ପୃଷ୍ଠା:Bhasa o Jatiyata.pdf/୬୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୨
ଭାଷା ଓ ଜାତୀୟତା
 

ନୌକାରେ ନଦୀ ପାର ହେବାବେଳେ ଘାଟିଆ ଘାଟ ମାହାସୁଲ ନ ଦେଇଥିବା ଲୋକଙ୍କ ଅଣ୍ଟି ଖୋସଣି ବା ପିନ୍ଧାଲୁଗା ଖୋଲି ପଇସାପତ୍ର ଅନ୍ୱେଷଣ କରିଥାଏ । ତେଣୁ ଗୋପନରେ ଲୋକଟିର ଗୁପ୍ତଥିବା ପୁରୁଷାଙ୍ଗ ଦେଖିଥାଏ । କିନ୍ତୁ ଏ କଥା ପଥଚାରୀ ଜାଣିପାରି ନଥାଏ । ଯିଏ ଜାଣିପାରେ, ସେ ସହଜରେ ବଖାଣି ପାରେ ନାହିଁ, ତାହାର ଗଳା ବନ୍ଦ ହୋଇଯାଏ । ଏଣୁ ତାଡ଼କ କୁହେ; ତତ୍ତ୍ୱ ବୁଝିଲେ ମଧ୍ୟ ପ୍ରକାଶ କରିବା ଶକ୍ତିର ଅଭାବଯୋଗୁଁ ଅପ୍ରକାଶିତ ରହେ । କାରଣ ଏହା ଅନୁଭବର ବିଷୟ ।”

ଉପରୋକ୍ତ ଦୃଷ୍ଟାନ୍ତ ଦୁଇଟି ସପ୍ତମ ଶତାବ୍ଦୀରେ ଲିଖିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଯେକୌଣସି ଓଡ଼ିଆ ବ୍ୟକ୍ତି ବୁଝିବାରେ ଅସୁବିଧା ନାହିଁ । କାରଣ ଏଥିରେ ବ୍ୟବହୃତ ପ୍ରତେକ ଶବ୍ଦ ସହିତ ଓଡ଼ିଆବାସୀ ପରିଚିତ; ଯାହା ଅନ୍ୟଭାଷୀଙ୍କ ନିକଟରେ ଦୁର୍ବୋଧ୍ୟ । ବିଶେଷକରି ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ରଚିତ ଏହିସବୁ କବିତାକୁ ନିଜଭାଷାର ଆଦିରୂପ ବୋଲି ବାରମ୍ବାର ଘୋଷଣା କରୁଥିବା ବଙ୍ଗୀୟ ଗବେଷକଗଣ ତାଡକପାଦଙ୍କ କବିତାରେ ଲିଖିତ ‘ବାଣ୍ଡକୁରୁଣ୍ଡ’ ଶବ୍ଦକୁ “ବଟୁଆ” ବୋଲି ଅର୍ଥ କରିଛନ୍ତି । କାରଣ ଏହିସବୁ ଶବ୍ଦ ଓଡ଼ିଆ ବ୍ୟତୀତ ବଙ୍ଗଳା କିମ୍ବା ଅନ୍ୟ ଭାରତୀୟଭାଷାରେ ବ୍ୟବହାର ନାହିଁ । ଏହିଭଳି କେବଳ କେତୋଟି ଅଶ୍ଳୀଳ ପ୍ରତୀୟମାନ ହେଉଥିବା ଓଡ଼ିଆଶବ୍ଦ ନୁହେଁ, ବରଂ ଚର୍ଯ୍ୟାକବିତାରେ ଲିଖିତ ପ୍ରଚୁର ଶବ୍ଦ ବର୍ତ୍ତମାନ ସମୟରେ ଅନ୍ୟକୌଣସି ଭାଷାରେ ପ୍ରୟୋଗ ହେଉ ନଥିବାବେଳେ କେବଳ ଓଡ଼ିଆଭାଷାରେ ଅବିକଳଭାବେ ଉଭୟ ଲିଖିତ ଓ କଥିତ ଭାବେ ବ୍ୟବହାର ହେଉଛି । ଦୁର୍ଭାଗ୍ୟ ଯେ ଏହିସବୁ ଶବ୍ଦ ଓ ବ୍ୟାକରଣକୁ ଓଡ଼ିଆ ରକ୍ତଧାରୀ ସଂସ୍କୃତ ପଣ୍ଡିତଗଣ ବିଭିନ୍ନ ବ୍ୟୁପିତ୍ତି ଅର୍ଥ ବାହାର କରି ଏହା ସଂସ୍କୃତରୁ ସୃଷ୍ଟି ବୋଲି ପ୍ରମାଣ କରିବାକୁ ଚେଷ୍ଟିତ । ଅଥଚ ଏହି ଶବ୍ଦଗୁଡ଼ିକ ଓଡ଼ିଆରୁ ସଂସ୍କୃତ, ବଙ୍ଗଳା କିମ୍ବା ଅନ୍ୟ ଭାଷାକୁ ଯାଇଛି- ତାହା ପ୍ରମାଣ କରିବା ଶକ୍ତି ଏହି ମେରୁଣ୍ଡହୀନ ପଣ୍ଡିତମାନଙ୍କର ନାହିଁ । ୮୪ ସିଦ୍ଧକବିଙ୍କ ମଧ୍ୟରୁ ଦୁଇକବି ଗୁଣ୍ଡୁରୀପା ଓ ତାଡକପାଦଙ୍କ ନିକଟରେ ଆଜି ଓଡ଼ିଆଜାତି କୃତଜ୍ଞ ଯେ, ଯଦି ନିଜ କବିତାରେ ସବୁବେଳେ ଘୋଡ଼େଇହୋଇ ରହୁଥିବା ଆମ ଶରୀରର ଏହି ତିନୋଟି ସମ୍ବେଦନଶୀଳ ଅଙ୍ଗର ନାମ ଲେଖି ନ ଥାନ୍ତେ, ତେବେ ଅତି ବକାଳି ବଙ୍ଗାଳୀ ଓ ଓଡ଼ିଆ ମାଟିର ପାଣିପବନରେ କଥାକହିବା ଶକ୍ତି ଆହରଣ କରି ଓଡ଼ିଆତ୍ୱ ହରଣ କରୁଥିବା ନୀଳବର୍ଣ୍ଣ ଶୃଗାଳସମ ଆମ ଓଡ଼ିଆ ସଂସ୍କୃତ ପଣ୍ଡିତଙ୍କ ମୁହଁରେ ତୁଣ୍ଡିବାନ୍ଧିବା ଅସମ୍ଭବ ହୋଇଥାନ୍ତା ।

ସେହିପରି କ୍ରମାନ୍ୱୟରେ ଏପର୍ଯ୍ୟନ୍ତ ଆବିଷ୍କୃତ ବିଭିନ୍ନ ଶିଳାଲେଖରୁ ବହୁ ଓଡ଼ିଆ ଶବ୍ଦ ଓ ଲିପିର ବହୁଳ ବ୍ୟବହାର ଦେଖିବାକୁ ମିଳେ । ବିଶେଷକରି ଭଦ୍ରଖ ଜିଲ୍ଲାର ଗଣ୍ଡିବେଢ଼ରୁ ଆବିଷ୍କୃତ ୧୦ମ ଶତାବ୍ଦୀର କୁମାରସେଣଙ୍କଦ୍ୱାରା ଜୈନ ପ୍ରସ୍ତର ମୂର୍ତ୍ତି ପାଦଦେଶରେ ଖୋଦିତ ଏକପଦୀ କବିତା

“ଦେବ କହି ଭଗତି କରୁଣ / ଅଛନ୍ତି ଭୋ କୁମାରସେଣ”

ସୂଚାଇଥାଏ ଯେ ଏହି ସମୟ ବେଳକୁ ଓଡ଼ିଆ ଭାଷା ସାହିତ୍ୟିକ ରୂପ ନେଇ ସାରିଲାଣି । ଯଦିଓ ଏହା ରାଜ ପୃଷ୍ଠପୋଷକତା ପାଇପାରି ନ ଥିଲା, ତେଣୁ ବିସ୍ତୃତ ରଚନା ଅଭିଲେଖରେ