ପୃଷ୍ଠା:Asha Tara Dekhiba.pdf/୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତୀତ ବାର୍ଷିକ ଗତି

ପୃଥିବୀର ଆବର୍ତ୍ତନ ବା ନିଜ ଚାରିପଟେ ବୁଲିବା ଫଳରେ ଖଗୋଳ ମଣ୍ଡଳ ଆମ ଚାରିପଟେ ବୁଲୁଥିବା ଭଳି ଜଣାଯାଏ । ଏହା ଯୋଗୁ ସୂର୍ଯ୍ୟ, ତାରା ଆଦି ପୂର୍ବ ଦିଗ୍‌ବଳୟ ଉପରକୁ ଆସନ୍ତି (ଉଦୟ) ଓ ପଶ୍ଚିମ ଦିଗ୍‌ବଳୟ ତଳକୁ ଯାଆନ୍ତି (ଅସ୍ତ) । ଏହି ଦୈନିକ ଗତିର ବେଗ ୨୪ ଘଣ୍ଟାରେ ୩୬୦o (ଏକ ଘେରା) ବା ଘଣ୍ଟାକୁ ୧୫o କୋଣ । ତେଣୁ ଏହା ସ‌ହଜରେ ଜଣାପଡ଼ିଯାଏ ଓ ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ଆମ ମୁଣ୍ଡ ଉପରେ ଚାଲୁଥିବା କଥା ଆମେ ସ‌ହଜରେ ଅନୁଭବ କରିପାରୁଛେ ।

ଗୋଟିଏ ଆବର୍ତ୍ତନ କାଳ (୧ ଦିନ ବା ୨୪ ଘଣ୍ଟା) ଭିତରେ ଆମ ଆକାଶର ସବୁତକ ତାରା ଆମ ମୁଣ୍ଡ ଉପର ଦେଇ ଯାଆନ୍ତି । କିନ୍ତୁ ସୂର୍ଯ୍ୟର ଅତି ପାଖରେ (ପ୍ରାୟ ୧୫o ପୂର୍ବ ଓ ୧୫o ପଶ୍ଚିମ) ଥିବା ତାରାମାନଙ୍କୁ ଆମେ ଦେଖିପାରୁନାହିଁ ।

ତେବେ ଖୁସିର କଥା ଯେ ସୂର୍ଯ୍ୟ ତାରାମାନଙ୍କ ଭିତରେ ସ୍ଥିର ହୋଇ ରହୁନାହିଁ । ତେଣୁ ଏବେ ଯେଉଁ ତାରା ସୂର୍ଯ୍ୟ ପାଖରେ ରହି ଆମକୁ ଦେଖାଯାଉନାହିଁ, କିଛି ଦିନପରେ ସୂର୍ଯ୍ୟ ତା' ପାଖରୁ ଦୂରେ ଯିବ ଓ ତାରାଟିକୁ ଆମେ ରାତି ସମୟରେ ଦେଖି ପାରିବା । ତାରାଙ୍କ ଭିତରେ (ଖଗୋଳ ମଣ୍ଡଳରେ) ସୂର୍ଯ୍ୟର ଏହି ଗତି ପ୍ରକୃତରେ ପୃଥିବୀର ବାର୍ଷିକ ଗତିର ଫଳ । ପୃଥିବୀ ସୂର୍ଯ୍ୟର ଚାରିପଟେ ପଶ୍ଚିମରୁ ପୂର୍ବକୁ ବୁଲେ । ତେଣୁ ଆକାଶରେ ତାରାମାନଙ୍କ ଭିତରେ ସୂର୍ଯ୍ୟ ପଶ୍ଚିମରୁ ପୂର୍ବକୁ ଗଲା ଭଳି ମନେ ହୁଏ । ଚିତ୍ରରେ ଦେଖାଯାଉଥିବା ଭଳି ପୃଥିବୀ ୧ ଠାରେ ଥିଲା ବେଳେ ସୂର୍ଯ୍ୟ ତାରା 'କ' ପାଖରେ ଥିବା ଭଳି ମନେ ହେବ । ଆଉ ୨ଠାରୁ ଦେଖିଲେ ସୂର୍ଯ୍ୟ ତାରା 'ଖ' ପାଖରେ ଦେଖାଯିବ ।