ପୃଷ୍ଠା:Bhasa o Jatiyata.pdf/୬୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

କରିଥିଲେ । ଏଥିସହ ମଧ୍ୟଯୁଗୀୟ ଭାରତୀୟ ସମାଜ ଓ ସାହିତ୍ୟରେ ନାରୀର ଅବମୂଲ୍ୟନ ଘଟୁଥିବାବେଳେ ସମଗ୍ର ଭାରତବର୍ଷରେ ଏକମାତ୍ର କବିଭାବେ ନାରୀର ମହନୀୟ ଭୂମିକାକୁ ଲୋକପ୍ରିୟ ସାହିତ୍ୟରେ ସ୍ଥାନିତକରି ସେମାନଙ୍କର ସ୍ଥିତିକୁ ସୁୃଢ଼ କରିବାକୁ ଚେଷ୍ଟା କରିଛନ୍ତି । ଯାହାର ପରିଣାମ ପରବର୍ତ୍ତୀ କବି ବଳରାମ ଦାସଙ୍କ୍ୱାରା ଲିଖିତ ‘ଲକ୍ଷ୍ମୀପୁରାଣ’ କେବଳ ପରିବାରରେ ନାରୀର ଶ୍ରେଷ୍ଠତ୍ୱକୁ ପରିପ୍ରକାଶ କରି ନ ଥିଲା, ବରଂ ସାମାଜିକ ଜାତିବ୍ୟବସ୍ଥା ଉପରେ କୁଠାରଘାତ କରିପାରିଥିଲା ।

ଓଡ଼ିଆ ପୁରାଣସାହିତ୍ୟର ଅନ୍ୟ ଦୁଇ ଅନନ୍ୟ କୃତି ବଳରାମଙ୍କ ‘ଦାଣ୍ଡୀରାମାୟଣ’, ଜଗନ୍ନାଥଙ୍କ ‘ଭାଗବତ’ । ୧୫୬୮ରୁ ୧୯୬୮( ଜମିଦାରୀ ପ୍ରଥା ଲୋପ ହେବା ପର୍ଯ୍ୟନ୍ତ) ପରାଧୀନତାର ଦୀର୍ଘ ୪୦୦ବର୍ଷ ଧରି ବିଧର୍ମୀଙ୍କ କବଳରୁ ଜଗନ୍ନାଥମନ୍ଦିରକୁ ସୁରକ୍ଷିତ ରଖିବାପାଇଁ ବିଭିନ୍ନ ଜାଗତିକ ପ୍ରତିବନ୍ଧକ ସୃଷ୍ଟିହେବା ଫଳରେ ଜଗନ୍ନାଥୈକ ଚେତନା ସଂକୁଚିତ ହୋଇଗଲା । ଓଡ଼ିଆତ୍ୱ ରକ୍ଷାପାଇଁ ଜଗାବଳିଆ କଳାଧଳା ଘୋଡ଼ାରେ ବସି ଯବନ, ପଠାଣ, ଫିରିଙ୍ଗି ବିରୁଦ୍ଧରେ ଲଢ଼ିବା ବଳରେ କଳ୍କୀ ଅବତାର ଧାରଣ କରି ବାରହାତ ଖଣ୍ଡା ବୁଲାଇ ମ୍ଳେଚ୍ଛ ସଂହାର କରିବେ ବୋଲି ସାଧାରଣ ଜନତାଙ୍କୁ ବୁଝାଇ ଦିଆଗଲା । ତେଣୁ ନିଜ ଆରାଧ୍ୟ ଦେବତା ସହ ସିଧାସଳଖ ଭାବ ନ ବଢ଼ିବାରୁ ମ୍ରିୟମାଣ ଓଡ଼ିଆଜାତିର ଏକତାଗଣ୍ଠି ଧୀରେଧୀରେ ହୁଗୁଳା ହେବାରେ ଲାଗିଲା । ଜଗନ୍ନାଥୈକ ଚେତନା ଏଭଳି ଭାବରେ ସଂକୁଚିତ ହେବାବେଳେ ଯୁବକ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଓ ସାଧାରଣ ଜନତାଙ୍କ ଭାଷାରେ ଅଥଚ ଓଡ଼ିଆ ସଂସ୍କୃତିକୁ ଆଧାର କରି ବୁଝାଇବା ଭଳି ଢଙ୍ଗରେ ଭାଗବତ ଗ୍ରନ୍ଥ ରଚନା କଲେ । ଫଳରେ ଧର୍ମପ୍ରାଣ ଓଡ଼ିଆଜାତିକୁ ଭାଗବତ ପୁଣିଥରେ ବାନ୍ଧି ରଖିପାରିବା ସହ ସମଗ୍ର ପୂର୍ବେ କ୍ଷତ୍ର (ବର୍ତ୍ତମାନର ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ବଙ୍ଗଳାଦେଶ)ରେ ଆଧ୍ୟାତ୍ମିକ ଚେତନାର ନୂତନ ବାତାବରଣ ସୃଷ୍ଟି କରିଥିଲା । ଏହି ଭାଗବତ ଆଗଙ୍ଗା-ଗୋଦବାରୀ କ୍ଷେତ୍ରର ଓଡ଼ିଆ ଜନଜୀବନକୁ ଏଭଳି ଭାବରେ ପ୍ରଭାବିତ କରିଥିଲା ଯେ, ପିଲାର ଜନ୍ମଠାରୁ ପୌଢ଼ର ମୃତ୍ୟୁ ପର୍ଯ୍ୟନ୍ତ, ଗୃହପାଳିତ ପଶୁ ମୃତ୍ୟୁଠାରୁ ନ୍ୟାୟବିଚାର ପର୍ଯ୍ୟନ୍ତ, ସବୁଥିରେ ଭାଗବତପାଠ ଏକ ପରଂପରାରେ ପରିଣତ ହୋଇଗଲା । ଏପରିକି ଯୁବକ ଜଗନ୍ନାଥ ଦାସଙ୍କ ଭକ୍ତିଭାବନା ଓ କାବ୍ୟିକ ପ୍ରାଣରେ ବିଗଳିତ ଆସାମର ଭକ୍ତକବି ପୌଢ ଶଙ୍କରଦେବ କେବଳ ଅହମିୟା ଭାଷାରେ ଭାଗବତଗ୍ରନ୍ଥ ରଚନା କରି ନଥିଲେ, ବରଂ ଓଡ଼ିଶାର ଗାଁଗହଳିରେ ଆଧ୍ୟାତ୍ମିକକେନ୍ଦ୍ର ଭାବେ ଗଢ଼ି ଉଠିଥିବା ଭାଗବତଟୁଙ୍ଗୀ ଅନୁସରଣରେ ନାମଘର ସ୍ଥାପନ କରି ଅହମିୟା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନୂଆରୂପ ଦେବା ସହ ସ୍ଥାୟିତ୍ୱ ପ୍ରଦାନ କରିଥିଲେ । ଯାହାର ଆରାଧ୍ୟ ଦେବତା ଭାବେ ଏବେ ବି ଓଡ଼ିଆ ଜାତୀୟଜୀବନର ପ୍ରତୀକ ପ୍ରଭୁ ଜଗନ୍ନାଥ ସ୍ଥାନ ପାଇ ପୂଜା ପାଉଛନ୍ତି । ଏହିଗ୍ରନ୍ଥର ମହନୀୟତା ଏଭଳି ଯେ, ୧୫୮ବର୍ଷ ପରେ ବଙ୍ଗଳାର ସନାତନ ଚକ୍ରବର୍ତ୍ତୀ ବଙ୍ଗଭାଷାରେ ଭାଗବତ ରଚନା କଲାବେଳେ ଶମସ୍କନ୍ଧ ରଚନା ବେଳକୁ ଭାବ ଓ ଭକ୍ତି ପ୍ରଦର୍ଶନପାଇଁ ଶବ୍ଦବିନ୍ୟାସରେ ନିଜର ଅକ୍ଷମତା ପ୍ରକାଶକରି ଜଗନ୍ନାଥ