ପୃଷ୍ଠା:Asha Tara Dekhiba.pdf/୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶର ମାନଚିତ୍ର

ସୂର୍ଯ୍ୟର ଅତି ପାଖରେ ଥିବା ତାରାଗୁଡ଼ିକୁ ଆମେ ଦେଖି ପାରୁନାହିଁ । କିନ୍ତୁ ସୂର୍ଯ୍ୟର ପଶ୍ଚିମକୁ ଥିବା ତାରାଙ୍କୁ ଆମେ ସୂର୍ଯ୍ୟ ଉଦୟର ଠିକ୍ ଆଗରୁ ପୁର୍ବ ଦିଗବଳୟ ଉପରେ ଦେଖିବା । ସେହିପରି ସୂର୍ଯ୍ୟ ପାଖରେ ପୂର୍ବକୁ ଥିବା ତାରାଙ୍କୁ ଆମେ ସୂର୍ଯ୍ୟ ବୁଡିବା ପରେ ପରେ ପଶ୍ଚିମ ଦିଗ୍‌ବଳୟ ପାଖରେ ଦେଖିବା । ଏଥିରୁ ଆମେ ସୂର୍ଯ୍ୟ କେଉଁ ତାରା ପାଖରେ ଅଛି ତାହା ହିସାବ କରି କହି ପାରିବା । ସେହିଭଳି ହିସାବରୁ କେଉଁ ତାରା କେବେ କେଉଁଠି ଦେଖାଯିବ, ତାହା ମଧ୍ୟ ଜାଣି ପାରିବା । ଏସବୁକୁ ନେଇ ଆକାଶର ଅନେକ ମାନଚିତ୍ର ତିଆରି କରା ଯାଇଛି । ଏହା ଆକାଶ ବିଜ୍ଞାନୀମାନଙ୍କୁ ନୂଆ ଆବିଷ୍କାରରେ ସାହାଯ୍ୟ କରୁଛି । ସାଧାରଣ ତାରା ଦେଖାଳୀଙ୍କର ତାରା ଚିହ୍ନଟ କାମରେ ମଧ୍ୟ ଲାଗୁଛି ।

ଭୂଗୋଳ ପଢିଲା ବେଳେ ଆମେ ଭୂଗୋଲକ ବା ଗ୍ଲୋବ୍ ବ୍ୟବହାର କରିଛେ । ଏହା ପୃଥିବୀର ପ୍ରକୃତ ଆକାର, ଜାଗା ସବୁର ଅବସ୍ଥିତି ଓ ଦୂରତା ଆଦି ସୂଚାଇ ଦିଏ । କିନ୍ତୁ କୌଣସି ଅଞ୍ଚଳ ବିଷୟରେ ଅଧିକ ତଥ୍ୟ ଦେଖାଇବା ଏହା ଦେହରେ ସମ୍ଭବ ନୁହେଁ । ଏହାକୁ ନେବା, ଆଣିବା ଓ ରଖିବା ମଧ୍ୟ କଷ୍ଟ । କାଗଜର ମାନଚିତ୍ରଟିଏ କିନ୍ତୁ ବେଶ ସୁବିଧାର ଜିନିଷ । ଚେପ୍‌ଟା ମାନଚିତ୍ରଟି ଗ୍ଲୋବ୍‌ର ବର୍ଣ୍ଣନାକୁ ଯେତେଦୂର ସମ୍ଭବ ବୁଝାଏ ।

ଖଗୋଳ ମଣ୍ଡଳର କଥା ଠିକ୍ ଏହିଭଳି । ନିଜ ନିଜର ସ୍ଥାନ (କ୍ରାନ୍ତି ଓ ଧ୍ରୂବ) ଅନୁସାରେ ତାରାମାନଙ୍କୁ ଗୋଟିଏ ବଡ଼ ଗୋଲକ ଉପରେ ଖଞ୍ଜି ଦେଇହେବ । ଏହା ହେବ ଆମର ଆକାଶ-ଗ୍ଲୋବ୍ । କିନ୍ତୁ ଭୂଗୋଲକ ଭଳି ଏହାର ବ୍ୟବହାର ବେଶ୍ ଅସୁବିଧାଜନକ ହୁଏ । ତେଣୁ ଆକାଶର ସମତଳ ମାନ‌ଚିତ୍ର ତିଆରି ପାଇଁ କେତେ ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ପୃଥିବୀର ମାନଚିତ୍ର ତିଆରି ସହିତ ସମାନ ।

ଗୋଟିଏ ଉପାୟ ହେଉଛି ଗୋଟିଏ ସମତଳ ପୃଷ୍ଠାରେ ଗୋଲକର ଛାଇ ବା ପ୍ରତିବିମ୍ବକୁ ମାନଚିତ୍ର ଭାବରେ ବ୍ୟବହାର କରିବା । ଏପରି ମାନଚିତ୍ରରେ ଗୋଲକ ଉପରେ ଥିବା ସବୁ ବିନ୍ଦୁର ଛବି ରହି ଥାଏ । କିନ୍ତୁ ଉପର (ମେରୁ) ଅଞ୍ଚଳର ଦୂରତାଗୁଡିକ ଠିକ୍ ଥିଲେ ମଧ୍ୟ ମଝି

୪୪