ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

ରୁଚିର ଚରଣ ନଖ ଛଟାର ମହିମା ।
ଋକ୍ଷ ସଂଖ୍ୟା କଳ୍ପେ କଳ୍ପି ନପାଇଲେ ସୀମା ହେ । ୮ ।
ଲୁବ୍ଧକ ତାରକ, ବ୍ରହ୍ମା ହର ଗର୍ବହର ।
ଲୁଟାଇପାର କୃପାରେ ମୁକତି ଭଣ୍ଡାର ହେ । ୯ ।
ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ ।
ଲୋଳୁପ ଗୋପୀବଦନାମ୍ବୁଜପୀୟୂଷକୁ ହେ । ୧୦ ।
ଏମନ୍ତ ମହିମାବନ୍ତ ପ୍ରେମଭକ୍ତି ରସ ।
ଏକନିଷ୍ଠେ ଅଭିମନ୍ୟୁ କବି କରି ଆଶ ହେ । ୧୧ ।
(ଇଚ୍ଛାତ୍ରୟ:—୧;ଦୈନ୍ୟବୋଧିକା । ୨:ପ୍ରାର୍ଥନାମୟୀ । ୩;ଲାଳସାମୟୀ )
ଐରାବତ ଗତି ଅଣିମାଦି ଭୋଗ ମୁକ୍ତି ।
ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନୋହିବ ଆସକ୍ତି ହେ । ୧୨ ।
ଔଷଧୀଶାନନ ହେ ମାଗୁଛି ପଦ ଧରି ।
ଓ କରିବି, ଆଲୋ ଦାସି, ଡାକିବେ କିଶୋରୀ ଯେ । ୧୩ ।
ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟାଦି ନିପୁଣ ପାଦାଶ୍ରିତେ ।
ଔଷଧ ସେ ମୋର, ତୁମ୍ଭେ ବଶ ହେବ ସତେହେ । ୧୪ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱରୀ ଈଶ୍ୱର ।
ଅକୈତବ କରୁଣାକୁ ପରସ୍ପରେ କର ହେ । ୧୫ ।
ଅନନ୍ତ ସିଦ୍ଧି ମୋହର ତୁମ୍ଭ ପଦାର୍ଚ୍ଚିତ ।
ଅବିଘ୍ନେ ହେଉ ସର୍ବଦା ଆଜ୍ଞା କର ଦତ୍ତ ହେ । ୧୬ ।
ଅନୁକ୍ରମଣୀ—
କାମନା କଳପତରୁ ଚିନ୍ତାମଣି ନାମ ।
କଳ୍ପଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ । ୧୭ ।
ଖଗପତି ପୂର୍ଣ୍ଣକର ଏ ମୋର ମାନସ ।
କ୍ଷିତିପାବନ ମଙ୍ଗଳ ବର୍ଣ୍ଣିବ ତୋ ଯଶ ହେ । ୧୮ ।
ଗୁଣଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ।
ଗୀତ ହେବ ବିଦଗଧ ଚିନ୍ତାମଣି ନାମ ହେ । ୧୯ ।
ଘୃଣାରେ ଘୋଷିଲେ ନରେ ପାଇବେ ନିର୍ବାଣ ।
ଘୃତବତ ରସିଖୃଦକୁ ରବି ଜାଣ ହେ । ୨୦ ।


୮—୨ ବ୍ରହ୍ମା, କ, ଘ, ଚ, ଟ; ୧୩—୨ ଡାକିଲେ, କ, ଖ, ଟ; ୧୫—୨
ପରମ୍ପରା, କ, ଖ, ଗ, ଟ ।