ପୃଷ୍ଠା:Asha Tara Dekhiba.pdf/୭୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଅଞ୍ଚଳରେ । ତେଣୁ ଏହି ରାଶି ମଣ୍ଡଳର ଏକ ବିଶେଷ ସ୍ଥାନ ରହିଛି । କର୍କଟ ମଣ୍ଡଳର ମଝି ଭାଗରେ ରହିଛି ପୁଷ୍ୟ ପୁଞ୍ଜ (ନକ୍ଷତ୍ର) । ମହୁଫେଣା ବା କଦମ୍ବ ଫୁଲ ଆକାରର ଏହି ବିକ୍ଷିପ୍ତ ତାରାପୁଞ୍ଜରେ ୩୦୦ରୁ ଅଧିକ ତାରା ରହିଛନ୍ତି । ଦୂରବୀକ୍ଷଣ ଯନ୍ତ୍ରରେ ଏହାର ଦୃଶ୍ୟ ଖୁବ୍ ମନୋରମ ।

ଉତ୍ତର ଦିଗରେ ସିଂହର ଉପରକୁ ଆମର ଅତି ପରିଚିତ ସପ୍ତର୍ଷି ମଣ୍ଡଳ ଦେଖାଯିବ । ଲଙ୍ଗଳ ବା ବଡ ଡଙ୍କି ଭଳି ସଜାଇ ହୋଇ ରହିଥିବା ପ୍ରାୟ ଏକା ଉଜଳତାର ୭ଟି ତାରାଙ୍କୁ ଖୁବ୍ ସହଜରେ ଚିହ୍ନି ହୁଏ । କେତେ ଦେଶରେ ଏହି ସାତ ତାରା ଓ ପାଖାପାଖି କମ୍ ଉଜଳ ତାରାମାନଙ୍କୁ ମିଶାଇ ଗୋଟିଏ ବଡ ଭାଲୁର କଳ୍ପନା କରାଯାଇଛି । ସେଠାକାର ଲୋକକଥାରେ ଏହି ବଡ ଭାଲୁଟି ପାଖରେ ଥିବା ଛୋଟ ଭାଲୁ (ଶିଶୁମାର ମଣ୍ଡଳ) ର ଚାରିପଟେ ବୁଲୁଛି ।


[[ଫାଇଲ:|357px|page=77]]

ଆମ ଦେଶରେ ପ୍ରାୟ ସଭିଙ୍କର ତାରା ଚିହ୍ନା ଆରମ୍ଭ ହୁଏ ଏହି ସପ୍ତର୍ଷ ମଣ୍ଡଳରୁ । ଏଥିରୁ ଧ୍ରୁବ ଓ ଅନ୍ୟ କେତେ ତାରାଙ୍କୁ ସହଜରେ ଜାଣିହୁଏ- ତେଣୁ ସପ୍ତର୍ଷି ଆକାଶରେ ଆମର ବାଟ ଦେଖାଳୀ ଭଳି କାମ କରେ । ଏହାର ବଶିଷ୍ଠ-ଅରୁନ୍ଧତୀ ଯୋଡିଙ୍କୁ ଅଲଗା ବାରିବା ଦୃଷ୍ଟି ଶକ୍ତିର ଏକ ଅତି ପୁରୁଣା ପରୀକ୍ଷା । ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ବଶିଷ୍ଠ ଦେହରେ ବି ଦୁଇଟି ତାରା ଦେଖାଯିବ । ଏହାର ତାରା ‘ଗ’ ଓ ‘କ' କୁ ମିଶାଇ ଉତ୍ତରକୁ ବଢାଇଲେ ପ୍ରାୟ ସମାନ ଦୂରତାରେ ଦୁଇଟି ନୀହାରିକା (ମ ୮୧, ମ ୮୨) ଦେଖିହେବ ।

୭୬