ପୁତ୍ର ନୋହିଲା ବୋଲିଣ ରାୟେ କଲେକ ବହୁତ ଶୋକ ।
ପ୍ରବୋଧ କରି କହିଲେ ତାଙ୍କୁ ସୁମନ୍ତ୍ର ମନ୍ତ୍ରୀ ଅନେକ ।।
ବୋଲେ ସୁମନ୍ତ୍ର ଶୁଣ ନୃପବର ସନତ କୁମାର ବାଣୀ ।
ବିଭାଣ୍ଡ ପୁତ୍ର ଇଷ୍ଟି କରିଲେ ହେବ ଅଛି ଶୁଣି ।।
ଅନେକ କାଳ ଚମ୍ପାବତୀର ଅନାବୃଷ୍ଟି ହୋଇଥିଲା ।
ଲୋମପାଦପ ବିଭାଣ୍ଡ ସୁତ ଆଣନ୍ତେ ବୃଷ୍ଟି ହୋଇଲା ।।
ତେଣୁ ତାହାଙ୍କୁ ଶାନ୍ତା କନ୍ୟାକୁ ବିଭା କରାଇଲେ ରାଜା ।
ବୋଲେ ବିଶି ଋଷିଶୃଙ୍ଗ ୟେବେ ତା'ପୁରେ ପାଆନ୍ତି ପୂଜା [୧]
ଦିଶ – ମଙ୍ଗଳଗୁଜ୍ଜରୀ
ବୋଲନ୍ତ ରାଜନ ଋଷି ଥିଲେ ଅବା କାହିଁ ।
କେମନ୍ତ ପ୍ରକାରେ ବିଜେ କରାଇଲେ ତହିଁ ହେ ।।
ଶୁଣି ସେ ସୁମନ୍ତ୍ର ମନ୍ତ୍ରୀ କହେ କର ଯୋଡ଼ି ।
ବିଭାଣ୍ଡକ ମଠେ ଥିଲେ ବେଦଶାସ୍ତ୍ର ପଢ଼ି ହେ ।।
ଲୋମପାଦ ନୃପ ବେଶ୍ୟାମାନଙ୍କୁ ପେଷିଲେ ।
ସେମାନେ ଯାଇଣ ତାଙ୍କ ବନସ୍ତେ ପଶିଲେ ହେ ।।
ମଠ ଜଗାଇ ତପକୁ ଗଲେ ବିଭାଣ୍ଡକ ।
ତାହା ଜାଣି ବାରନାରୀ ମିଳିଲେ ଅନେକ ହେ ।
ଋଷିପ୍ରାୟେ ମଣି ଋଷିଶୃଙ୍ଗ ପୂଜା କଲେ ।
ତାଙ୍କ ଶୋଭା ଦେଖି ଋଷି ବହୁ ଦୁଷ୍ଟ ହେଲେ ହେ ।।
ପଚାରନ୍ତି କେବଣ ବନରେ ତୁମ୍ଭ ମଠ ।
ପଢ଼ିଅଛ କେବଣ ଶାହାସ୍ର ତୁମ୍ଭେ ପାଠ ହେ ।।
ଧନ୍ୟ ଧନ୍ୟ ତୁମ୍ଭ ବଳ ଧନ୍ୟ ତୁମ୍ଭ ପୁଣ୍ୟ ।
କେବଣ ବୃକ୍ଷର କ୍ଷୀର ହୋଇଛ ଲେପନ ହେ ।।
- ↑ ପ୍ରସ୍ତୁତ ପଦ୍ୟଟି ପ୍ରକାଶିତ ପୁସ୍ତକରେ ମିଳେ ନାହିଁ । କିନ୍ତୁ ପ୍ରସଙ୍ଗ ଦୃଷ୍ଟିରୁ ଏ ପଦ୍ୟଟି ଅତ୍ୟନ୍ତ ଆବଶ୍ୟକ ବୋଲି ମନେ ହୁଏ ।