ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଦଳାଇ ପୁଣି କିଛି ବେଳପରେ ଅନ୍ୟ ପୋଷାକ ଲଗାଇବ । ଏବେ ଚର୍ମହାଡ଼ ମାଂସ ପିଂଧିଛ ଆଉ ପରେ ତାକୁ ଓହ୍ଲାଇଦେବ । କ’ଣ ଫରକ୍ ଯେ? ଆଖିପୁଣି ବଂଦ କରେ ଅବକାଶ । ମସ୍ତିଷ୍କକୁ ବି ବଂଦ କରେ ଟେବୁଲର ଡ୍ର ବଂଦ କଲାପରି । ଏବେ ସିଏ ଅବଶ ଅନୁଭବ କରୁଥିଲା । ଗୋଡ଼ ହାତକୁ ସାଂକୁଡ଼େଇ ଦେଇ ସମୁଦାୟ ଅବୟବକୁ ଚିପୁଡ଼ି ଦେଲା । ମିନିଟିଏ ପ୍ରାୟ ପଡ଼ିରହିଲା ହିପୋପଟାମସ୍ ପିଠିରେ । ହିପୋପଟାମସ୍ ମାନେ ତା ବିଛଣାର ନାଁ । କ୍ୟାକ୍ଟସର ଅରଣ୍ୟର ଫାଳେ ଦରଜା ଦରଆଉଜା କରି ଥଂଡା ପବନର ସ୍ୱାଦ ନିଜ ଦେହ ଭିତରେ ଚରିଯିବା ଯାଏ ଅପେକ୍ଷା କଲା । ପ୍ରଥମେ ମୁହଁଟା ଭିଜିଗଲା ପବନରେ ଏବଂ ସଂଗେ ସଂଗେ କାନନାକ ପାଟି ଲୋମକୂପବାଟେ ହାଡ଼ ମାଂସ ଶିରାପ୍ରଶିରା ଥରାଇ ରକ୍ତ କଣିକାକୁ ଛୁଇଁଲା ଏବଂ ସବାଶେଷରେ ଅବକାଶ କୁରୁଳି ଉଠିଲା । ଆକାଶର କାମ କ’ଣ? ସେ ସର୍ବପ୍ରଥମେ ଅବକାଶକୁ କୁରୁଳାଇ ଦେବ କୁତୁକୁତୁ କରିବ ଥରାଇ ଭିଜାଇ ଦେବ । ଦଶଦିଗକୁ ଚହଲାଇ ଦେବ ଓ ହାତଠାରି ସ୍ନେହରେ ଡାକିବ । ଦିନସାରା ତାର କିଛି କାମ ନାଇଁ ସେ ଖାଲି ଖରାଜାଳି ଜାଳି ଶୁଖାଇବ ରାତିରେ ଶିଶୁ ମୂତି ଭିଜାଇଥିବା କଂଥାକନାକୁ । ପୃଥିବୀର ଅଗଣାରେ ତିଂତିଥିବା ସାବ୍ଜା କଂଥାକନାର କାକରକୁ । ଆକାଶର କାମ କ’ଣ? ଅବକାଶ ପାଇଁ ସେ ନିଜର ରଂଗ ବଦଳାଇବ ଥରକୁ ଥର । ବେଳେବେଳେ ଉଲଗ୍ନ ହେବ ନିର୍ଲଜୀ ଆକାଶ । ଅବକାଶ ବି ଏତେ ବେହିଆ ଯେ ସେ ଚାହିଁ ରହିବ ଆକାଶକୁ ମ୍ୟୁଜିଅମ୍ ଭିତରେ ଇନ୍ଗ୍ରୀସଂକର ତୈଳଚିତ୍ରକୁ ଅନାଇଲା ପରେ । ଆକାଶ ଅଛି ବୋଲି ଅବକାଶ ଅଛି । ଆକାଶ ହେଉଛି ଅବକାଶର ଜୀଇଁବାର ରିଜନ୍, ତା ବଂଚିବାର ଦାବି ଓ ହେତୁ । ତାର କାମ୍ୟ । ତାର ଲୋଭ । ଆକାଶର ଉତ୍ତାପରେ ଦାୟିତ୍ୱରେ ଲାଳିତ୍ୱରେ ଛଟାରେ ସର୍ବଦା ଅବକାଶ । ଆଖି ଭିତରେ ସଦାସର୍ବଦା ଆଖିଏ ଆକାଶ ନେଇ ଅବକାଶ ଗୋଟିଏ ବିପଦଶଂକୁଳ ଜୀବନ ଜୀଏଁ । ଗୋଟାଏ ନୂଆଁ ଅଭିଜ୍ଞତାର ସ୍ୱାଦ ବାରେ ଯେବେ ସେ ରୋଦାଁଂକର ଚିଂତାଶୀଳ ମୂର୍ତି ବତ୍ ବସିରହେ ଲଂଗଳା ହୋଇ ଲଂଗଳା ଆକାଶକୁ ଚାହିଁ ରହେ । ଟପ୍ ଟପ୍ ପାଣି ପଡ଼ିଲା ପରି ପ୍ରତି ମୂହୂର୍ତରେ ଅନବରତ ବର୍ଷୁଥିବା ଶୂନ୍ୟତାକୁ ଚାହେଁ ଓ ଧୀରେ ଧୀରେ ସେ ଅନୁଭବ କରେ ଯେ ଦେହ ଭିତରେ ଶିହରଣଟିଏ ପହଁରି ଯାଉଛି । କୁରୁଳି ଉଠୁଛି ନିଜେ । ଅବକାଶ ପାଇଁ ଆକାଶ ଏକ ଅଭିବ୍ୟକ୍ତି । ଏକାଂତ ନିଜସ୍ୱ ତା ଦୁଃଖ ଓ ଦୁଃଖର ଅନୁଭୂତି ପାଇଁ ଆକାଶ । ତା ସୁଖ ଓ ସୁଖର ଅନୁଭୂତି ପାଇଁ ଆକାଶ, ଏକାକୀତ୍ୱ ଓ ଏକାକୀତ୍ୱର ଅନୁଭୂତି ପାଇଁ ଆକାଶ । ତାର ଅସହାୟତାର ତୀବ୍ର ଅନୁଭୂତି ପାଇଁ ଆକାଶ ଏକ ଆଶ୍ୱସନା, ଏକ ଆବିର୍ଭାବ । ଆକାଶ ତଡ଼ି ଆଣେ ପକ୍ଷୀ ଓ ପତଂଗ, ବେଲୁନ୍ ଓ ବଲ୍ ସୂର୍ଯ୍ୟ, ଗୁଡ଼ି ବାଦୁଡ଼ି ବଜ୍ରବିଦୁ୍ୟତ୍ ତଡ଼ିତ୍ ତରଂଗ ଆଉ କଣ କଣ ଠିକ୍ ଅବକାଶର ଆଖିଦୃଶିଆ ଥାନକୁ । ସେ ନିଜ ସ୍ଥିତିର ପ୍ରମାଣ ପାଇଯାଏ, ଉଲସି ଉଠେ, ବଂଚିଉଠେ, ଜିଇଁଯାଏ । ଏବେ ସେ ଉଠି ବସିବାକୁ ଚେଷ୍ଟା କରୁଛି । ଆଖିମେଲା କରି ଛାତିକୁ ଅନାଉଛି । ହିପୋପଟାମସ୍ ପିଠିରେ ପଡ଼ିଥିବା ନାଲି, ଧଳା, କଳା ରଂଗର ଚାଦରକୁ ଦେଖୁଛି । ଗୁଡ଼ାଏ ତଂରଗ ଲୋଚାକୋଚା ହୋଇ ସ୍ଥିର ହୋଇ ଯାଇଛି । ତାକୁ ସବୁ ହାତରେ ସାଉଁଟି ଆଣୁଛି । ଛିଡ଼ା ହୋଇ କବାଟକୁ ପୁରା ଖୋଲୁଛି । ଦେଖୁଛି ଆକାଶ । ଝରକାର ଶୀତଳ ହୁକ୍ରେ ଆଂଗୁଠି ଟିପ ଦେଇ ଛୁଉଁଛି, ଖୋଲୁଛି । ପୁଣି ଆକାଶକୁ ଦେଖୁଛି । ଲାଇଟ୍ର ସୁଇଚ୍ ଦିଆ ହୋଇଥିଲା କିଂତୁ ଲାଇଟ୍ ଜଳୁ ନଥିଲା । ତାକୁ ଅଫ୍ କରି ନିଦ ମଳମଳ ଆଖିରେ କେକଟସ୍ର ଅରଣ୍ୟରୁ ବାଥରୁମ୍କୁ ଯାଇ ଦୁଇମିନିଟ ପରେ ଟ୍ରାଉଜର୍ର ବୋତାମ ଲଗାଇ ଲଗାଇ ବାହାରି ଆସିଲେ । ଟିପାଇ ଉପରେ ପେନ୍ ଆଉ ଫୋନେଟିକ୍ ବହିର ବାସି ପୃଷ୍ଠାରେ କାଗଜରଂଗର ଖରା ଝରକା ବାଟେ ଆସି ଲେପି ହୋଇ ଯାଇଥାଏ । ବହିକୁ ବଂଦକରି ଟେବୁଲ ଉପରକୁ ଫିଂଗି ଦେଉଛି । ପୁରୁଣା କାଚଗ୍ଳାସର ଷ୍ଟେଂଡରେ ପେନ୍ଟା ଥୋଇ ଦେଇ ସେଇଠୁ ଏକା ଟୁଥବ୍ରସ୍ଟା ଉଠାଇ ନେଉଛି । ଆକାଶରଂଗର ବିନାକା ଫ୍ଲୋରାଇଡ ପେଷ୍ଟ କରିବାବେଳେ ଅନୁ ଚା ନେଇଆସୁଛି । ଅଳସପାଦରେ ଆଗେଇ ଚୌକିରେ ନିଜ ଦେହକୁ ଲଦି ଚା ଖାଉଛି । ଗୋଟାଏ ସିପ୍ ଚା ନେଇ ସାରିବା ପରେ ତାର ମନେ ପଡ଼ୁଛି ଟିକେ ପାଣି ପିଇବା କଥା । ‘ଅନୁ ପାଣି ଗୋଟାଏ ଗ୍ଲାସ ଆଣ ।’ ଏବେ ସେ ମନେପକାଇବାକୁ ଚେଷ୍ଟା କରୁଛି ଆଜି କି ବାର । ହଠାତ୍ ତାର ମନେ ପଡ଼ିଲା ନାଇଁ । ଶନିବାର କି? ନା ରବିବାର? ଏକାକଥା । ଭାବିଲେ ଶନିବାର ଭାବିଲେ ରବିବାର । କେଲେଂଡର ଦେଖିବାର ତ ଅଭ୍ୟାସ ନାଇଁ । କାଂଥରେ ୟେହୁଦି ମେନୁହିନଂକ କ୍ଲୋଜଅଫ୍ ତଳେ ଦିନବାର ତାରିଖ ବର୍ଷମାସ ସବୁଥିଲା । ସେ ତାକୁ ଚିରିଦେଇ ଫିଂଗି ଦେଇଛି ଅନେକ ଦିନ ତଳେ । କାହା ଭିତରୁ ପାଣିଗ୍ଲାସଟା ନେଇ ପିଇସାରି ଚା କପ୍ଟି ଉଠାଇଲା ଅବକାଶ । ପିଉପିଉ ଆର୍ମଚେୟାରରେ ବସି ପଡ଼ିଲା । ଆଖିଟା ବଂଦକରି ମସ୍ତିଷ୍କକୁ ହାଲୁକା କରିବାପାଇଁ ଚେଷ୍ଟା