ପୃଷ୍ଠା:Bhasa o Jatiyata.pdf/୬୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭାଷା ଓ ଜାତୀୟତା
 
ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି

ଭାଷାବିତ୍ ମାନେ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ଏଠାରେ ଆହରଣର ଅର୍ଥ ହେଉଛି ଶବ୍ଦର ଆଗମନ । ମାତ୍ର ଭାଷାବିକାଶ ନାମରେ ଆହରଣ କରୁକରୁ ନିଜଭାଷାର ମୂଳଶବ୍ଦ ବା ନିଜରୂପ ନଷ୍ଟ କରିବା ଭଳି ଭାଷାଦ୍ରୋହୀ କାମ ଆଜିର ବହୁ ଶିକ୍ଷିତଓଡ଼ିଆ ଜ୍ଞାତସାରରେ କରୁଛନ୍ତି । ଏପରି ଆଚରଣ ଫଳରେ ଆଜିର ଭାଷାଗତ ମୌଳିକ ସମସ୍ୟା ହେଉଛି-ମାତୃଭାଷା ପ୍ରତି ଶ୍ରଦ୍ଧାର ଅଭାବ, ଚାକିରି/ବୃତ୍ତି/ରୋଜଗାର ଆଶାରେ ଇଂରାଜୀ ଭାଷା ମୋହ ଓ ବେପାର ବଣିଜପାଇଁ ହିନ୍ଦୀ, ବଙ୍ଗଳା, ତେଲୁଗୁର ଅବାଧ ପ୍ରବେଶ । ତେବେ ଏ ସବୁର ମୂଳ କାରଣ ଭାବେ ଯେଉଁ କେତୋଟି ତ୍ରୁଟିବିଚ୍ୟୁତି ଆମ ଜ୍ଞାତସାରରେ ଦେଖାଦେଉଛି ତାହା ନିମ୍ନରେ ଉଲ୍ଲେଖ କରାଗଲା ।

୧. ତ୍ରୁଟିପୂର୍ଣ୍ଣ ପ୍ରାଥମିକ ଶିକ୍ଷାବ୍ୟବସ୍ଥା : ପ୍ରାଥମିକ ଶିକ୍ଷାସ୍ତରରୁ ଶିକ୍ଷକ ନିଯୁକ୍ତିବେଳେ ଶିକ୍ଷକର ଓଡ଼ିଆଭାଷାରେ ଥିବା ଦକ୍ଷତା ସମ୍ପର୍କରେ ସରକାର ପରୀକ୍ଷା କରି ନ ଥାନ୍ତି । ଏପରିକି ମଧ୍ୟଇଂରାଜୀ କିମ୍ବା ହାଇସ୍କୁଲ ସ୍ତରରେ ଇଂରାଜୀ, ବଙ୍ଗଳା, ସଂସ୍କୃତ, ହିନ୍ଦୀ, ତେଲୁଗୁ, ଉର୍ଦ୍ଧୁ ଭାଷା ପଢ଼ାଇବାପାଇଁ ଏହି ଭାଷାରେ ଦକ୍ଷ ତଥା ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦିଆଯାଉଥିବାବେଳେ ମାତୃଭାଷା ଓଡ଼ିଆ ପଢ଼ାଇବାପାଇଁ ଏହି ନିୟମ ସରକାର ଲାଗୁକରି ନାହାନ୍ତି । ଅର୍ଥାତ ହାଇସ୍କୁଲ ଶିକ୍ଷା ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟ ଅନଭିଜ୍ଞ ଯେକୌଣସି ଶିକ୍ଷକଦ୍ୱାରା ମାତୃଭାଷା ଓଡ଼ିଆ ପଢ଼ାଇବାକାର୍ଯ୍ୟ ଦୀର୍ଘବର୍ଷ ଧରି ହୋଇ ଆସୁଛି । ସବୁଠାରୁ ଲଜ୍ଜାର କଥାହେଲା ପ୍ରାଥମିକଠାରୁ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ଶିକ୍ଷାଦାନପାଇଁ ଶିକ୍ଷକର ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଥିବାବେଳେ ପିଲାଙ୍କୁ ନିଜ ମାତୃଭାଷା ଓ ସାହିତ୍ୟ ପଢ଼ାଇବାପାଇଁ କୌଣସି ସ୍ୱତନ୍ତ୍ର ଯୋଗ୍ୟତା ବା ମାନଦଣ୍ଡ ନିର୍ଦ୍ଧାରଣ କରାଯାଇନାହିଁ । ଅର୍ଥାତ୍ ମାତୃ ଭାଷାକୁ ଶିକ୍ଷଦାନର ପ୍ରଥମଭାଷା ଭାବେ ଗ୍ରହଣ କରାଯାଇଥିଲେ ମଧ୍ୟ ଭାଷାକୁ ନେଇ ସ୍ୱତନ୍ତ୍ରରାଜ୍ୟ ଗଠିତ ଓଡ଼ିଶାରେ ଏଥିପାଇଁ ସ୍ୱତନ୍ତ୍ର ନିଯୁକ୍ତି ନାହିଁ । ଯିଏ ଚାହିଁବ ସେ ଓଡ଼ିଆ ପଢ଼େଇବ, ଖାତା ଦେଖି ମୂଲ୍ୟାଙ୍କନ କରିପାରିବ । ଫଳରେ ଭଲ ଉତ୍ତର ଲେଖିଥିଲେ ମଧ୍ୟ ଏହି ଅନଭିଜ୍ଞ ଶିକ୍ଷକ ନିଜ ଅଜ୍ଞତାକୁ ଘୋଡ଼ାଇବାକୁ ଯାଇ ଟିପଚାଳନାଦ୍ୱାରା ମୂଲ୍ୟାଙ୍କନ କରୁଥିବାରୁ ଅଙ୍କ ପ୍ରଦାନରେ ସଂକୀର୍ଣ୍ଣମନା ଯୋଗୁଁ