ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲାଲୁ ସବୁବେଳେ ଶୁଦ୍ଧ ପୂତ ପବିତ୍ର ରହୁଥିଲା । ଅଥଚ ଡାକ୍ତର ଆସି କହିଲେ, "ଅଧଘଣ୍ଟା ଆଗରୁ ମରି ସାରିଲାଣି' । ବୁଢ଼ାବୁଢ଼ୀ ଦୁହେଁ ଚମକି ପଡିଲେ । କାନ୍ଦି ପକାଇଲେ । ରାତିରେ ଖାଇ ପାରିଲେ ନାଇଁ । ଶୋଇ ପାରିଲେ ନାଇଁ । ତାର ଶବ ସତ୍କାର ପାଇଁ ରାଜୁଲା ଦୀପକୁ ଡକାଇବାକୁ ପଡ଼ିଲା । କାରଣ ଯେଉଁ ମୁହୂର୍ତରେ ଲାଲୁର ପ୍ରାଣବାୟୁ ଉଡି ଯାଇଥିଲା ସେଇ ମୁହୂର୍ତରେ ସବୁ ଈଶ୍ୱର ଅନ୍ତର୍ଧାନ ହୋଇ ଗଲେ । ତେତିଶ କୋଟି ଦେବତା ତାର ଦେହଛାଡ଼ି ଉଡ଼ି ଉଡ଼ି ଆଲୋକର ବେଗରେ, ସେକେଣ୍ଡକୁ ତିନିଲକ୍ଷ କିଲୋମିଟର ବେଗରେ ହିମାଳୟ ବାଟଦେଇ ସ୍ୱର୍ଗକୁ ପଳାଇଲେ । ଲାଲୁ ତେଣୁ ଅଛୁଆଁ ହୋଇଗଲା ଓ ଅଛୁଆଁ ପାଣକୁ ଡକାଗଲା । କୁକୁର ବିରାଡ଼ି ଘୁଷୁରି ଠେକୁଆ ମୂଷା ଶୁଆ ସାରୀ ପାରା କୁକୁଡ଼ା ହଂସ ବତକ କେହିହେଲେ ଅଛୁଆଁ ହୁଅନ୍ତି ନାହିଁ । କାରଣ ତାଙ୍କ ଦେହରେ ତେତିଶ କୋଟି ଦେବତାରୁ ଗୋଟିଏ ହେଲେ ରହନ୍ତି ନାଇଁ । ଖାଲି ଲାଲୁର ଲୋମ ଭିତରଟା ଉଷୁମ ଲାଗେ ବୋଲି ଈଶ୍ୱରମାନେ ଆରାମରେ ରହନ୍ତି । ତାର କ୍ଷୀରଖାଇ ହୃଷ୍ଟପୁଷ୍ଟ ହୁଅନ୍ତି । ପଢ଼ିଆରୀ ବୁଢ଼ାଘରକୁ ପଞ୍ଚାମୃତ ଦିଅନ୍ତି । ଲାଲୁ ଏବେ ଆଉ ଇହ ଜଗତରେ ନାହିଁ । ଈଶ୍ୱରମାନେ ବି ଆଉ ଇହ ଜଗତରେ ନାହାନ୍ତି । ପବିତ୍ର ଓ ଅପବିତ୍ରର ମଝିରେ ଯେଉଁ ସୂକ୍ଷ୍ମ ଗାରଟିଏ ଅଛି ତାକୁ ଛୁଇଁ ଦେବାକ୍ଷଣି ଈଶ୍ୱରମାନେ ଅନ୍ତର୍ଧ୍ୟାନ । ରାଜୁଲା ଠେଲି ଠେଲି ଯିବା ମଧ୍ୟରେ କେତେବେଳେ ନିଜେ ଠେଲି ହୋଇ ଯାଉଛନ୍ତି । ସମୁଦାୟ ରାସ୍ତାକୁ ଉଠ୍ ପଡ୍ ହୋଇ ବସିଉଠି, ପାଣି ପିଇ, ନିଜ ଘର ଅଗଣା ଯାଏ ପହଞ୍ଚିଲା ବେଳକୁ ଅପରାହ୍ଣ ହୋଇ ସାରିଥିଲା । ଘର ପାଖରେ ପହଞ୍ଚି ସାମାନ୍ୟ ଜୋର୍ରେ ଠେଲି ନିଶ୍ୱାସ ମାରି ଦମ୍ ନେଲା ବେଳକୁ ଟ୍ରଲିିଟି ଦିଖଣ୍ଡ ହୋଇ ଭାଙ୍ଗିଗଲା ଏବଂ ଗାଈଟି ଘୋସାଡ଼ି ହୋଇ ଅଗଣାରେ ପଡ଼ି ରହିଲା । ରାଜୁଲା ବି ଗୋଡହାତ ବିସ୍ତାରି ଅଗଣାରେ ଧୂଳି ଉପରେ ଆକାଶମୁହାଁ ହୋଇ ଗଡ଼ି ପଡିଲେ । ନିଜ ଶରୀରର ପ୍ରାୟ ଦଶଗୁଣ ଓଜନର ଗାଈଟିକୁ ନିଜ ଘରଯାଏ ଆଣି ପାରିଥିବା ହେତୁ ସେ ଭାରି ଖୁସି । ଏବେ କିନ୍ତୁ ତାଙ୍କ ମୁହଁରେ ହସ ନାହଁ । ଆଖିରେ ଶିଶୁ ସୁଲଭ ଆବେଗ ନାହିଁ । ନିଷ୍ପ୍ରଭ ହୋଇ ଯାଇଛି । କିନ୍ତୁ ସେ ଆଖି ବନ୍ଦକଲେ ଓ ରଜନୀ ରାନୀଙ୍କୁ ସ୍ୱପ୍ନରେ ଦେଖିଲେ । ସେ କେତେକରି ଚେଷ୍ଟା କରିଥିଲେ ନୂଆ ଟ୍ରଲିଟିଏ କିଣିବା ପାଇଁ । ଦୁଇଶହ ଟଙ୍କା ଅଭାବରେ ସେ କାମଟା ହୋଇପାରି ନଥିଲା । ରଜନୀ ତାଙ୍କୁ ଗୋଟେ ହିସାବ ବାଢ଼ି ଦେଇଥିଲେ, ତାଙ୍କର ଗୋଟିଏ ମାସର ରୋଜଗାର । ଥାନାବାବୁ ଘରେ କୋଡିଏ ଟଙ୍କା, ବୁଠି ମାଷ୍ଟର ଘରେ ଦଶଟଙ୍କା, ହାବିଲଦାର ଘରେ ଦଶ ଟଙ୍କା, ରାଇଟର୍ ଘରେ କୋଡିଏ ଟଙ୍କା, ଠାକୁର ଘରେ ପନ୍ଦର ଟଙ୍କା, ଆର୍, ଆଇ, ଅଫିସରେ ଚାଲିଶ ଟଙ୍କା, ପଠାନ ଘରେ ଦଶ ଟଙ୍କା, ଚାରିଟି ଦିଦି ଘରେ ଚାଲିଶ ଟଙ୍କା, ଘାସି ଘରେ ଦଶ ଟଙ୍କା, ଅଗ୍ରୱାଲ ମାରବାଡ଼ି ଘରେ ତିରିଶ ଟଙ୍କା, ବଙ୍ଗାଲୀ ଘରେ ଦଶ ଟଙ୍କା - ଏମିତି ସମୁଦାୟ ସେ ମଣିଷ ଗୁହ ବୋହି ମାସକୁ ଦୁଇଶହ ପନ୍ଦର ଟଙ୍କା ପାଏ । ତହିଁରେ କେବେକେବେ ରୁଟି, ଚା, ଅଇଁଠା ଭାତ, ଆଚାର, ଉଲି । ଆଉ କେବେ ଯଦି କାହାର ବାହାଘର ହୁଏ ତେବେ ଯଥେଷ୍ଟ ଭାତ ମିଳେ । ତାକୁ ଗରମ କରି ସାତଦିନ ଯାଏ ଖାଇବାପିଇବା ଚାଲେ । ସେଇ ମାସ ମାନଙ୍କରେ ବି ପଇସା ଜମାକରି ଟ୍ରଲିଟିଏ କିଣିବାର ଇଚ୍ଛା ପୂରଣ ହୋଇ ପାରେନା । ରଜନୀ ରାନୀକୁ ଶେଷରେ ବାତ ରୋଗ ହୁଏ । ସେ ପଡି ରୁହେ ବର୍ଷେକାଳ ଓ ମରିଯାଏ । ବୁଢ଼ୀର ଶବକୁ ବି ସେ ଟ୍ରଲିରେ ନେବାର ଚିନ୍ତା କରିଥିଲା । ମାତ୍ର ଦି'ଜଣ ଜାତିଭାଇ ଖୁବ ଦୂରରୁ ଖବର ପାଇ ଆସିବାରୁ ଘର ପାଖରେ ଗାତ ଖୋଳି ପୋତି ଦେଇଥିଲା ଓ ବଡ଼ ପଥରଟିଏ ମାଟିଗଦା ଉପରେ ରଖି ଘଣ୍ଟାଏକାଳ ଚୁପ ଚାପ୍ କାନ୍ଦିଥିଲା । ବର୍ତମାନ ଯଦି ବୁଢ଼ୀ ଥାଆନ୍ତା ତାକୁ କେତେ ଯତ୍ନ କରି ନ ଥାଆନ୍ତା ! ଗାଈ ପଡ଼ିଛି, ବୁଢ଼ା ପଡ଼ିଛି । ବୁଢ଼ା ଘଣ୍ଟାଏ ପରେ ଉଠି ବସିଲା । ଘର ଭିତରକୁ ଯାଇ ପୁରୁଣା ଛୁରୀଟିଏ ଖୋଜି ବାହାର କଲା । ଲୋକଟିଏ ତା ଅଗଣାକୁ ଆସି କହିଲା, "ଚମଡ଼ାଟି ମୁଁ ନେବି, ଦୁଇଶହ ଟଙ୍କା ଦେବି, ତୁ କଟାକଟି କର, ଆଉ କେହି ଆସିଲେ ମନା କରିଦେବୁ, ବୁଝିଲୁ?' ବୁଢ଼ା ମୁଣ୍ଡ ଟୁଙ୍ଗାରି ହଁ କଲା । କିଛି କହିଲା ନାଇଁ । ଲୋକଟି ଫେରିଗଲା । ତା ଘରର ତାଟି କବାଟକୁ ଆଉଜାଇ ବୁଢ଼ା ଛିଡ଼ା ହେଲା କିଛି ସମୟ । ମୁଣ୍ଡକୁ କାନ୍ଥରେ ଆଉଜାଇ ଆଣିଲା । ତା ଆଖି ରୁ ଆଲୋକ ଲିଭି ଆସୁଛି ପରି ଜଣାଗଲା । ମୁଣ୍ଡ ବୁଲାଉଛି ପରି ଜଣାଗଲା । ବୁଢ଼ା ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟାକଲା । କିନ୍ତୁ ଆଖି ବନ୍ଦ ହେଲାନାଇଁ, କି ସ୍ୱପ୍ନ ବି ହେଲାନାଇଁ । ହସିବାକୁ ଚେଷ୍ଟା କଲା, ଓଠ ଦୁଇଟି ଖୋଲିଲା ନାଇଁ । ହାତଗୋଡ଼ ସବୁ ଥରି ଉଠୁଥିଲା । ଧୀରେ ଧୀରେ କାନ୍ଥକୁ ଧରି ଗାଈ ପାଖକୁ ଆସିଲା । ବନ୍ଧା ଗୋଡ଼ର ଦଉଡ଼ିକୁ ତା ପୁରୁଣା ଛୁରୀରେ କାଟିବାକୁ ଉଦ୍ୟମକଲା । ଦୁଇ ମିନିଟ ଘସିବା ପରେ ଦଉଡ଼ି ହୁଗୁଳା ହୋଇଯିବାରୁ ଗୋଟିଏ ଗୋଡ଼ ବୁଢ଼ାର ମୁଣ୍ଡରେ