ପୃଷ୍ଠା:Galpa swalpa.djvu/୧୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ

ଉକୀଲ - ବର୍ତ୍ତମାନ ଥରେ ଚାଖ ।

କନେଷ୍ଟବଲ ବରାମଦି ମାଟି କିଞ୍ଚିତ୍ ହାଣ୍ଡିରୁ ଉଠାଇ ଚାଖିଲେ, କହିଲେ, "ଦେଖନ୍ତୁ ଲୁଣିଆ ଲାଗୁଛି ।"

ଉକୀଲ - ଆଉ ଥରେ ବେଶି କରି ଚାଖ ।
କନେଷ୍ଟବଲ - କିଞ୍ଚିତ୍ ଗୋସା ହୋଇ ଖୁବ୍ ବୁଙ୍ଗାଏ ମାଟି ପାଟିରେ ପୂରାଇ ଦେଲେ । ମିସଲରୁ ଓହ୍ଲାଇ ଯାଇ ଥୁ ଥୁ କରି ବାହାରେ ଫିଙ୍ଗି ଦେଲେ । ମିସଲକୁ ଆସି ଉକୀଲଙ୍କୁ ଖୁବ୍ ହେମତରେ କହିଲେ, "ଦେଖ, ମାଟି ଖୁବ୍ ଲୁଣିଆ ।"

ଉକୀଲ ମୁହଁରେ ରୁମାଲ ଦେଇ ହସିଲେ, ଆଉ କିଛି ପଚାରିଲେ ନାହିଁ ।

ମୁଦେଇ ତରଫ ସାକ୍ଷୀ ଦିଗବାର ଶଙ୍କ୍ରୁ ମଳିକଙ୍କର ନାମ ଧାମ ହାକିମ ଲେଖିବା ଉତ୍ତାରେ, ପେସ୍କାରେ ସତ୍ୟପାଠ ପଢ଼ାଇଲେ ।

ସୱାଲ - କନେଷ୍ଟବଲ ଆସାମୀକୁ ଗ୍ରେପ୍ତାର କରିବା ବେଳେ ତୁ ପାଖରେ ଥିଲୁ ?

ଜବାବ ଶଙ୍କ୍ରୁ ମଳିକ - ହଁ, ମୁଁ ପାଖରେ ଥିଲି ।

ସୱାଲ - ଆସାମୀ ରାମା ଲୁଣ ମାରିବା ପାଇଁ ହାଣ୍ଡିରେ ଦହପାଣି ରଖିଥିଲା, ତୁ ଜାଣୁ ?

ଜବାବ - ହଁ, ମୁଁ ଜାଣେ ।

ସୱାଲ - ଆସାମୀ ନାଳ ମୁହଁରେ ପାଣି ଢାଳି ଦେଲା, ତୁ ଦେଖିଛୁ ?

ଜବାବ - ଆଜ୍ଞା ଆଜ୍ଞା, ହୁଁ ହୁଁ, ରାମା ପାଣି ଫୋପାଡି ଦେଲା । ସେ ଲୁଣ ମାରେ ।

ମୁଦାଲା ତରଫ ଉକୀଲ ସୱାଲ - ରାମା ପାଣି ଢାଳି ଦେବାବେଳେ ତୁ ପାଖରେ ଛିଡ଼ା ହୋଇ ଦେଖିଛୁ କି ନା ? ଜବାବ - ନା ମୁଁ ଦାଣ୍ଡରେ ଛିଡା ହୋଇଥିଲି । ଜମାଦାରେ କହୁଥିଲେ ମୁଁ ଶୁଣିଛି ।

ହାକିମ କିଣାରାମ ସିଂକୁ ପଚାରିଲେ, "ତୁମର ଆଉ କେହି ଗୁହା ଅଛି ?"

କିଣାରାମ କହିଲେ - ମୁଁ ସରକାରୀ ପୋଲିଶ - ନିଜେ ଆଖିରେ ଦେଖିଛି । ଆଉ ଗୁହା କଣ ?

ହାକିମ ଏ କଥା ଶୁଣି ମୁରୁକି ହସିଲେ ।

ମାମଲା ପ୍ରମାଣ କରାଇବା ପାଇଁ ସାକ୍ଷୀ ପ୍ରୟୋଜନ, ଏ କଥା କିଣାରାମଙ୍କୁ ଜଣା ନ ଥିଲା ।

ଏ ଉତ୍ତାରେ ଆସାମୀର ଜବାବ ନିଆଗଲା ।

ଆସାମୀ ରାମ ବାରିକର ନାମ ଧାମ ହାକିମ ଲେଖି ନେଲା ଉତ୍ତାରେ, ତାହା ବିଷୟରେ ଅଣା ଯାଇଥିବା ଅଭିଯୋଗ ସଂକ୍ଷେପରେ ବୁଝାଇ ଦିଆଗଲା ଉତ୍ତାରେ ହାକିମ ପଚାରିଲେ, "ତୁ ଦୋଷୀ କି ନିର୍ଦ୍ଦୋଷ ।"

ଜବାବ ଆସାମୀ ରାମ ବାରିକ - ମୁଁ ନିର୍ଦ୍ଦୋଷ

ହାକିମ - ତେବେ କି ସକାଶେ ପୋଲିଶ ତତେ ଚାଲାଣ ଦେଲା ?

ଜବାବ - ଆଜ୍ଞା ମୁଁ ଜମାଦାରଙ୍କର ବେଠି ନ କରିବାରୁ ସେ ମୋ ହାତରେ ଅଧ ହାଣ୍ଡିଏ ମାଟି ଦେଇ ବାନ୍ଧି ଘେନି ଆସି ଅଛନ୍ତି ।

ସୱାଲ - ତୋତେ କିପରି ବାନ୍ଧି ଆଣିଲେ ?

ଜବାବ - ଆଜ୍ଞା ମୁଁ ଘରେ ଶୋଇଥିଲି । ମୋ ଘରେ ପଶି ଖୁବ୍ ମାରିଲେ ଓ ମାରି କରି ବାନ୍ଧି ଆଣିଲେ ।

ସୱାଲ - ତୁ ଦିନବେଳେ ଶୋଇଥିଲୁ ?

ଜବାବ - ଆଜ୍ଞା ମୋତେ ଜ୍ୱର ହୋଇଥିଲା - ନା ନା ମୋ ପେଟ ଟାଣୁ ଥିଲା, ମୁଁ ଶୋଇଥିଲି ।