ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରାମଲୀଳା
ଆଦ୍ୟକାଣ୍ଡ
ଗୁଣସାଗର ବାଣୀ[୧]
ଶ୍ରୀ ନୀଳଗିରି ଶିଖରେ ବିଜେ ହରି ଦ୍ୱାଦଶ ଯାତ୍ରା ବିନୋଦେ ।
ସ୍ନାନ ଶ୍ରୀଗୁଣ୍ଡିଚା ଅୟନ ଶୟନ ପାରଶ୍ୱ ପାଲଟ ମୋଦେ ।।
ଦେବ ଉତ୍ଥାପନ ମକର ଓଢ଼ଣ ଦୋଳ ଦମନକ ଚୋରୀ ।
ଚନ୍ଦନ ଚମ୍ପକ ଉତ୍ସବ ସହିତେ ଏ ବିଧି ଲୀଳା ଆଚରି ।।
ଦ୍ୱାଦଶ ଯାତ୍ରାରୁ ତିନି ଯାତ୍ରା ସାର ଦୋଳ ସ୍ନାନ ଶ୍ରୀଗୁଣ୍ଡିଚା ।
ସକଳ ଲୋକର ଅବଲୋକନରେ ପାତକ ସମୂହ ମୁଞ୍ଚା[୨] ।।
ଶ୍ରୀ ଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ଡିଚା ଘରେ ବିଜୟ ।
ଦେଖି ନାଗ ନର ଗନ୍ଧର୍ବ କିନ୍ନର କରୁଛନ୍ତି ଜୟ ଜୟ ।।
ରତ୍ନ କୁଣ୍ଡଳ ମୁକୁଟ ବ୍ୟାଘ୍ରନଖ ବୀର ଚୂଳ କଣ୍ଠିମାଳ[୩] ।
ହୃଦୟ ପୂରି ପଦକ[୪] ଘଞ୍ଚା ଘଞ୍ଚି ପଦ୍ମମାଳ ପାଦତଳ ।
ହେମ ଶ୍ରୀପୟରେ ହେମ ଶ୍ରୀଭୁଜରେ[୫] ଶୋହେ ହେମ ଧନୁର୍ବାଣ ।
ଯେବଣ ଦକ୍ଷିଣମୂର୍ତ୍ତି-ଦର୍ଶନକୁ ଟାକିଥାନ୍ତି ବିଭୀଷଣ ।।