ଆଦ୍ୟକାଣ୍ଡ |
ସେ ଦିନ ସୁଖେ ତହିଁ ରହି ନିଶି ପୁହାଇ
ପ୍ରାତରୁ ସ୍ନାନ ସନ୍ଧ୍ୟା କଲେ
ବେନି ଭାଇଙ୍କୁ ଘେନି ଆନନ୍ଦ ହୋଇ ମୁନି
ପଥ ଅନୁସରିଣ ଗଲେ ହେ, ସୁଜ୍ଞଜନେ ।
ଚାଲନ୍ତେ ମହା ଘୋର ବନ
ମୁନି ହୁଅନ୍ତି ଛନ୍ନଛନ୍ନ,
ମୁନି ଭରସା ପାଇ ଧନୁରେ ଗୁଣ ଦେଇ
ଟଙ୍କାର କଲେ ଘନ ଘନ ସେ ।।
ଗର୍ଜନ ଶୁଣି କରି ଗର୍ଜି ତାଡ଼କାସୁରୀ
ଅନାଇ ରୋଷେ ଚଉପାଶ
ତରୁ ଆୟୁଧ ଘେନି ବୁଲାଇ ନେତ୍ର ବେନି
ପଥରେ ହୋଇଲା ପ୍ରବେଶ ହେ, ସୁଜ୍ଞଜନେ ।
ଦଶନେ ଚାପିଣ ଅଧର
ତୁଣ୍ଡରୁ ଗଳଇ ରୁଧିର,
କେଶ କରି ମୁକୂଳ ଟେକି ବାହୁ ଯୁଗଳ
ଦିଶଇ ମହା ବିକରାଳ ହେ ।।
ରାମ ସଙ୍ଗେ ଅସୁରୀ ବହୁ ସମର କରି ।
ମୁନିଙ୍କି କରୁଥିଲା ଭକ୍ଷ
ତାହା ଜାଣି ଶ୍ରୀରାମ ଧନୁରେ ସନ୍ଧି ଗୁଣ
ପ୍ରହାରିଲେ ଅସୁରୀ ମୁଖ ହେ, ସୁଜ୍ଞଜନେ ।
ରାମ ଶର ତା ମୁଖେ ପଡି
ସ୍ୱର୍ଗେ ଗଲା ବିମାନ ଚଢ଼ି,
ମହା ଗର୍ଜନ କରି ମୃତ୍ୟୁ ପିଣ୍ଡ ତାହାରି
ପଡ଼ିଲା ବନ ଗିରି ମାଡ଼ି ହେ ।।
ସିଦ୍ଧ ବନେ ପ୍ରବେଶ ରାମ ଦେଖି ହରଷ
ହୋଇଲେ ସର୍ବ ମୁନିମାନେ
ଉଚ୍ଚାରିଲେ ନିଗମ ଯେ ବିଧି ଯଜ୍ଞକର୍ମ [୧]
ଜଗିଲେ ରାମ ସାବଧାନେ ହେ, ସୁଜ୍ଞଜନେ ।
ମାତା ମରଣ ଜାଣି ସୁତେ
କ୍ରୋଧରେ ଅଇଲେ ତ୍ୱରିତେ,[୨]
ଘେନି ଅସୁର ସୈନ୍ୟ ଋଷି ତପ ଅରଣ୍ୟ
ପ୍ରବେଶ ହୋଇଲେ ସେ ରାତ୍ରେ[୩] ହେ ।।