ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱୟଂଭୁବ କହିଲା, "ନା, ବଞ୍ଚିବା ପାଇଁ ଆୟୋଜନ କରିବାକୁ ପଡ଼େ । ଆୟୋଜନ ସବୁ ବରଫ ଭିତରେ ପୋତି ହୋଇ ରହିଥିବା ଅଙ୍କୁର ସଦୃଶ । କେଉଁ ଅନନ୍ତ କାଳରେ ବସନ୍ତ ଆସିବ ଏବଂ ବରଫ ତରଳିଲେ ଅଙ୍କୁରୋଦ୍ଗମ ହେବ ସେଥିପାଇଁ ପ୍ରତୀକ୍ଷିତ ଏ ଅଙ୍କୁର । ଆୟୋଜନ ହିଁ ମୋର ଲକ୍ଷ୍ୟ । ସନ୍ତାନ ନୁହେଁ ।' ଶତରୂପା କାନ୍ଦି ପକାଇଲେ । ଆଗନ୍ତୁକ ତଟସ୍ଥ ହେଲେ । ଖୁବ୍ ଜୋର୍ରେ ପବନ ବହିଲା । ଇଗ୍ଲୁର ମଶାରି କାନ୍ଥଟି ହିଲ୍ଲୋଳି ଉଠିଲା । ଆସବାବ ସବୁ ରୋମାଞ୍ଚିତ ହୋଇ ଉଠିଲେ । ଲୋମକୂପ ସବୁ ଥରିଉଠି ଦେହ ଶୀତେଇ ଉଠିଲା । ସ୍ୱୟଂଭୁବ କହିଲା, "ଆପଣ ଆମ ମାଧ୍ୟମରେ ଭୂମିଷ୍ଠ ହେଲେ ବି ଆମର ହୋଇ ରହିପାରିବେ ନାଇଁ । ଆପଣ ହିଁ ତ ଆମକୁ କହିଛନ୍ତି ମହାକାଳ ଯେମିତି ଆମମାନଙ୍କୁ ଧନୁ କରି ଶିଶୁମାନଙ୍କୁ ଶରରୂପେ ଛାଡ଼ି ଦେଇଛି । ଶର ସବୁ ତୀବ୍ର ବେଗରେ କ୍ଷେପି ଯାଉଛି ଅନନ୍ତକୁ । ଦିଗ୍ବଳୟ ଡେଇଁ ଅନାଦିକୁ । ମୋର ଶିଶୁଟିଏ ଦରକାର ଏବଂ ଦରକାର ନୁହେଁ ଉଭୟ । ଦରକାର କେବଳ ଶତରୂପାଙ୍କ ପାଖରୁ ନିସ୍ତାର ପାଇବା ପାଇଁ । କାରଣ ସେ ନିଶ୍ଚୟ ମୋତେ ଛାଡ଼ି ତାଙ୍କ ଶିଶୁକୁ ସବ୍‌‌ଜେକ୍ଟ କରିବେ ଓ ତାର ପ୍ରେଡିକେଟ୍ ହୋଇ ରହିବେ ।' ଆଗନ୍ତୁକ ପଚାରିଲେ, "ଦରକାର ନୁହେଁ କାହିଁକି?' "କାରଣ ଶିଶୁ ଆମ ପାଇଁ ଏକ ଚିତ୍ରକଳ୍ପ ହୋଇପାରେ । କିନ୍ତୁ ଏକ ସଂଶୟାତ୍ମକ ଚିତ୍ରକଳ୍ପ । ଦେଖିବାକ୍ଷଣି ସେ ନିଶ୍ଚିତ ଭାବରେ ଉଭେଇ ଯାଉଥିବ । ଛୁଇଁବାକ୍ଷଣି ସେ ମିଳେଇ ଯାଉଥିବ । କଳ୍ପନାରେ ସେ ଥିବ ଅହରହ ତରଙ୍ଗାୟିତ । ଶିଶୁ ଏକ ବିରୋଧାଭାଷ । ଏକ ଉଲଗ୍ନ ଅବତାରଣା ଏକ ସ୍ୱତନ୍ତ୍ର ସତ୍ୱ । ସେ ଏକ ବିଶୃଙ୍ଖଳିତ ଜୀବକୋଷ । ଏବଂ ବିଶୃଙ୍ଖଳିତ ଜୀବକୋଷମାନେ ନୈର୍ବ୍ୟକ୍ତିକ ପଦାର୍ଥ ହେବାପାଇଁ ବାଧ୍ୟ, ତାକୁ ଆମେ ଛୁଇଁ ପାରିବା ନାଇଁ, ଧରିପାରିବା ନାଇଁ, କୋଳେଇ ପାରିବାନାଇଁ । ତେଣୁ ଶିଶୁ ମୋ ପାଇଁ ଏକ ମନସ୍ତାତ୍ୱିକ ପ୍ରତିବନ୍ଧକ । ଶିଶୁ ନଥିବା ଏକ ଅଭାବ ନୁହେଁ, ବରଂ ଅଭାବର ଏକ ପରିପୂରଣ । ସବୁଠୁ ବଡ଼କଥା ହେଲା ଶିଶୁ ବର୍ତମାନ ନୁହେଁ- ଭବିଷ୍ୟତ । ଅଥଚ ମୁଁ ସବୁବେଳେ ବର୍ତମାନରେ ବଞ୍ଚେ । ବର୍ତମାନକୁ କଳୁଷିତ କରିବାପାଇଁ ଆଗ୍ରହୀ ହେବି କାହିଁକି? ବରଂ ମୁଁ ଏକ ନିରାପଦ ଦୂରତ୍ୱରେ ସାଷ୍ଟାମ ଅଛି ।' ଶତରୂପା ଏ ଯାଏଁ କାନ୍ଦୁଥିଲେ । ଆଗନ୍ତୁକ ନିର୍ବାକ ଛିଡ଼ା ହୋଇଥିଲେ । ସ୍ୱୟଂଭୁବ କହୁଥିଲା, "ତାଛଡ଼ା ମୁଁ କାହାରି ନନ୍-ବିଙ୍ଗ୍ ସାଙ୍ଗରେ କଥାବାର୍ତା କରିବା ପସନ୍ଦ କରେନା । ପ୍ରତି ମୁହୂର୍ତରେ ଆମେ କାହାର ନା କାହାର ବିଙ୍ଗ୍ ସାଙ୍ଗରେ ଭେଟ ହେଉଁ । ଯଦି ଏକାକି ଥାଉଁ ତେବେ ନିଜ ବିଙ୍ଗ୍ ସାଂଗେ ଭେଟ ହେଉଁ । ନନ୍-ବିଙ୍ଗ୍ ପ୍ରତି ଅକାରଣେ ସମୟଦେଇ ଆମେ ନିଜକୁ ହିଁ ଠକୁ । ଇଶ୍ୱରଙ୍କ ନନ୍-ବିଙ୍ଗ୍କୁ ସମ୍ମାନ ଦେଇ ଆମେ ନିଜକୁ ହିଁ ଠକୁଛୁଁ । ମହାତ୍ମାଗାଂଧିଙ୍କ ନନ୍-ବିଙ୍ଗ୍କୁ ଓ "ମହାନ୍' ପୂର୍ବପୁରୁଷମାନଙ୍କ ନନ୍-ବିଙ୍ଗ୍କୁ ପ୍ରଶଂସା କରି କରି ଆମେ କେତେ ଶୋଷିତ, ଦଳିତ ଓ ତଳିତଳାନ୍ତ । କେହି ଅନୁପସ୍ଥିତ ଥିବାବେଳେ ତାକୁ ପ୍ରଶଂସା କରି ଗୁଡ଼ାଏ କଥାବାର୍ତା କରିବାର ଅର୍ଥ ସମ୍ମୁଖରେ ଯେ ଅଛି ତାପ୍ରତି ଅସମ୍ମାନ ଏବଂ ବେଳେବେଳେ ଅପମାନ ବି । ହୋଇପାରେ ସେ ପ୍ରେମାସ୍ପଦ ବା ସ୍ତ୍ରୀ ବା ଅଙ୍କୁରିତ ନ ହୋଇଥିବା ସନ୍ତାନ । ଯଦି ନନ୍-ବିଙ୍ଗ୍ ସମ୍ପର୍କରେ ଚିନ୍ତା ବି କରାଯାଉଛି ତେବେ ବି ତାହା ନିଜ ବିଙ୍ଗ୍ ପ୍ରତି ଅସମ୍ମାନ ହୋଇଯାଏ । ତେଣୁ ମୁଁ ଏ ନନ୍-ବିଙ୍ଗ୍ ମାନଙ୍କଠାରୁ ମୁକ୍ତ ରହିବାକୁ ଚାହେଁ । ମିଷ୍ଟର ଖଲିଲ୍ ଜିବ୍ରାନ୍ ଆପଣ ବରଂ ଆସିପାରନ୍ତି ।’ ଆଗନ୍ତୁକ ହଠାତ୍ ଅନ୍ତର୍ଧ୍ୟାନ ହୋଇଗଲେ । ତାଙ୍କର ଛିଡ଼ା ହୋଇଥିବା ସ୍ଥାନଟି ରିକ୍ତ ହୋଇଗଲା । ଶତରୂପା କାନ୍ଦୁଥିଲେ । ସ୍ୱୟଂଭୁବ ହସୁଥିଲା । ସେ କାନ୍ଦୁଥିବା ଝିଅମାନଙ୍କୁ ବୁଝାଇ ଜାଣେନା ।