ପୃଷ୍ଠା:Bhasa o Jatiyata.pdf/୩୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୩୩
 

ହୋଇ ରହିଛି । ଏହି ବିଭେଦକୁ ଲୋପ କରିବାକୁ ଯାଇ ବେଳେବେଳେ ଭାରତର ସଂଘୀୟ ସରକାର ଦକ୍ଷିଣ ତୁଷ୍ଟିକରଣ ନୀତି ଆପଣେଇ ଥା’ନ୍ତି । ସେହି ନ୍ୟାୟରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଡଃ. ଅବ୍‌ଦୁଲ କଲାମ ୬ ଜୁନ୍ ୨୦୦୪ରେ ପାର୍ଲାମେଣ୍ଟର ସଂଯୁକ୍ତ ଅଧିବେଶନରେ ତାମିଲଭାଷାକୁ ଆଇନଗତ ଭାବେ ସ୍ୱାଧୀନ ଭାରତର ପ୍ରଥମ ଶାସ୍ତ୍ରୀୟଭାଷା ମାନ୍ୟତା ପ୍ରଦାନ କଲାପରେ ନୀତି ଦୃଷ୍ଟିରୁ ୨୦୦୫ରେ ସଂସ୍କୃତଭାଷାକୁ ଏହି ମାନ୍ୟତା ପ୍ରଦାନ କରାଗଲା । ହିନ୍ଦୀକୁ ଯଦିଓ ଆନୁଷ୍ଠାନିକ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇ ନାହିଁ, ମାତ୍ର ଭବିଷ୍ୟତର ରାଜଭାଷା ରୂପେ ଏହା ସଂପୂର୍ଣ୍ଣ ସୁବିଧାସୁଯୋଗ ପୂର୍ବରୁ ପାଇଆସୁଛି ।

ତେବେ ଏହି ଘୋଷଣା ପରେ ତେଲୁଗୁ ଓ କନ୍ନଡ଼ ଭାଷା ନିଜ ରାଜନୈତିକ ଚାପ ପ୍ରୟୋଗ କରି ଅନୈତିକ ଭାବେ ୨୦୦୮ରେ ଶାସ୍ତ୍ରୀୟ ମାନ୍ୟତା ହାସଲ କରିସାରିବା ପରେ ମାଲାୟଲମ ଭାଷାକୁ କାହିଁକି ଏହି ମାନ୍ୟତା ନ ମିଳିବ, ସେଥିପାଇଁ କେରଳ ଉଚ୍ଚ ନ୍ୟାୟାଳୟରେ କେରଳବାସୀ ଉପଯୁକ୍ତ ନ୍ୟାୟପାଇଁ ନିବେଦନ କରିଛନ୍ତି ।

ମାନ୍ୟତା ପ୍ରଦାନ ବିଧି :

ଭାରତରେ ବହୁ ଭାଷାଭାଷୀ କେଉଁ ପ୍ରାଚୀନକାଳରୁ ବାସ କରିଆସୁଛନ୍ତି । ଭାରତର ସମ୍ବିଧାନ ୨୨ଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଭବିଷ୍ୟତରେ ପ୍ରତ୍ୟେକଭାଷା ଶାସ୍ତ୍ରୀୟ ମାନ୍ୟତା ଦାବି କରି ନ ପାରିବେ, ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର କେତେକ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ପରିସରଭୁକ୍ତ ଭାଷାକୁ ମହୀଶୂରସ୍ଥିତ କେନ୍ଦ୍ରୀୟଭାଷା ସଂସ୍ଥାନ ଓ କେନ୍ଦ୍ର ସାହିତ୍ୟ ଅକାଦମୀ ପରାମର୍ଶରେ ସଂସ୍କୃତି ମନ୍ତ୍ରଣାଳୟଦ୍ୱାରା ନିଯୁକ୍ତ ଭାଷା ବିଶେଷଜ୍ଞଙ୍କ ସୁପାରିଶ ଅନୁସାରେ ସମ୍ବିଧାନର ଅଷ୍ଟମସୂଚୀ ଅନ୍ତର୍ଭୁକ୍ତ ଭାଷା ମଧ୍ୟରୁ ଉପଯୁକ୍ତ ବିବେଚିତ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି ।

ଶାସ୍ତ୍ରୀୟଭାଷା ମାନ୍ୟତାଦ୍ୱାରା ଏହିଭଳି ନୂଆ ପ୍ରକାରର ଭାଷା ବିଭାଗୀକରଣ ସୃଷ୍ଟି ସଂପର୍କରେ ତ‌ତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜୟପାଲ ରେଡ୍ଡୀ କ୍ୟାବିନେଟ୍ ବୈଠକ ପରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଥିଲେ ଯେ- “The Govt. would consider putting Sanskrit and other languages in this category depending on their heritage and legacy".

ସେହିପରି ୨୦୦୬ ମସିହାରେ ଏହି ଚୟନ ପ୍ରକ୍ରିୟା ସମ୍ବନ୍ଧରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅମ୍ବିକା ସୋନୀ ରାଜ୍ୟସଭାରେ କହିଥିଲେ- “High antiquity of its early Text/recorded history over a period of 1500-2000 years. a body of ancient literature which is considered a valuable heritage by generations of speakers. The literary tradition be original and not borrowed from another speech community. The classical Language and literature being distinct from modern. There may also be a discontinuity between the classical language and its later forms or its offshoots” ।