ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ଡ ୨୫



ରାଗ-ଚୋଖି
ଆନନ୍ଦ ହୋଇ ଜନକ ବିଶ୍ୱାମିତ୍ରଙ୍କୁ ଅନେକ
ଗଉରବ କରି ନିଜ ପୁରକୁ ନେଲେ
ରାମ ଲକ୍ଷ୍ମଣଙ୍କୁ କୋଳେ ବସାଇ ଋଷିଙ୍କ ମେଳେ
ବିଚାରିଣ ଲେଖା ଲେଖି ଦୂତଙ୍କୁ ଦେଲେ ।
ଦଶରଥ ଅଇଲେ ବିଭା
ନ ଜଣାଇ କଲେ ତ ଦିଶିବ ଅଶୋଭା ।
ଜନକ ନୃପତି ଦୂତ ଅଯୋଧ୍ୟା ପୁରେ ଉଦିତ [୧]
ତୁରିତେ [୨] ଚିଟାଉ ଦେଲା ରାଜାଙ୍କ ପାଶେ
ଭୋ ପ୍ରଭୁ ତୁମ୍ଭ କୁମର ବିଶ୍ୱାମିତ୍ରଙ୍କ ସଙ୍ଗର
ବିଜୟ କରି ଅଛନ୍ତି ମିଥିଳା ଦେଶେ ।
ଶିବଧନୁ ଭାଙ୍ଗିଲେ ହେଳେ
ଲକ୍ଷେ ରାଜା ରୁଣ୍ଡ ହୋଇ ଦେଖିଲେ ଡ଼ୋଳେ ।

ମାରି ତାଡ଼କୀ ସୁବାହୁ ରାମଚନ୍ଦ୍ର ମହାବାହୁ
ଯାଗ [୩]ରଖିଣ ମୁନିଙ୍କି ଅଭୟ ଦେଲେ
ଗଉତମଙ୍କ ଯୁବତୀ ଶାପରେ ପାଷାଣ ମୂର୍ତ୍ତି
ଚରଣ ଲଗାଇ ତାଙ୍କୁ ଯୁବତୀ କଲେ ।
ବିଜେ କଲେ ବିଭା ହୋଇବ
ଜନକ ତୁମ୍ଭ ଛାମୁକୁ ପେଷିଲେ ଦେବ ।।
ଶୁଣି ନୃପତି ଆନନ୍ଦ ଚକ୍ଷୁ କି ପାଇଲା ଅନ୍ଧ
ଦୂତକୁ ଧନ ବସନ ବଧାଇ ଦେଲେ
ସଙ୍ଗେ ଭରତ ଶତ୍ରୁଘ୍ନ[୪] ଆବର ସକଳ ସୈନ୍ୟ
ଘେନି ନୃପତି ମୁକୁଟ ବାହାର ହେଲେ ।
ମିଥିଳା ନଗରେ[୫] ପ୍ରବେଶ ।
ବୋଲି ବିଶି ଶୁଭୁଅଛି ମଙ୍ଗଳ ଘୋଷ ।।

  1. ତୁରିତ ପୋଥିପାଠ
  2. ପ୍ରବେଶି ପୋଥିପାଠ
  3. ଯଜ୍ଞରଖିଣ ପୋଥିପାଠ
  4. ସଙ୍ଗେ ଭ୍ରଥ ଶତ୍ରୁଘନ ପୋଥିପାଠ
  5. ନବରେ ପୁସ୍ତକପାଠ । ନବରେ ଅପେକ୍ଷା ନଗର ପାଠ ଅଧିକ ଯୁକ୍ତିଯୁକ୍ତ । କାରଣ ପରବର୍ତ୍ତୀ ଗୀତରେ ଜନକ ତାଙ୍କୁ ପାଛୋଟି ନେଇ ଥିବାର ବର୍ଣ୍ଣନା ରହିଛି ।