ପୃଷ୍ଠା:Bhasa o Jatiyata.pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ଭାଷା ଓ ଜାତୀୟତା
 

ଆଜି ନିଜର ଭୂମି, ଲିପି, ବ୍ୟାକରଣ ଏବଂ ଶେଷରେ ନିଜର ସତ୍ତାକୁ ହରାଇ ବସିଛି ନିଜ ଉତ୍ତରପୁରୁଷଙ୍କ ଦ୍ୱାରା । ଫଳରେ ଏକ ଉନ୍ନତ ବଳିଷ୍ଠ ଭାଷାରୁ ମୈଥିଳୀ ଉପଭାଷାରେ ପ‌ହ‌ଞ୍ଚି ଏବେ ମୃତଭାଷା ଘୋଷଣା ହେବାକୁ କେତୋଟି ବର୍ଷର ଅପେକ୍ଷାରେ ଅଛି ।

ଏହି ଛଅଟି ଭାଷା ଦୃଷ୍ଟାନ୍ତରୁ ଜଣାପଡ଼େ ଭାଷା ଯେତେ ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିଲେ ମଧ୍ୟ ଯଦି ବ୍ୟବ‌ହାରିକ କାର୍ଯ୍ୟରେ ନ ଲାଗିବ, ସେ ଭାଷା ନିଶ୍ଚିତ ଭାବରେ ଲୋପ ପାଇଯିବ । ଅଥଚ ଗୋଟିଏ ଭାଷା ବିଜ୍ଞାନସମ୍ମତ ହୋଇ ନ ଥିଲେ ମଧ୍ୟ, ଯଦି ଶାସକୀୟ ପୃଷ୍ଠପୋଷକତା ପାଇ ସାଧାରଣ ଜନତାଙ୍କ ବ୍ୟବ‌ହାର ଉପ‌ଯୋଗୀ ହୁଏ; ତେବେ ସେ ଭାଷା ଗତିଶୀଳ, ଜୀବନ୍ତ ତ‌ଥା ଜନସାଧାରଣରେ ଆଦୃତ ହୋଇପାରିବ ।

ଦୁଃଖର କଥା ଗୋଟିଏ ଜାତିର ଉତ୍‌ଥାନ ଓ ପତନରେ ମାତୃଭାଷାର ମୁଖ୍ୟ ଭୂମିକା ଥିବାବେଳେ ଆମେ ଓଡ଼ିଶାବାସୀ ଏ ପର୍ଯ୍ୟନ୍ତ ଏହି ସତ୍ୟଠାରୁ ବ‌ହୁ ଦୂରରେ ଅଛୁ । ଶୋଷକ ବଣିକ ଇଂରେଜ‌ଜାତି ଆମ‌ମାଟି ଛାଡି ଚାଲିଗଲେ ମଧ୍ୟ ସେମାନଙ୍କ ଶାସନପଦ୍ଧତିକୁ ଅନୁସରଣ କରୁଥିବା ଆମ ପ୍ରଶାସନିକବ୍ୟବସ୍ଥା ଏ ପର୍ଯ୍ୟନ୍ତ ସେମାନଙ୍କ ଭାଷା ଇଂରାଜୀକୁ ଜାବୁଡିଧରିଛି । ସବୁଠାରୁ ଦୁଃଖର ବିଷୟ ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଦିଆଯାଇଥିବା ୨୨ଟି ଭାରତୀୟ ଭାଷା ତାଲିକା ମଧ୍ୟରେ ଓଡିଆ ଭାଷା ଥିବାବେଳେ ଇଂରାଜୀଭାଷାର ନାମ ନାହିଁ । ସମଗ୍ର ଭାରତବର୍ଷର ସଂଘୀୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରାଜ୍ୟଗଣ ନିଜନିଜ ରାଜ୍ୟରେ ମାତୃଭାଷାକୁ ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମଗ୍ର ଶିକ୍ଷାକ୍ଷେତ୍ରରେ ପ୍ରଚଳନ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ଦେଉଛନ୍ତି । ଏପରିକି କେନ୍ଦ୍ରସରକାର ମଧ୍ୟ ସର୍ବଭାରତୀୟ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାକୁ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି । କେବଳ ଓଡ଼ିଶାରାଜ୍ୟ ଏହି ନିୟମକୁ ଏପର୍ଯ୍ୟନ୍ତ ବ୍ୟତିକ୍ରମ କରିଆସୁଛି ।

ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା, ବାର୍ଷିକ ବଜେଟ୍ ଓଡ଼ିଆଭାଷାରେ ପ୍ରସ୍ତୁତ କରିବା, ମାତୃଭାଷାକୁ ରାଜ୍ୟଭାଷା ଭାବେ ସରକାରୀସ୍ତରରେ ଘୋଷଣା କରିବା ଭଳି ଦୃଷ୍ଟାନ୍ତ ସର୍ବଭାରତୀୟ ସ୍ତରରେ ଓଡ଼ିଆଜାତି ପ୍ରଥମକରି ସୃଷ୍ଟି କରିଥିଲା । ମାତ୍ର କେତେକ ହାତଗଣତି ଧନାଢ୍ୟଙ୍କ ବାଳୁଙ୍ଗାପିଲା ଓ ସରକାରୀ ଚାକିରିଆଙ୍କ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଥଇଥାନ କରିବାପାଇଁ ଦୁର୍ନିତି ଓ ଅପସଂସ୍କୃତିର ବାହକ ଥିବା ଇଂରାଜୀଭାଷାକୁ ଓଡ଼ିଶାରେ ସମସ୍ତପ୍ରକାର ନିଯୁକ୍ତିର ଏକମାତ୍ର ପଥ ଭାବେ ଗ୍ରହଣ କରାଯାଇଛି । କାଳେ ଭାଷା ଓ ଜାତିପ୍ରେମୀ ଓଡ଼ିଆ ଜନସାଧାରଣ ଏହାର ପ୍ରତିବାଦ କରିବେ, ଏହାକୁ ପ୍ରତିହତ କରିବାପାଇଁ “ବିଶ୍ୱଭାଷା ଇଂରାଜୀ ପଢ଼ିଲେ ଗରିବଓଡ଼ିଆ ପିଲା ସବୁଥିରେ ପାରଦର୍ଶୀ ହୋଇପାରିବ” ବୋଲି ଭୁଲ୍‌ଧାରଣା ଆମ ସ୍ୱଳ୍ପଶିକ୍ଷିତ ଓଡ଼ିଆଙ୍କ ମୁଣ୍ଡରେ ଭର୍ତ୍ତି କରାଇଦେଲେ । କେବଳ ସେତିକି ନୁହେଁ, କଥା କହି ଶିଖି ନ ଥିବା ଅଜ୍ଞାନ ଶିଶୁ ଖେଳିବା ବୟସରେ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭଳି ଆଉ ତିନୋଟି ଭାଷା ଶିଖିବାପାଇଁ