ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସିଏ ଜାଣି ପାରେନା ତା ଭିତରେ ସ୍ୱପ୍ନଟିଏ ଥାଏ, ଶୀତଟିଏ ଥାଏ ଆକାଶୀଆ ଗୀତଟିଏ ଥାଏ, ଅଳିଆଗଦା ବଢ଼ୁଥାଏ ଅଂଧାର ବଢ଼ୁଥାଏ ଅଳଂଧୁ ବଢ଼ୁଥାଏ ମହାଲକ୍ଷ୍ମୀ ଖଟୁଳି ଧୂଳି ଧୂସର ହୋଇ ପଡ଼ିଥାଏ ଡାଇବେଟିସ୍ ଯୋଗୁ ଆଜିକାଲି ଜୀବନ ଦାସ ବିନା ଚିନିର ଚା ଖାଉଥାଏ ପିଜୁଳି ଗଛରେ ଫୁଲ ଫୁଟୁଥାଏ, ପୃଥିବୀରେ ବୋମା ଫୁଟୁଥାଏ ଛାତି ଭିତରେ ହାଡ଼ ଫୁଟୁଥାଏ ଅଗଣାରେ ଶ୍ଳେଷ୍ମା ଫୁଟୁଥାଏ ଜୀବନ ଦାସ ହାଇ ମାରୁଥାଏ ହାଇ ହାଇ । ଜୀବନ ଦାସ ହାଇ ମାରୁଥାଏ । ଶବ୍ଦ ପର୍ବ ପୃଥିବୀର ବାହାର ଦରଜା ଖୋଲ ଆକାଶ । ବାରିପଟ ଅଗଣାକୁ ଯାଅ ଆକାଶ । ଝରକା ଖୋଲ ଆକାଶ । ପୃଥିବୀର ଛାତରୁ ଅନାଥ ଆକାଶ । ଆକାଶକୁ ନେଇ ଅବକାଶ କେତେ ଘାଟିସାଉଁଟି ହୁଏ, ହାଉଁଳି ହୁଏ, ହଂତସଂତ ହୁଏ । ଯୁଆଡ଼େ ଦେଖିଲେ ସଦ୍ୟଗଜୁରା କଅଁଳିଆ ଆକାଶ । ନେଳି ନାଲି ଜରିଲଗା ଆକାଶ । ନିରୀହ ପକ୍ଷୀଂକ ଆଦିମ ଦରୋଟିରେ ଚିର୍ଚିରେଇ ଯାଉଥିବା ପରିବ୍ୟାପ୍ତ ଆକାଶ । କଳାରଂଗ ଆକାଶ ପ୍ରତିଦିନ ଯେବେ ପାଣିଚେଇ ଟିକେ ଟିକେ ହୁଗୁଳି ହୁଗୁଳି ଆସେ, ଯେବେ ମାଡ଼୍ରାସ-ହାୱଡ଼ା ଏକ୍ସ୍ପ୍ରେସ୍ରେ ଆସେ ସୂର୍ଯ୍ୟ ଏବଂ ଷ୍ଟେସନ୍ରେ ଓହ୍ଲାଇପଡ଼େ ପାଂଚଟା ପଂଚାବନରେ ଅବକାଶ ସେତେବେଳେ ଆଖି ଖୋଲୁଥାଏ । ଛୁକ୍ ଛୁକ୍ କରି ସିଏ ଏ ସହରକୁ ଦି ଚାରୋଟି ଚୁଂବନ ଦିଏ ଓ ଚାଲିଯାଏ । ପୁଣି ଅବକାଶ ଆଖି ବଂଦ କରୁଥାଏ । ପୁଣି ଖୋଲେ, ବଂଦକରେ ଖୋଲେ ଏବଂ ଖୋଲା ରଖେ । ଛାତି ଧକ୍ ଧକ୍ କରେ ହଠାତ୍ । ହାତ ଦେଇ ମାପେ । ବଂଦ ହୋଇଯିବିକି? ଚାରିଜଣ ତାକୁ ବୋହି ନେଇ ଯିବେ- ସ୍ୱର୍ଗକୁ ନଚେତ୍ ପାତାଳକୁ- ନଥିବା ଅବସ୍ଥାରେ ଥିବା କୌଣସି ଶୂନ୍ୟସ୍ଥାନକୁ । ନିଜେ ଶୂନହୋଇ ଶୂନରେ ଯୋଗ ହୋଇ ପରିଧି ବଦଳୁ ନଥିବା ଶୂନ ଭିତରେ ହିଁ ରହିଯିବ । ଜୀବନର ଏ ସାମୁଦ୍ରିକ ଯଂତ୍ରଣାରୁ ବଂଚିଯିବା ପାଇଁ କଣ ଦରକାର ଯେ? କିଛି ଧକ୍ ଧକ୍ ର ମଧୁରତା କିଛି ସଁ ସଁ ର ଟାଇମ୍ବମ୍ । ହୁଏତ ଧକ୍ ଧକ୍ ହୋଇଥାଂତା ଏବେ ହେଉନାଇଁ । ସେତେବେଳେ ଜୀବନରେ ବଂଚିଥିଲ ଏବେ ଜୀବନରୁ ବଂଚିଯାଇଛ । କ’ଣ ଫରକ୍ ଯେ? ଏବେ ଶୋଇବା ଘରେ ଅଛ ଆଉଟିକେ ପରେ ଗାଧୁଆଘରକୁ ଯିବ । ଏବେ ଏ ପୋଷାକ