ପୃଷ୍ଠା:Bhasa o Jatiyata.pdf/୪୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୮
ଭାଷା ଓ ଜାତୀୟତା
 

ବିବରଣୀ ଯେଉଭଳି ଢଙ୍ଗରେ ନିହାଣମୂନରେ ଲେଖିଯାଇଛନ୍ତି; ସେଥିରୁ ତାଙ୍କର ଜାତିପ୍ରୀତି ଓ ଲେଖକୀୟ କଳାର ପରିଚୟ ମିଳେ । ଏଥିରେ ପୁଣି ଅଛି କଳିଙ୍ଗର ସୈନ୍ୟ ଓ ଜନସଂପର୍କିତ ସୂଚନା, ଯୁଦ୍ଧବ୍ୟବସ୍ଥା, ରାଜାର ଧର୍ମ-କର୍ତ୍ତବ୍ୟ-ଶତ୍ରୁପ୍ରତି ବ୍ୟବହାର, ପ୍ରଜାପାଳନ, ଘର, ପୁଷ୍କରିଣୀ, ବାମ୍ଫି, କେନାଲ ଆଦି ନିର୍ମାଣ ବ୍ୟବସ୍ଥା, ଅବସର ବିନୋଦନ ମାଧ୍ୟମ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଇତ୍ୟାଦି ସଂପର୍କୀତ ବିସ୍ତୃତ ବିବରଣୀ । ଏହି ୧୩ ବର୍ଷର ରାଜ୍ୟ ଶାସନ ବର୍ଣ୍ଣନା ଅଶୋକଙ୍କ ୧୩ତମ ଶିଳାଲେଖରେ ବର୍ଣ୍ଣିତ କଳିଙ୍ଗଯୁଦ୍ଧର ରାଜୋଚିତ ଉତ୍ତର । ପାର୍ଥକ୍ୟ ଏତିକି, ଅଶୋକଙ୍କ ବର୍ଣ୍ଣନାରେ ଏକମାତ୍ର କଳିଙ୍ଗ ଯୁଦ୍ଧ କଥା ସହିତ ବୌଦ୍ଧଧର୍ମ ପ୍ରଚାର ଓ ରାଜାଦେଶ ସାଧାରଣ ଭାବରେ ସ୍ଥାନିତ ହୋଇଥିବାବେଳେ ଖାରବେଳଙ୍କ ବର୍ଣ୍ଣନାରେ ଭାରତର ବୃହତ ରାଜ୍ୟାଧିକାର, ବିଭିନ୍ନ ଅଭିଯାନ, କାର୍ଯ୍ୟକଳାପ କାବ୍ୟିକ ଶୈଳୀରେ ରଚନା ହୋଇଥିବାର ଦେଖିବାକୁ ମିଳେ । ତାହା ପୁଣି ରଚିତ ହୋଇଥିଲା ସାଧାରଣ ଓଡ଼ିଆଲୋକଙ୍କ କଥିତଭାଷାରେ, ଯାହା ସେସମୟର ଭାରତୀୟମାନେ ଅନାୟାସରେ ବୁଝିପାରୁଥିଲେ । ଖାରବେଳଙ୍କ ପରି ଅଦ୍ୱିତୀୟ ଓଡ଼ିଆଯୋଦ୍ଧା ତଥା ମଗଧର କୁଷାଣ-ମୁରୁଣ୍ଡ ରାଜବଂଶ ଲୋପକାରୀ ଉତ୍କଳର ନାଗବଂଶୀ ରାଜା ତୃତୀୟ ଶତାବ୍ଦୀର ଶତ୍ରୁଭଞ୍ଜଠାରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀର ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ବହୁ ଓଡ଼ିଆରାଜା ସ୍ୱକୀୟ ପ୍ରତିଭାବଳରେ ଓଡ଼ିଆଜାତିର ଗୌରବ ବୃଦ୍ଧି କରିଯାଇଛନ୍ତି ।

ସେହି ବୀର କଳିଙ୍ଗଜାତିର ଉତ୍ତରଦାୟା ହେଉଛି ବର୍ତ୍ତମାନର ଓଡ଼ିଆଜାତି । ଏହି ଜାତିର ରକ୍ତରଞ୍ଜିତ ପ୍ରାଚୀନ ଐତିହ୍ୟ ଆଜି ଗବେଷଣା ନୁହେଁ, କେବଳ ଭାଷଣର ସାମଗ୍ରୀ ପାଲଟିଯାଇଛି । ଓଡ଼ିଆଜାତି ଭଳି ଓଡ଼ିଆ ଭାଷା, ସଂସ୍କୃତିର ଚେର ବହୁକାଳରୁ ଲମ୍ବି ଆସିଥିଲେ ମଧ୍ୟ ଆଜିର ଉତ୍ତରାୟା ନିକଟରେ ଏହି ପ୍ରାଚୀନତାର ମଞ୍ଜ ନ ଥିବାରୁ ସମୟର କଷଟି ପଥରରେ ବହୁ ପରିକ୍ଷିତ ଶୁଦ୍ଧ ଓଡ଼ିଆଭାଷା ଆଜି ସେମାନଙ୍କ ନିକଟରେ ଅପାଂକ୍ତେୟ ହୋଇଯାଇଛି । କିନ୍ତୁ ଏହି ଜାତି ପରି ଏହାର ଭାଷାରେ ବହୁ ମୌଳିକଗୁଣ ରହିଛି, ଯାହା ଗତ ୧୮୮୦ ବର୍ଷ ଧରି ବିଦେଶୀ ଭାଷା ରାଜଭାଷା ରୂପେ ପ୍ରଚଳନ ହୋଇଥିଲେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସି ନିଜସ୍ୱ ସତ୍ତା ହରାଇ ନାହିଁ କିମ୍ବା ସଂସ୍କୃତ ଭଳି ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇନାହିଁ ।

ପ୍ରାଚୀନ ସାହିତ୍ୟରେ ମଧ୍ୟ ଓଡ଼ିଶାର ଗୌରବଗାରିମା ବର୍ଣ୍ଣନା ଦେଖିବାକୁ ମିଳେ । ଏହାର ପ୍ରାଚୀନ ନାମ କଳିଙ୍ଗ ଏବଂ ଉତ୍କଳ ଭାବରେ ସଂସ୍କୃତ ପୁରାଣଗ୍ରନ୍ଥ ରାମାୟଣ, ମହାଭାରତ, ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ ସୂଚିତ ଥିବାବେଳେ ବୌଦ୍ଧ ଓ ଜୈନ ସାହିତ୍ୟରେ ବର୍ଣ୍ଣିତ ଷୋଡ଼ଶ ମହାଜନପଦ ଅନ୍ତର୍ଭୁକ୍ତ ନ ହେବା ଅତି ଆଶ୍ଚର୍ଯ୍ୟର ବିଷୟ । ତେବେ ବୌଦ୍ଧଗ୍ରନ୍ଥର ଅମୂଲ୍ୟ ସମ୍ପଦ ଜାତକକଥାରେ ଉଲ୍ଲେଖ ଅଛି- ଗୌତମ ଯେତେବେଳେ ସମ୍ବୋଧିଲାଭ କରି ଗୟାଠାରେ ନିରଞ୍ଜନା ନଦୀକୂଳରେ ଥିବା ରାଜାୟତନ ନାମକ ଅଶ୍ୱତ୍ତବୃକ୍ଷ ମୂଳରେ ଦୁଇମାସ କାଳ ନିସ୍ତବ୍ଦ ଥିଲେ, ସେହି ସମୟରେ କଳିଙ୍ଗର ଉତ୍ତରଭାଗ ଉତ୍କଳରୁ ତପସୁ ଓ ଭଲ୍ଲିକ ନାମକ ଯାଉଥିବା ଦୁଇ ବଣିକ ମହୁ ଓ ପିଠା (ଯାହା ଏବେ ବି ଓଡ଼ିଆଙ୍କର