ପୃଷ୍ଠା:Bhasa o Jatiyata.pdf/୬୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ନୁହେଁ? ଓଡ଼ିଆଭାଷାର ଶବ୍ଦଗୁଡ଼ିକୁ ନେଇ ସର୍ବପ୍ରଥମେ ଗୁନ୍ଥା ଯାଇଥିଲା ସାରଳା ଦାସଙ୍କ ମହାଭାରତରେ । କାରଣ ମହାଭାରତ ଭଳି ବିଶାଳଗ୍ରନ୍ଥ ଏହାପୂର୍ବରୁ ଓଡ଼ିଆଭାଷାରେ ରଚିତ ହୋଇଥିବାର ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏଥିରେ ପ୍ରଚୁର ଓଡ଼ିଆଶବ୍ଦ ଥିବାରୁ ଓଡିଆଭାଷାର ସର୍ବପ୍ରାଚୀନ ଅଭିଧାନ କହିଲେ ଭୁଲ୍ ହେବନାହିଁ । ଏହାପରେ ଆସେ ଭଞ୍ଜସାହିତ୍ୟ । ଯଦିଓ ଏଥିରେ ସଂସ୍କୃତ ଶବ୍ଦର ବହୁଳ ପ୍ରୟୋଗ ରହିଛି, ତଥାପି ଶବ୍ଦ କସରତଦ୍ୱାରା ନୂଆନୂଆ ଓଡ଼ିଆଶବ୍ଦ ସୃଷ୍ଟି ହୋଇଛି । ଯେଉଁଥିପାଇଁ କବି ସଗର୍ବେ ଲେଖିଛନ୍ତି - “ଲଭିଛି ମୁଁ ଶବ ସମୁଦ୍ର ପାର” । ତୃତୀୟ କିର୍ତ୍ତୀସ୍ତମ୍ଭ ହେଲା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ । ବହୁକଷ୍ଟ ସ୍ୱୀକାର ପୂର୍ବକ ଏବଂ ସତର୍କତାର ସହ ଏହା ମୁଦ୍ରିତ ହୋଇଥିଲେ ମଧ୍ୟ ଶବ୍ଦର ସ୍ଥାନ, କାଳ, ପାତ୍ର ଆଦି ବିଷୟରେ ନିର୍ଦ୍ଧିଷ୍ଟ ସୂଚନା ନ ଥିବାରୁ ଏହା ହୋଇଯାଇଛି ଘାତ୍ତ ତିଅଣ । ଡକ୍ଟର ବିଜୟ ପ୍ରସାଦ ମହାପାତ୍ରଙ୍କ ଭାଷାରେ- “ମାଛ ସାଙ୍ଗରେ ପରିବା, ପରିବା ସାଙ୍ଗରେ ଡାଲି, ଡାଲି ସହିତ ତେଲଲୁଣ ମିଶି ହୋଇଯାଇଛି ଲୋଭୀ ଚକୁଳିଆ ପଣ୍ଡାର ବିଚିତ୍ର ବୁଜୁଳି ।” ଏହାପରେ ଆଉ ଓଡ଼ିଆ ଅଭିଧାନ ଲେଖାଯାଇ ନାହିଁ ।

ସାରଳା, ଉପେନ୍ଦ୍ରଙ୍କ ସାହିତ୍ୟସମ୍ଭାରକୁ ଅଭିଧାନ କହିବାଦ୍ୱାରା କେତେକ ପଣ୍ଡିତେ ସଚ୍ଚି ରାଉତରାୟ ଓ ଗୋପୀନାଥ ମହାନ୍ତିଙ୍କ କୃତିକୁ ଏହି ପର୍ଯ୍ୟାୟଭୁକ୍ତ କରିବାପାଇଁ ମତ ଦେଇପାରନ୍ତି । ମାତ୍ର ଏହି ସମୟବେଳକୁ ଚିକିତ୍ସା, ବିଜ୍ଞାନ, ବାଣିଜ୍ୟ-ବ୍ୟବସାୟ ଆଦି ବିିଭିନ୍ନ ନବନବ ପଦ୍ଧତିର ଆଗମନ ଯୋଗୁଁ ଏହାକୁ ଭିତ୍ତିକରି ବହୁଶବ୍ଦ ଓଡ଼ିଆଭାଷା ଭିତରକୁ ଆସିଛି, ଯାହା ସାମଗ୍ରିକ ଭାବେ ସଚ୍ଚିବାବୁ କିମ୍ବା ଗୋପୀନାଥଙ୍କ କୃତିରେ ଦେଖିବାକୁ ମିଳେନାହିଁ । ବିଶେଷକରି ସାରଳାଙ୍କ ସାହିତ୍ୟ ସଂସ୍କୃତଭାଷାରୁ ଏବଂ ଉପେନ୍ଦ୍ରଙ୍କ ସାହିତ୍ୟ ପାର୍ଶୀଭାଷାରୁ ଓଡ଼ିଆଭାଷାକୁ ସୁରକ୍ଷିତ କରି ରଖିଥିବାବେଳେ ଏମାନଙ୍କ କୃତି ଇଂରାଜୀ ଭାଷାପ୍ରଭାବରୁ ଓଡ଼ିଆଭାଷାକୁ ସୁରକ୍ଷିତ କରି ରଖିପାରିନାହିଁ । ଅର୍ଥାତ ଊନବିଂଶ ଓ ବିଂଶ ଶତାବ୍ଦୀ ଭାଷା-ବିସ୍ଫୋରଣର ସମୟ ହୋଇଥିବାରୁ ପ୍ରଚଣ୍ଡ ବେଗରେ ଯେଉଁ ଶବ୍ଦସ୍ରୋତ ପୃଥିବୀର ପ୍ରତ୍ୟେକ ଭାଷାଭଣ୍ଡାରକୁ ପ୍ରବାହିତ ହେଉଥିଲା ସେଗୁଡ଼ିକୁ ପୂର୍ବପରି ଏମାନଙ୍କ ସାହିତ୍ୟ ବାନ୍ଧି ରଖି ପାରିଲାନାହିଁ । ଏଥିପାଇଁ ଆବଶ୍ୟକ ହେଲା ସ୍ୱତନ୍ତ୍ର ଅଭିଧାନ ପ୍ରଣୟନ । ତେଣୁ ବିଶ୍ୱର ଅନ୍ୟଭାଷା ଭଳି ଓଡ଼ିଆଭାଷାରେ ମଧ୍ୟ ପ୍ରଚଳିତ ଶବ୍ଦକୁ ନେଇ ସମତାଳରେ ସ୍ୱତନ୍ତ୍ର ଅଭିଧାନ ପ୍ରସ୍ତୁତିକାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଅର୍ଥାତ୍ ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଆ ଭାଷା ବିଶ୍ୱର ଅନ୍ୟ ପ୍ରମୁଖଭାଷା ସମକକ୍ଷ ଥିଲା । ଏହାର ଉପଯୁକ୍ତ ଦୃଷ୍ଟାନ୍ତ ହେଲା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କିମ୍ବା ପ୍ରମୋଦ ଅଭିଧାନ । ଏହି ଦୁଇଟି ଅଭିଧାନ ରଚନା ହେବାର ୭୦ ବର୍ଷ ବିତି ଗଲାଣି । ଏହାଭିତରେ ବହୁ ନୂଆନୂଆ ଶବ୍ଦ ଆସିଛି - ଯାଇଛି ମଧ୍ୟ । ମାତ୍ର ଆମ ସରକାର ଏବଂ ଓଡ଼ିଆ ଅଭିଧାନକାର ଏସବୁ ସଂଗ୍ରହ ନ କରି ପୁରୁଣା ମଦକୁ ସୁଦୃଶ୍ୟ ନୂଆ ବୋତଲରେ ମୁଦ ଦେଇ ବଜାରରେ ବିକ୍ରି କରିବାଭଳି ବର୍ତ୍ତମାନ ପରିପ୍ରେକ୍ଷୀରେ ବହୁ ଅପ୍ରଚଳିତ ଓଡ଼ିଆ ଶବ୍ଦସମ୍ଭାରକୁ ନେଇ ତଥା ଏହାର ବ୍ୟୁପିତ୍ତିଗତ ଅର୍ଥ ପ୍ରଦାନ ନ