ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲା । ଅବକାଶ ବେଳେ ବେଳେ ବେଲୁନ୍ବାଲା ବୋଲି ଭାବେ ନିଜକୁ । ମୁଣ୍ଡଟା ଗୋଟାଏ ବେଲୁନ୍ । କେହି ଗେସ୍ ଭରେ କେହି ଚା ଖାଏ । ସେଦିନ ପରୀକ୍ଷା ଦେବାବେଳେ ଚା ଖାଇବା କଥାକୁ ମନେପକାଇଲା । ସକାଳ ଦଶଟାରେ ପରୀକ୍ଷା ଆରମ୍ଭ । ଅଥଚ ଯେଉଁଦିନ ଜେକୋବିଆନ୍ ଡ୍ରାମା ପେପର ଥିଲା ସେଦିନ ସକାଳ ନ’ଟା ପଚାଶରେ ଅବକାଶ ମନେକଲା ପରୀକ୍ଷା ସରିଗଲାଣି । ଇଂରାଜି ସେକ୍ସନ୍ ଟୁରେ ଯାଇ ନିଜ ପ୍ରବେଶ ପତ୍ରଟି ପଛ ପକେଟ୍ରୁ କାଢ଼ି ନମ୍ବରଟା ମିଳାଇ ଭିତରକୁ ଗଲା । ଠିକ୍ ଦଶଟା ବେଳେ ଖାତା ଓ ପ୍ରଶ୍ନପତ୍ର ନେଇ ଲେଖିଲା । ଡକ୍ଟର ଫୋଷ୍ଟସ୍ । ଏଗାରଟା ପନ୍ଦର । ଚା ଦରକାର କି? “ସାର୍ ମୋର ସରିଗଲା ।’’ “ଇଜ୍ ଇଟ୍ ଓଭର୍?’’ “ୟେସ୍ ସାର୍ ।’’ ପ୍ରତି ପୃଷ୍ଠାରେ ଗୋଟାଏ ଲେଖା ଲମ୍ବ ଗାର ଟାଣି, ସମୁଦାୟ ଛ’ଟି ସିଧା ରାମୁ ଦୋକାନରେ ଠିଆ । “ରାମୁ ଚା ଗୋଟାଏ କପ୍, ଫୁଲ୍ ।’’ ଓଃ ମଣିଷଟିକେ ବଞ୍ଚିଗଲା । ସେ ଅନେକ ଦିନ ତଳର କଥା । କିନ୍ତୁ ଆଜିର ଚା ଖାଇବା ଓ ସେଦିନର ଚା ଖାଇବା ଭିତରେ କିଛି ପାର୍ଥକ୍ୟ ଥିବା ଭଳି ମନେ ହୁଏନା ତାର । ଦାନ୍ତଟା ସଫା କରିନେବ କି ପ୍ରଥମେ? ନା ଥାଉ । ପ୍ରଥମେ ଗୋଟେ ସନ୍ବାଥ ନିଆଯାଉ । ଭାବିଲା ଏବଂ ଝରକାକୁ ସାମାନ୍ୟ ଦର ଆଉଜା କରି ଟ୍ରାଉଜରଟା ଖୋଲି ଫିଙ୍ଗି ଦେଲା ରେକ୍ ଉପରକୁ । ପେଣ୍ଟ ଟାଣିଆଣି ଗୋଡ଼ ଦୁଇଟି ଗଳାଇ ଦେବାପରେ ତାର ମନେ ପଡ଼ିଲା ଅଣ୍ଡରୱାୟାର୍ଟା ଲଗାଇ ନାଇଁ । ସେଇ ପ୍ରାୟ ଉଲଗ୍ନ ଅବସ୍ଥାରେ ଅଧ ମିନିଟ୍ ଯାଏ ଭାବିଲା । ପେଣ୍ଟ ପୁଣି ଖୋଲିବ ନା ନାଇଁ । ଦେଖିଲା ପେଣ୍ଟଟି ଏ ଯାଏଁ ଲଗାଇ ନାଇଁ । ଅଗତ୍ୟା ଖୋଲିଲା । ଅଣ୍ଡରଗାରମେଣ୍ଟ ଲଗାଇ ତା ଉପରେ ପେଣ୍ଟସାର୍ଟ ଗଳାଇ ପାଦ ଦୁଇଟି ଚଟି ଭିତରେ ଗଳିବା କ୍ଷଣି ବାହାରି ପଡ଼ିଲା । ଯିବା ପୂର୍ବରୁ ନେଲ୍କଟର୍ଟା ନେବାକୁ ଅବଶ୍ୟ ଭୁଲି ନ ଥିଲା । ଅବକାଶ ରାସ୍ତାରେ ବୁଲିବାବେଳେ ହିଁ ନଖ କାଟେ । କେଉଁ ପୋଲ ଉପରେ ବସି ଗୋଡ଼ର ନଖ କାଟେ । ଯେପରି ଏବେ ବି ସେ ବସି ପଡ଼ିଛି ଶିଶୁ ଉଦ୍ୟାନ ପାଖରେ ଥିବା ପୋଲ ଉପରେ । ସେ କେବେ ବି ଅପରିଷ୍କାର ରୁହେନା । ତା ଦାଢ଼ି ବଢ଼ିଥିବା ଖୁବ୍ କମ୍ ଲୋକେ ଲକ୍ଷ୍ୟ କରିଥିବେ । ତା ପାଦରେ କେବେବି ଝାଳବୁନ୍ଦା ବା ପାଣିପଡ଼ି ଶୁଖି ଯାଏନି । ପେଣ୍ଟର ତଳ ଅଂଶଟାରେ ବେଳେବେଳେ ଯୋତା ଘସି ହୋଇ ଧୂଳି ହୋଇଥାଏ ଏବଂ ସାଇକେଲ୍ ଚେନ୍ର କଳାଦାଗ ଲାଗିଥାଏ । ତା ସାର୍ଟର କଫ୍ରେ ଥରଟିଏ ମାତ୍ର ଜଣେ ବନ୍ଧୁଙ୍କ ଚା କପ୍ରୁ କେଇବୁନ୍ଦା ଗଡ଼ି ଯାଇଥିଲା ଯାହା ଏବେ ଛାଡ଼ି ଯାଇଛି । ଏଇ ସବୁ କାରଣ ପାଇଁ ତାର ଜଣେ କମ୍ୟୁନିଷ୍ଟ ବନ୍ଧୁ ତାକୁ ‘ପୁ୍ୟରିଟାନ୍’ ବୋଲି କହିଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଜବାବ ମଧ୍ୟ ପାଇଥିଲେ । ଲୋକଙ୍କୁ ଏମିତି ଟିକେ କଥାରେ ମାର୍କାମରା- ମଣିଷ କରିବା ସହଜ ନୁହେଁ । ତମେ ନିଜକୁ କମ୍ୟୁନିଷ୍ଟ ବୋଲି ପାଟି କରୁଛ । କିନ୍ତୁ ତମେ ଜାଣ କି ନାଇଁ କାର୍ଲମାର୍କସ୍ ବି ଥରେ କହିଥିଲେ ‘ଥେଂକ୍ସ୍ ଗଡ୍ ଆଇ ଆମ ନୋ ମାର୍କସିଷ୍ଟ’ । ଅବକାଶ ବି ଏ ନିର୍ଧିଷ୍ଟ ପୋଲ ଉପରେ ବସି ନଖ କାଟିଛି ଅନେକ ଥର । ଦିନେ ତା ବଡ଼ ଭଉଣୀର ବାହାଘରବେଳେ ଯେତେବେଳେ ସଜ୍ଜିତ ବେଦୀ, ସଂସ୍କୃତ ମନ୍ତ୍ର, ରଗ୍ ରଗ୍ ହୋମ, ଚକ୍ ଚକ୍ ଗହଣା, ଧାରକରା ଯୌତୁକ, ଡି.ଏଫ.ଓ . ଅଫିସର ତାଳପତ୍ରୀ, ମ୍ୟୁନିସିପାଲିଟିର ମୋବାଇଲ ପାଣିଟାଙ୍କି, ମନୋମାଳିନ୍ୟ, ସିନେମା ଗୀତ ତଥା ବଳକା ପ୍ରଭିଡେଂଟ ଫଣ୍ଡକୁ ନେଇ ଇତିହାସ ସୃଷ୍ଟି କରାଯାଉଥିଲା ସେ ଘର ଆଗରେ ସଜା ହୋଇଥିବା ଗୋଟାଏ ଦୁଇଟି ରଙ୍ଗିନ୍ କାଗଜ ଚିରି, ଗୌର ଦୋକାନରୁ କଫି କପେ ପିଇ ଏଇ ପୋଲ ଉପରେ ବସି ନଖ କାଟିଛି । ଅବକାଶ ସେଇଠୁ ଧାଇଁ ପଳାଇଥିଲା ଗଛମାନଙ୍କର ଲମ୍ବ ଛାଇ ସମୂହକୁ ଦଳି ଦଳି । ଟିକିଏ ଦୂରରେ ଯେଉଁଠି ରାସ୍ତାଟି ପେଟେଇ ପଡ଼ିଛି ସେଠି ଯାଇ ଛିଡ଼ା ହେଲା । ଗଛ ଉହାଡ଼ରୁ ଖରାର କିଛି ସୁନେଲି ରିବନ୍ ତା ପିଠି ଅଣ୍ଟାରେ ପଡୁଥିଲା । ହଠାତ୍ ତାକୁ ଖୁସି ଲାଗିଲା । ହସିଲା ଯେପରି ଏକମାସ ବୟସ ବେଳେ ପ୍ରଥମେ ହସି ଥିଲା । ଗୁଣୁଗୁଣୁ ହେଲା ଯେପରି ପ୍ରଥମେ କଥା କହି ଶିଖିଥିଲା । ସକାଳର ଦେହଟା ଟିକେ ଉଷୁମେଇ ଗଲା । ମୁଣ୍ଡରେ ହାତ ମାରି ବାଳସମୂହକୁ ରାମ୍ପୁଡ଼ି ଦେଲା । ପଡ଼ିଆ ଭିତରକୁ ଯାଇ ଚଟିଖୋଲି ଭାବିଲା ଦୌଡ଼ାଦୌଡ଼ି କରିବ କି ସାମାନ୍ୟ । ଦୌଡ଼ିଲା । ଶୈଳଶ୍ରୀ ମହା ପ୍ରାସାଦର ବାଡ଼କୁ ଛୁଇଁଦେଇ ଫେରିଆସିଲା ଶହେମିଟର ଦୌଡ଼ରେ ସବାପଛରେ ଥିବା ପ୍ରତିଯୋଗୀ ପରି । ଦୂରରୁ ଦେଖିଲା କୁକୁରଟିଏ ତା ଚଟିରୁ ଗୋଟାଏ ନେଇ ପଳାଉଛି । ସେଇ ଦୌଡ଼ିବା ଅବସ୍ଥାରେ ହିଁ ପଥରଟିଏ ଉଠାଇ ଫୋପାଡ଼ି ଦେଲା । ପଥରଟି ତା ନାକ ମୂଳରେ ବାଜିବା କ୍ଷଣି ଗୋଟିଏ ଆର୍ତ ଚିତ୍କାର ସହ ଚଟିକୁ ଛାଡ଼ିଦେଇ ଦୌଡ଼ି ପଳାଇଲା ।