ଶେଷ ହେଲା ୧୨୭୮ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବଙ୍କ ପୁତ୍ର ପ୍ରଥମ ଭାନୁଦେବଙ୍କୁ ସଂପୂର୍ଣ୍ଣ ବାଦ୍‍ ଦେବାକୁ ପଡ଼ିବ । ଏହା ଐତିହାସିକ ଅସତ୍ୟ ହେବ ।

କରୁଣାସାଗରଙ୍କ ମତରେ ଓଡ଼ିଶାରେ ଗଙ୍ଗବଂଶ ରାଜତ୍ୱ କରିଥିଲେ ୧୧୧୨ ଖ୍ରୀଷ୍ଟାବ୍ଦଠାରୁ ୧୪୩୫ ଖ୍ରୀଷ୍ଟାବ୍ଦ ଯାଏ । (Konark-Vol-I,P-80)୧୧୧୨ ଚୋଡ଼ଗଙ୍ଗଦେବଙ୍କ ଆଗମନ ପ୍ରତିଷ୍ଠିତ ହୋଇଛି, ଏହା ପୂର୍ବେ ନରସିଂହଦେବଙ୍କ ଶାସନକାଳ ବହୁବାର ପ୍ରମାଣିତ ହୋଇଛି,ବଂଶର ଶେଷ ନରପତି ଚତୁର୍ଥ ଭାନୁଦେବଙ୍କ ଶାସନକାଳ କରୁଣାସାଗରଙ୍କ ତଥ୍ୟ ସହିତ ମିଶି ଯାଉଛି । ଉପରୋକ୍ତ ବଂଶ ତାଲିକାକୁ ସନ୍ଦେହ କରିବାର କିଛି କାରଣ ନାହିଁ ।

ମାଦଳାପାଞ୍ଜିରେ ବର୍ଣ୍ଣିିତ ମୋହର, ଯେଉଁଥିରେ ନରସିଂହଦେବ ୧୨୮୨ଯାଏ ରାଜତ୍ୱ କରିଥିବା କଥା କୁହାଯାଇଛି, ବିଶ୍ୱାସଯୋଗ୍ୟ ନୁହେଁ । ଦେଖାଯାଉଛି ମାଦଳା ପାଞ୍ଜି ମଧ୍ୟ ସଂପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ । ବର୍ଷର ଗଣ୍ଡଗୋଳ ଥିଲେ ମଧ୍ୟ ଉପରୋକ୍ତ ତଥ୍ୟରୁ ଗୋଟିଏ ସାରକଥା ବାହାରୁଛି, ବହୁ ବର୍ଷ ପୂର୍ବେ କେଶରୀ ବଂଶର କେହି ଜଣେ ରାଜା (ପୁରନ୍ଦର କେଶରୀ ମଧ୍ୟ ବିବାଦାତ୍ମକ) କୋଣାର୍କ ଚନ୍ଦ୍ରଭାଗାଠାରେ ଗୋଟିଏ ସୂର୍ଯ୍ୟ ମନ୍ଦିର ଗଢ଼ିଥିଲେ, ଯାହା ସମ୍ମୁଖରେ ବହୁ ବର୍ଷ ପରେ ନରସିଂହଦେବ ଆଉ ଗୋଟିଏ ମନ୍ଦିର ଗଢ଼ିଲେ ।

ପଣ୍ଡିତ କୃପାସିନ୍ଧୁଙ୍କ ବ୍ୟତୀତ ଅନ୍ୟାନ୍ୟ ପ୍ରତିଷ୍ଠିତ ଐତିହାସିକମାନେ ମଧ୍ୟ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି, ଯାହା ପ୍ରାୟଶଃ ପରସ୍ପର ବିରୋଧୀ । ଅଙ୍କ ବର୍ଷର ହିସାବ, ବିଷୟଟିକୁ ଆହୁରି ଜଟିଳ କରିଛି ।

୨୪ . ଅର୍କକ୍ଷେତ୍ର କୋଣାର୍କ