ପୃଷ୍ଠା:Asha Tara Dekhiba.pdf/୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଆମ ଗୋଡ଼ ତଳକୁ) ଖଗୋଳ ଉପରେ ଥିବା ବିନ୍ଦୁକୁ ଅଧୋବିନ୍ଦୁ (ନାଦିର୍) କୁହାଯାଏ । ଏହି ଅଧୋବିନ୍ଦୁକୁ ଆମେ ଅବଶ୍ୟ ଦେଖି ପାରିବା ନାହିଁ । ସୁବିନ୍ଦୁର ୯୦ଂ ଉତ୍ତର ଓ ୯୦ଂ ଦକ୍ଷିଣକୁ ଆମର ଦିଗବଳୟ ରହିବ। ଏହା ହେବ ଆମର ଦେଖିବାର ସୀମା ।

ଦୁଇ ମେରୁ ଓ ସୁବିନ୍ଦୁ ଦେଇ ଗୋଟିଏ କାଳ୍ପନିକ ବୃତ୍ତ ଟଣା ଯାଇପାରିବ। ଏହାକୁ ଶୀର୍ଷବୃତ୍ତ (ମେରିଡ଼ିଆନ୍) କୁହାଯାଏ । ମୁଣ୍ଡ ଉପର ଦେଇ ଯାଉଥିବା ଏହି ଗାରକୁ ଟପୁଥିବା ସମୟକୁ ନେଇ ତାରାମାନଙ୍କ ଚିହ୍ନିବା ଗୋଟିଏ ସୁବିଧା ଉପାୟ ।

ଅକ୍ଷାଂଶ ଅନୁସାରେ ପୃଥିବୀର ବିଭିନ୍ନ ଜାଗାରୁ ଦିଗବଳୟ ଅଲଗା ଅଲଗା ଦେଖାଯିବ । ବିଷୁବ ରେଖା ଉପରୁ (o ଅକ୍ଷାଂଶ) ଦେଖିଲେ ଖଗୋଳର ଦୁଇ ମେରୁ ଦିଗ୍‌ବଳୟ ଉପରେ ରହିବ । ମେରୁ ବିନ୍ଦୁରୁ ଦେଖିଲେ ଖଗୋଳ ବିଷୁବ ହିଁ ଦିଗ୍‌ବଳୟ ହେବ। ଉତ୍ତର ମେରୁରୁ ଦେଖିଲେ କେବଳ ଉତ୍ତର ଗୋଲାର୍ଦ୍ଧର ତାରାଗୁଡ଼ିକ ଦେଖାଯିବେ । ଦକ୍ଷିଣରେ ଠିକ୍ ଏହାର ଓଳଟା ହେବ । ବିଷୁବ ରେଖା ଉପରୁ ଉଭୟ ଗୋଲାର୍ଦ୍ଧର ବା ସାରା ଖଗୋଳର ତାରା ଦେଖିହେବ । ଆମେ ଯେତେ ଉତ୍ତର ଆଡ଼କୁ ଯିବା ସେତେ କମ୍ ଦକ୍ଷିଣ ତାରା ଦେଖାଯିବେ।

ଆମେ ଜଦି ୨୦ଂ ଉତ୍ତର ଅକ୍ଷାଂଶ (ମୋଟାମୋଟି ଓଡ଼ିଶା ଅଞ୍ଚଳ)ରୁ ଦେଖିବା ତେବେ ଉତ୍ତରରେ ଆମେ ସୁମେରୁ ଟପି ୨୦ଂ (+୭୦ଂ କ୍ରାନ୍ତି) ପର୍ଯ୍ୟନ୍ତ ଦେଖି ପାରିବା । ଧ୍ରୁବ ତାରା ଉତ୍ତର ଦିଗବଳୟର ୨୦ଂ ଉପରକୁ ଦେଖାଯିବ । ଦକ୍ଷିଣରେ ବିଷୁବ ରେଖା ଟପି ଆମେ -୭୦ଂ କ୍ରାନ୍ତି ପର୍ଯ୍ୟନ୍ତ ଦେଖି ପାରିବା । -୭୦ଂର ଦକ୍ଷିଣକୁ ଥିବା ତାରାମାନଙ୍କୁ ଆମେ ଏଠାରେ କେବେ ହେଲେ ଦେଖି ପାରିବା ନାହଁ । ଉତ୍ତରରେ ମେରୁଠାରୁ ୨୦ଂ ତଳ ପର୍ଯ୍ୟନ୍ତ (କ୍ରାନ୍ତି +୭୦ଂରୁ +୯୦ଂ) ଆକାଶ ଆମେ ସାରା ରାତି ଦେଖି ପାରିବା । ଏଠାରେ ଥିବା ତାରାମାନଙ୍କର ଉଦୟ ଅସ୍ତ ରହିବ ନାହିଁ । ତେଣୁ ଏମାନଙ୍କୁ ନିରସ୍ତ ବା ସରକମପୋଲାର ତାରା କୁହାଯାଏ।

[[ଫାଇଲ:|357px|page=30]]