ପୃଷ୍ଠା:Bhasa o Jatiyata.pdf/୫୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜତୀୟତା
୫୯
 

ଓଡ଼ିଆଜାତି ତାଳପତ୍ରକୁ ପବିତ୍ର କର୍ମର ମାଧ୍ୟମ ଭାବେ ଗ୍ରହଣ କରି ପ୍ରତ୍ୟେକ ଶୁଭାଶୁଭ କାର୍ଯ୍ୟର ଏକ ଅଙ୍ଗ ଭାବି ବ୍ୟବହାର କରୁଛି । ଯଦିଓ ବୈଜ୍ଞାନିକ ଦୃଷ୍ଟିରୁ ଏହା ଦୀର୍ଘକାଳ ସ୍ଥାୟୀ, ତେଣୁ ନିଜ ଅଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟର ଲିଖିତ ପ୍ରମାଣକୁ ଭବିଷ୍ୟତପାଇଁ ଏହି ସ୍ଥାୟିତ୍ୱକୁ ବରଣ କରିନେଉଛି ଏହି ଜାତିର ଦାୟାଦ । ଅତଏବ କେଉଁ ଅନାଦିକାଳରୁ ତାଳପତ୍ର ଏହିଜାତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି । ଓଡ଼ିଆପୁଅପାଇଁ ତାଳପତ୍ରରେ ସାହିତ୍ୟ ରଚନା କରିବା କେବଳ ଏକ ମାଧ୍ୟମ ନୁହେଁ, ଗୌରବ ମଧ୍ୟ । ସେଥିପାଇଁ ତାଳପତ୍ରକୁ ବିଭିନ୍ନ ଆୟତନରେ କାଟି ସୂକ୍ଷ୍ମ ଗୋଲାକାର ଅକ୍ଷରରେ ଲେଖିବାର କୌଶଳ ଆପଣେଇ ନେଇଥିଲା । ତାହା ହୋଇ ନ ଥିଲେ ଅଶୋକ, ଖାରବେଳ, ଶତ୍ରୁଭଞ୍ଜଙ୍କ ସମୟର ରେଖାଯୁକ୍ତ ଓଡ଼ିଆଲିପି ବର୍ତ୍ତମାନର ସଂପୂର୍ଣ୍ଣ ଗୋଲାକାର ରୂପ ଧାରଣ ନ କରି ଭାରତର ଅନ୍ୟାନ୍ୟ ଭାଷାଭାଷୀ ଲିପି ପରି ସରଳ କିମ୍ବା ସାମାନ୍ୟ ବକ୍ରାକାର ହୋଇଥାଆନ୍ତା ।

ଧର୍ମ ଓ ସାହିତ୍ୟ ପରସ୍ପର ପ୍ରତି ନିର୍ଭରଶୀଳ । ଧର୍ମର ବହୁଳ ପ୍ରଚାର ଓ ପ୍ରସାରପାଇଁ ଲୋକ ବୁଝିବାଭଳି ଢଙ୍ଗରେ ସାହିତ୍ୟ ରଚନା ପ୍ରତ୍ୟେକ ଧାର୍ମିକ ମତବାର ମୂଳଲକ୍ଷ୍ୟ ଥିବାବେଳେ, ଧର୍ମ ମାଧ୍ୟମରେ ନିଜର କଳେବର, ବିଷୟବସ୍ତୁ, ଲେଖକୀୟ ଶୈଳୀ, ଭାଷା ଆଦିରେ ପରିବର୍ତ୍ତନ ଆଣି ସାହିତ୍ୟ ନିଜର ଗତିକୁ ଚଳଞ୍ଚଳ କରିଥାଏ । ଫଳରେ ଭାଷା ସମୃଦ୍ଧ ଓ ସ୍ଥାୟୀ ହୁଏ । ତେଣୁ ଗୋଟିଏ ଜାତିର ଭାଷା ଓ ସାହିତ୍ୟ ସମୃଦ୍ଧିପାଇଁ ଧର୍ମର କିଛି ଭୂମିକା ରହିଛି । କିନ୍ତୁ ଏହି ଧର୍ମ ଅନ୍ୟ କେଉଁଠୁ ଆମଦାନୀ ହୋଇ ଆସିବା ଅପେକ୍ଷା ସେହି ଜାତିର ମାଟି ଉପରେ ସୃଷ୍ଟି, ବିକାଶ କିମ୍ବା ପରିବର୍ଦ୍ଧିତ ହୋଇଥିବା ଆବଶ୍ୟକ । ଏହି ଦୃଷ୍ଟିକୋଣରୁ ଓଡ଼ିଶା ମଧ୍ୟ ପଛରେ ପଡ଼ିନାହିଁ । ଧାର୍ମିକକ୍ଷେତ୍ରରେ ଓଡ଼ିଶାର ସର୍ବପ୍ରଥମ ଗୌରବାବହ ପରିଚୟ ହେଉଛି କଳିଙ୍ଗବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୁପ୍ତପ୍ରାୟ ବୌଦ୍ଧଧର୍ମ କଳିଙ୍ଗଯୁଦ୍ଧ ପରେ ସମଗ୍ର ଭାରତ ସମେତ ଦକ୍ଷିଣ-ପୂର୍ବ-ଉତ୍ତର ଏସିଆରେ ପୁନଃସ୍ଥାପିତ ହେବା । ଏହାପରେ ଜୈନ, ବ୍ରାହ୍ମଣ୍ୟ, ଗାଣପତ୍ୟ, ଶାକ୍ତ, ଶୈବଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ର ଏହିମାଟି ପାଲଟି ଯାଇଥିଲେ ମଧ୍ୟ ପୁଣିଥରେ ଲୋପପାଉଥିବା ବୌଦ୍ଧଧର୍ମକୁ ଜୀବନ୍ୟାସ ଦେବା ଉଦ୍ଦେଶ୍ୟରେ ସମ୍ବଳକ ବା ସମ୍ବଲପୁରର ରାଜା ଇନ୍ଦ୍ରଭୂତି ଆଗେଇ ଆସିଲେ । ସ୍ୱକୀୟ ପ୍ରତିଭାବଳରେ ତାନ୍ତ୍ରିକ ପଦ୍ଧତିଦ୍ୱାରା କଳୁଷିତ ମହାଯାନ ପନ୍ଥାରେ ସଂସ୍କାର ଆଣି ପଞ୍ଚଧ୍ୟାନୀବୁଦ୍ଧ ସାଧନା ପ୍ରଚଳନ କରିବାଦ୍ୱାରା ବଜ୍ରଯାନ ନାମକ ଏକ ଅଭିନବ ବୁଦ୍ଧ ପରିବାରର ଅଭ୍ୟୁଦୟ ବୌଦ୍ଧଧର୍ମରେ ଘଟିଲା । ମାତ୍ର ନିଜ ସାନଭଉଣୀ ଓ ଶିଷ୍ୟା ଲକ୍ଷ୍ମୀଙ୍କରା ବଜ୍ରଯାନର ଆର୍ଦଶ ତ୍ୟାଗକରି କାୟା ସାଧନ ବା ଦେହପୂଜା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ଜପ, ତପ, ପୂଜା, ଧ୍ୟାନ ବଳରେ ମଣିଷ ଜନ୍ମ ସମୟରୁ ଥିବା ଗୁଣ ଓ ପ୍ରବୃତ୍ତିର ମନ ନ କରି ତା’ର ଅଭିବୃଦ୍ଧି ଓ ସମ୍ଭୋଗରେ ହିଁ ସିଦ୍ଧିଲାଭ କରିପାରିବ । ଏହା ସିଦ୍ଧିଲାଭର ସହଜ ମାର୍ଗ ହୋଇଥିବାରୁ ଏହାକୁ ସହଜଯାନ କୁହାଯାଏ । ସେହିପରି ଇନ୍ଦ୍ରଭୂତିଙ୍କ ପାଳିତପୁତ୍ର ପଦ୍ମସମ୍ଭବ ଜାହୋର ବା କେନ୍ଦୁଝର ରାଜକନ୍ୟା ମନ୍ଦାରବାଙ୍କୁ ବିବାହ କଲାପରେ ସହଜଯାନ ସାଧନ କରି ନାଭିଗୟା