ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନ ଯାଇଛୁ ତେବେ ଦେଖିବୁ, ମୁଁ ତୋତେ ଛାଡ଼ି ବାହାରି ଯିବି କାମକୁ ।' ଏବଂ ସତକୁ ସତ ସକାଳକୁ ଜର ଛାଡି ଚାଲିଯାଇ ଥାଏ । ବୁଢ଼ା ଟ୍ରଲିଧରି ବାହାରିଲେ ରଜନୀ ରାନୀ କହୁଥିଲେ, "ଆଜି କୁଆଡ଼େ ଯିବା ଦରକାର ନାଇଁ । ତିନି ଦିନ ହେଲା ଜର ଥିଲା । ଗୋଡ ହାତ କଣ କହୁଥିବ?' ଟ୍ରଲିକୁ ନିଜେ ଛଡ଼ାଇ ନେଇ ଠେଲିି ଦିଅନ୍ତି ଗୋଟେ କୋଣକୁ । ବୁଢ଼ା ଲଥ୍ କରି ବସି ରୁହନ୍ତି । ସେ ଢେରଦିନ ତଳର କଥା । ବୁଢ଼ୀ ମରିବାର ଏବେ ଦଶବର୍ଷ ହେଲାଣି । ରାଜୁଲା ମଲାଗାଈର ଚାରିପଟେ ଘେରାଏ ବୁଲି ଆସିଲେ । କେଉଁଠୁ ପ୍ରଥମେ କାମ ଆରମ୍ଭ କରିବେ ଭାବିଲେ । ପାଖରେ ପଢ଼ିଆରୀ ଘରର ଦୁଇଟି ହଳିଆଙ୍କୁ ବିଡ଼ିଟିଏ ମାଗିଲେ । ସେମାନେ ବିଡ଼ିଟିଏ ଅଣ୍ଟାରୁ କାଢ଼ି ତା ପାଖକୁ ଫିଙ୍ଗି ଦେଲେ । ଦିଆସିଲି କାଢ଼ି କାଗଜ ଟୁୁକୁରାଟିଏ ଜାଳି ଦେଲେ । ବୁଢ଼ା ସେଇ ନିଆଁରେ ବିଡ଼ି ପହଁଟାଇ ଘଡ଼ିଏ ବସି ପିଇଲେ । ଶେଷାଂଶକୁ ଲିଭାଇଦେଇ ବହୁ ଦୂରକୁ ଫିଙ୍ଗି ଦେଲେ ଏବଂ ସଙ୍ଗେ ସଙ୍ଗେ ଗାଈକୁ ବନ୍ଧାବନ୍ଧି କାମରେ ଲାଗି ପଡ଼ିଲେ । ଚାରିଟା ଗୋଡକୁ ଏକାଠି କରି ବାନ୍ଧି ପକାଇଲେ । ଟ୍ରଲିକୁ ଆଣି ବଙ୍କେଇ ରଖି ଦେଲେ ଏବଂ ଗୋଟିଏ ମୋଟାଗଛର ଗଣ୍ଡିଟିଏ ଆଣି ଓ ଦୁଇଟି ଶକ୍ତ ଠେଙ୍ଗା ଆଣି ଖୁଞ୍ଚା ଦେଇ ଦେଇ ଗାଈର ଶବକୁ ଠେଲି ଠେଲି ଟ୍ରଲିରେ ଭର୍ତି କଲେ । ପ୍ରାୟ ଏକ ଘଣ୍ଟା ଲାଗିଲା । ଟ୍ରଲିର ଚକଟିଏ ପୁଣି ଖୋଲିଗଲା । ତାକୁ ପୁଣି ବାନ୍ଧିବାରେ ଆହୁରି ଏକ ଘଣ୍ଟା ଲାଗିଲା । ପଢ଼ିଆରୀ ବୁଢ଼ା ସେଇ ଦୁଇ ଘଣ୍ଟାକାଳ ପାଖରେ ଛିଡ଼ା ହୋଇ ରାଜୁଲା କାହିଁକି ଡେରି କରୁଛି, ମୂର୍ଖଟାଏ, ବୁଢ଼ା ହେଲାଣି, ଏ କାମ ପାରୁନି ଯଦି ଛାଡ଼ି ଦେଉ, କହି କହି ଗାଳି ଦେବାରେ ଲାଗିଥିଲେ । ରାଜୁଲା ହସିବାରେ ଲାଗିଥାଆନ୍ତି, କାମରେ ଲାଗି ଥାଆନ୍ତି । ଟ୍ରଲିରେ ଗାଈର ମୁଣ୍ଡଟା ତଳକୁ ଝୁଲି ରହିଥାଏ । ଆଖି ଦୁଇଟି ତଥାପି ଦେଖୁଥାଏ । ଗୋଡ଼ ଚାରିଟି ବନ୍ଧାହୋଇ ଆକାଶମୁହାଁ । ଲାଞ୍ଜଟିର ଅଗ୍ରଭାଗ ଚକ ପାଖକୁ ଝୁଲି ପଡ଼ିଥାଏ । କିଛି ବଡ଼ବଡ଼ ମାଛି ମଧ୍ୟ ଡିଆଁଡେଇଁ ହେଉଥିଲେ ଖୁସିରେ । କିଛି ପିମ୍ପୁଡ଼ି ବି ଇତସ୍ତତ ଯିବାଆସିବା ହେଉଥିଲେ । ସେମାନେ ଖୁସିରେ ଥିଲେ କି ନ ଥିଲେ ଜଣାପଡୁ ନ ଥିଲା । ବାରିପଟ ଅଗଣାରୁ ରାସ୍ତାଯାଏ ଟ୍ରଲିକୁ ଠେଲି ଠେଲି ଆଣିବାରେ ବୁଢ଼ାକୁ ଅଧଘଣ୍ଟା ସମୟ ଲାଗିଲା । ବୁଢ଼ା ନିଜେ ଟ୍ରଲି ଦ୍ୱାରା ଠେଲି ହୋଇ ଯାଉଥାଆନ୍ତି । ଯାହେଉ ପଢ଼ିଆରୀ ପରିବାର ଖୁସି ଯେ ଘରୁ ଗୋଟିଏ କାଳ ଗଲା । ଗାଈ ପଡ଼ିଥିବା ଯାଗାକୁ ହଳିଆମାନେ ଲିପି ପୋଛି ସଫା କରିଦେଲେ । ଘରସାରା, ଅଗଣା ସାରା ତୁଳସୀ ପାଣି ପକାଗଲା । ଘରଟାକୁ ପବିତ୍ର କରି ଦିଆଗଲା । ଗତକାଲି ରାତିରୁ ଅପବିତ୍ର ହୋଇ ଘରଟା ଅଛୁଆଁ ହୋଇଥିଲା । ଗାଈଟି ପ୍ରଥମେ ଯେଉଁ ଦିନ ଘରକୁ ଆସିଥିଲା ତା ରଙ୍ଗ କଳା ହୋଇଥିବାରୁ ନାତି ନାତୁଣୀମାନେ କହିଥିଲେ ତା ନାଁ କାଲୁ ରଖାହେବ । କିନ୍ତୁ ତାଙ୍କ ଅଜାଆଈ ପୂଜାଥାଳି ଧରି ଗାଈ ମୁହଁରେ ସିନ୍ଦୂର ଗାର ଲଗାଇଲା ବେଳକୁ ରାଗିଯାଇ କହିଥିଲେ, "କାଲୁ' ନୁହେଁ, "ଲାଲୁ' ଏମିତି "କାଲୁ' ଓ "ଲାଲୁ'ର ଖେଳରେ ଶେଷକୁ "ଲାଲୁ' ନାଁଟି ରହିଲା । ତା ବେକରେ ଗୋଟିଏ ଘଣ୍ଟ ବନ୍ଧାହେଲା । ତା ଶିଂଘରେ ଲାଲକନା, ବେକରେ ଫୁଲମାଳ ବନ୍ଧାହେଲା । ପରିବାର ସମସ୍ତେ ମିଶି ଫଟୋ ନେଲେ । ଛୋଟ ନାତୁଣୀଟି ଗାଈ ପିଠିରେ ବସି ଫଟୋ ଉଠାଇବ ବୋଲି ଜିଦ କରିବାରୁ, ବୁଢ଼ା ବୁଝାଇଲେ, ଗାଈ ପିଠିରେ ବସନ୍ତି ନାଇଁ, ଗାଈ ଦେହରେ କେବଳ ଭଗବାନ ବସନ୍ତି । ତେତିଶ କୋଟି ଦେବତା ଗାଈ ଦେହରେ ରହନ୍ତି । ତା ମୁହଁରେ ସ୍ୱୟଂ ବିଷ୍ଣ ଅନନ୍ତ ଶୟନରେ ଥାଆନ୍ତି । ପାଖରେ ଲକ୍ଷ୍ମୀ । ବିଷ୍ଣୁଙ୍କ ନାଭି ଗର୍ତରୁ ସହସ୍ର ପାଖୁଡ଼ାର ପଦ୍ମ ଫୁଲରେ ସ୍ୱୟଂ ବ୍ରହ୍ମା ଧ୍ୟାନ ମୁଦ୍ରାରେ ଥାଆନ୍ତି । "ଲାଲୁ'ର ପେଟରେ ନନ୍ଦିନୀ ଗାଈ, ପାଖରେ ଛିଡା ହୋଇ ଥାଆନ୍ତି ଶିବ ପାର୍ବତୀ । ତା' ପିଠିରେ ଥାଆନ୍ତି ରାମ ଲକ୍ଷ୍ମଣ ଓ ସୀତା, ପାଖରେ ହନୁମାନ । ତା ଲାଞ୍ଜର ପ୍ରତ୍ୟେକ ବାଳରେ ଥାଆନ୍ତି ସ୍ୱର୍ଗର ସବୁ ଦେବତା ଗଣ । ପର୍ବତାରୋହୀ ମାନଙ୍କ ପରି ଓହଳି ଥାଆନ୍ତି । "ଲାଲୁ' କେତେ ପବିତ୍ର ନ ଥିଲା ସତେ! ନଜର ନ ପଡିବ ବୋଲି ତା ଗୋବରକୁପିଲାଙ୍କୁ ଟିକା ମଖାଯାଉଥିଲା । ଅଗଣାକୁ ପବିତ୍ର ଓ କୀଟାଣୁ ଶୂନ୍ୟ ରଖିବାପାଇଁ ଗୋବର ପାଣିରେ ଧୁଆ ଯାଉଥିଲା । କାର୍ତିକ ମାସଯାକ ତୁଳସୀ ଚଉଁରା ମୂଳେ ଗୋବର ରଖି ତା ଉପରେ ଗୁଆ ଥୋଇ "କୁବେର' ନାଁରେ ପୂଜା କରାଯାଉ ଥିଲା । ଲାଲୁର ଅନେକ ମହାତ୍ମ୍ୟ ଥିଲା । ଅଥଚ ସଂଧ୍ୟା ଆଠଟା ବେଳକୁ ଗତକାଲି ତାର ପ୍ରାଣବାୟୁ ଉଡ଼ି ଯାଇଥିଲା । ତା ଦୁଇଟି ବାଛୁରୀ ଏବେ ବଡ଼ ହେଲେଣି । ତା ପାଖରୁ ଆଠ ଲିଟର କ୍ଷୀର ମିଳୁଥିଲା । ରକ୍ଷାବନ୍ଧନ ଦିନ ତାକୁ ସୁନ୍ଦର ଭିଟାମିନ ଯୁକ୍ତ ଖାଦ୍ୟ କଅଁଳ ଘାସ ସାଙ୍ଗରେ ନହେଲେ କୁଣ୍ଡା ସାଙ୍ଗରେ ଖାଇବାକୁ ଦିଆ ଯାଉଥିଲା । ତା ମୁଣ୍ଡକୁ ଛୁଇଁ ତା ଆଗରେ ମୁଣ୍ଡିଆ ମାରୁଥିଲେ ସମସ୍ତେ । ସଫାପାଣିରେ ଡେଟଲ ପକାଇ ତାକୁ ଗାଧୋଇବା ପାଇଁ ପାଣି ଢଳା ଯାଉଥିଲା । ଖରାଦିନେ ଲାଲୁର କୋଠରି ଥଣ୍ଡା ହେବବୋଲି ଫେନ ଲଗାଯାଉଥିଲା ।