ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମେନ୍ଷ୍ଟ୍ରୁଆଲ୍ ଫ୍ଲୋ ଯଦି ବାହାରକୁ ଦେଖାଯାଉଥାନ୍ତା ତା ହେଲେ ଆମେ ଆହୁରି ଗଭୀର ଭାବରେ ପ୍ରେମ କରିପାରୁଥାନ୍ତୁ । କାରଣ ତମର କଣ କଣ ସବୁ ମୋତେ ଭଲ ଲାଗେ ବୋଲି ପଚାରିଲେ ମୁଁ କହନ୍ତି, "ତମର ଶାଢ଼ି ପିନ୍ଧା ପ୍ରଣାଳୀ, ତମର ଏନ୍ଟିକ ନାକ, ଯେକୌଣସି ଶିଶୁ ପଛରେ ତମେ ସମ୍ଭ୍ରମରେ ଦୌଡୁଥିବା ଦୃଶ୍ୟ, ତମର କଫି ରଙ୍ଗର କଲିଜା, ଲାଲ ରଙ୍ଗର ଧମନୀ, ଧଳା ସ୍ପଂଜପରି ଗର୍ଭାଶୟ ମୋତେ ଖୁବ୍ ଭଲଲାଗେ । ମୋତେ ବି ଭଲ ଲାଗେ ତମର ଖପୁରି ତଳେ ଥିବା ବସାଦହିର ଧଳା ରଙ୍ଗ, କୁକୁଡ଼ାର ହାଡ଼ ପରି ସରୁସରୁ ସଳଖ ସଳଖ ହାଡ଼ ଓ ସର୍ବୋପରି, ସେଇ ପୌନଃପୁନିକ ନାଲି, ହଲଦିଆ ରଙ୍ଗର ରଜ । ମୋତେ...' ଶତରୂପା କଥା କାଟି କହନ୍ତି, "ଥାଉ ଥାଉ, ତମେ ମୋତେ କେତେ ଭଲପାଉଛ, ମୁଁ ଜାଣେ ।' ଭଲ ପାଇବାର କଥା ପଡ଼ିଲେ ଶତରୂପା ସବୁବେଳେ ଏମିତି ଅଭିମାନ କରନ୍ତି । ତାଙ୍କର ଅଭିମାନର କାରଣ ବି ଅଛି । ବାହାଘର ପୂର୍ବରୁ ସେ ଆଉ କାହା କାହାକୁ ଭଲ ପାଉଥିଲା ସେସବୁ କଥା ନିଃସଙ୍କୋଚରେ ତାଙ୍କୁ କହି ଦେଇଛି ସ୍ୱୟଂଭୁବ । ଏକଥା ବି କହିଛି ଯେ ସେ ଭଲପାଉଥିବା ସମୟରେ ତାକୁ ଯେତେ ଖୁସି ଲାଗୁଥିଲା, ତାଠାରୁ ବର୍ତମାନ ତାକୁ ବେଶୀ ଖୁସି ଲାଗୁଛି, ଯେତେବେଳେ ସେସବୁ କଥା ଏବେ ପୁରୁଣା ହୋଇ କେବଳ ସ୍ମୃତିରେ ରହିଯାଇଛି । ଭଲପାଇବା ତ ତାର ଜନ୍ମସିଦ୍ଧ ଅଧିକାର । ସମସ୍ତଙ୍କୁ ସେ ଭଲପାଇବା ପାଇଁ ବାଧ୍ୟ । କିନ୍ତୁ ଭଲପାଇବା ବି ଏକ କଷ୍ଟକର ବ୍ୟାପାର । ଗୁଡ଼ାଏ ଦାୟିତ୍ୱର ବୋଝ ସମ୍ଭାଳିବାକୁ ପଡ଼େ । ତମକୁ କିଛି ନା କିଛି ତମର ପ୍ରେମାସ୍ପଦଠାରୁ ଅହରହ ଲୁଚାଇବାକୁ ପଡୁଥିବ । ଛଳନା କରିବାକୁ ପଡୁଥିବ । ସଜାଡ଼ିବାକୁ ପଡୁଥିବ । ବାହାନା କରିବାକୁ ପଡୁଥିବ । ଏବଂ ଏମିତି କାମରେ ତମେ ଯଦି ବିଚକ୍ଷଣ ଓ ପ୍ରତ୍ୟୁତ୍ପନ୍ନମତି ନୁହଁ ତେବେ ତମେ ପ୍ରେମବଣିଜରେ ବିଫଳ ହେବାକୁ ବାଧ୍ୟ । ସ୍ୱୟଂଭୁବର ଜୀବନରେ ଏମିତି ହିଁ ହୋଇଛି । ସେଦିନ, ଲିଲିର ବାରମ୍ବାର ମନା କରିବା ସତ୍ୱେ ସ୍ୱୟଂଭୁବ କଲେଜ ଇଲେକ୍ସନରେ ଛିଡ଼ା ହେବାପାଇଁ ଫର୍ମ ପୁରଣ କରିଥିବା ହେତୁ ଲିଲି ଇଲେକ୍ସନ୍ ଶେଷ ଯାଏ କଥା ହୋଇ ନଥିଲା । ନିଜ ଘରକୁ କୌଣସି ନିର୍ଦିଷ୍ଟ ସମୟରେ ଆସିବାପାଇଁ ପିପି ବାରମ୍ବାର ତାଗିଦ କରିଥିବା ସତ୍ୱେ ସ୍ୱୟଂଭୁବ ପାଶୋରି ଦେଇ ଯାଇ ନ ପାରିଥିବାରୁ ସେ ବି ବହୁଦିନ ଯାଏ ମୁହଁ ମୋଡ଼ିଥିଲା । କାହାର ଭାଇ/ଭଉଣୀର ବାହାଘରକୁ ଯାଇ ନ ପାରିଥିବା ହେତୁ, ତାଙ୍କ ଘରବାଟ ଦେଇ ଯିବାବେଳେ ତାଙ୍କ ଦ୍ୱାର ମାଡ଼ି ନଥିବା ହେତୁ, ବିଶେଷଭାବରେ ଏଇ ପାଶୋରିବା ପ୍ରକୃତି ହେତୁ ସ୍ୱୟଂଭୁବ ବହୁ ସମୟରେ ଅସୁବିଧାରେ ପଡ଼ିଛି । କାରଣ ସ୍ୱୟଂଭୁବ କୈଫିୟତ ଦେଇ ଜାଣେନା, କାନଧରି ଉଠବସ୍ ଦି'ଥର ହୋଇ ଜାଣେନା, ସେମାନଙ୍କ ସ୍ୱପ୍ନରେ ନିଜେ ଅଂଶୀଦାର ହୋଇ ଜାଣେନା । ଟୁଟି କଲେଜରେ ଇଂରାଜି ସାହିତ୍ୟ ପଢ଼ାଏ । ଦିନେ ସେ କଲେଜ ବାହାରିପଡ଼ି ତରତରରେ ଆସି, ବଦେଲାୟାରଙ୍କ କବିତାଟିଏ ଦେଖାଇ, ସଙ୍କ୍ଷେପରେ ଟିକେ କହିଦେବାକୁ କହିଲା । ସେଦିନ ହିଁ ତାର କବିତାଟି କ୍ଲାସରେ ବୁଝାଇବାର ଥିଲା । ସ୍ୱୟଂଭୁବ ମନା କଲା । କହିଲା, କବିତା ପଡ଼ିଲେ ତାକୁ ରୋଗଗ୍ରସ୍ତ ହେଲାପରି ଲାଗେ । ଜରଧରି ଯାଏ । ତେଣୁ ସେ ସଙ୍କ୍ଷେପରେ କହିପାରିବ ନାହିଁ । ବରଂ ସେ ଆଜି କ୍ଲାସ୍ ନ ନେଉ । ଟୁଟି ଅଭିମାନ କରି ଚାଲିଗଲା । ଆଉଥରେ ଟୁଟିକୁ ଜରଧରି ଥିବାର ଓ ବାନ୍ତି ହେଉଥିବାର ଜାଣି ମଧ୍ୟ ସ୍ୱୟଂଭୁବ ପାଞ୍ଚଦିନ ଯାଏ ତାକୁ ଦେଖି ଗଲା ନାହିଁ । ତାର ଦେହ ଭଲ ହେଲାପରେ ଯାଇ କହିଥିଲା, "କାହାର ସ୍ୱାସ୍ଥ୍ୟ ସମ୍ପର୍କରେ ଭଲ ମନ୍ଦ ପଚାରିବାକୁ ମୋତେ ଖରାପ ଲାଗେ । ତୁମକୁ କଷ୍ଟ ହେଲା ବେଳକୁ ମୁଁ ଯଦି ପଚାରିବି "କେମିତି ଲାଗୁଛି?' ତୁମକୁ ଆହୁରି କଷ୍ଟ ହେବ ନାହିଁ? କଥା କହିପାରୁ ଥିବା ଶବକୁ କୁକୁର-ବିଲୁଆ-ଛଞ୍ଚାଣ ଖୁମ୍ପି ଖାଉଥିବା ବେଳକୁ ତାକୁ କେମିତି ଲାଗୁଛି ପଚାରିଲେ ସେ କଣ କହିବ? ତୁମର ପ୍ରିୟ ପୁସ୍ତକକୁ ଅଧା ଉଇ ଚରିଯାଇଥିବା ବେଳକୁ ତମେ ଯଦି ତାକୁ କେମିତି ଲାଗୁଛି ପଚାର ସେ କଣ କହିବ? ଏପରି ପ୍ରଶ୍ନ ପଚାରିବାର ଅଧିକାର କେବଳ ଡାକ୍ତରମାନଙ୍କର ଅଛି, ଅନ୍ୟ କାହାରି ନାହିଁ । ସେଥିପାଇଁ ତମେ ଭଲ ହେଲା ପରେ ଆସିଛି ଏବଂ ଏଇ ଫୁଲତୋଡ଼ା ଖାସ୍ ତମ ପାଇଁ ଆଣିଛି, ନିଅ ।' ଟୁଟି ଫୁଲ ନେଲା ନାଇଁ ଏବଂ ରାଗିଗଲା । କେମୋଫ୍ଲେଜରେ ବଞ୍ଚିବାର କଳା ସ୍ୱୟଂଭୁବକୁ ଆଦୌ ଜଣାନାଇଁ । ନିକମାଟାଏ । କେତେ ଅପଦସ୍ତ ହୁଏ! ତଥାପି କିଛି ଶିଖେ ନାଇଁ । ବିଚରା । ଲିଲି, ପିପି, ଟୁଟି ଏବେ ବିବାହିତ ଏବଂ ବୋଧହୁଏ ଜଞ୍ଜାଳଗ୍ରସ୍ତ । ଶତରୁପାଙ୍କୁ ବାହା ହେଲା ପରେ ବି ସ୍ୱୟଂଭୁବ ଏମିତି ବ୍ୟବହାର କରେ । ଶତରୁପାଙ୍କୁ ସେ ଖୁବ୍ ଭଲ ପାଏ । ତାର ସେ ପ୍ରେମାସ୍ପଦ, କିନ୍ତୁ ଆଧିପତ୍ୟ ନୁହନ୍ତି । ସମୂଦାୟ ସଂସାର ନୁହନ୍ତି । ଶତରୁପା ବି ପୂର୍ବ ପ୍ରେମାସ୍ପଦ ମାନଙ୍କ ପରି ସ୍ୱୟଂଭୁବର ତାଙ୍କ ପ୍ରତି ଭଲପାଇବାର ପ୍ରମାଣ ମଝିରେ ମଝିରେ ଚାହାନ୍ତି । ଏଇଟା ଆଉ ଏକ କଷ୍ଟକର ବ୍ୟାପାର । ପ୍ରେମ କଣ ଏକ ପ୍ରତିଦ୍ୱନ୍ଦିତା? ନା ପ୍ରତିଯୋଗିତା? ମୁଁ କେତେ ଓ ସେ କେତେ ପରସ୍ପରକୁ ଭଲ ପାଉଛୁଁ ତାର ଗୋଟେ ପ୍ରମାଣ କଣ? ଏପରି ଅସଙ୍ଗତ ପ୍ରେମ, ସର୍ତାଧୀନ