ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇ ଚାରୋଟି ପ୍ରଶ୍ୱାସ ପରେ ପଥର ଦେହରେ ବସି ବସି ଅବକାଶ ଭାବିଲା କୁକୁରକୁ ମାରି କ’ଣ ଠିକ୍ କରିଛି? ତାର ବରଂ କୁକୁରର ପଛେ ପଛେ ଗୋଡ଼ାଇ ଚଟିକୁ ସେ କୁଆଡ଼େ ନେଉଛି କ’ଣ କରୁଛି ଦେଖିବା ଉଚିତ ଥିଲା । କୁକୁରକୁ ପୁଣିଥରେ ଡାକିବ କି ବୋଲି ଭାବିଲା । କିନ୍ତୁ କୌଣସି କୁକୁର ଆଖପାଖରେ ଦେଖାଯାଉ ନ ଥିଲେ । ସାମନାରେ ପଡ଼ିଥିବା ଛୋଟ ପଥରଟିଏ ଉଠାଇ ଚଟି ଗଳାଇ ସାମାନ୍ୟ କଷ୍ଟରେ ଉଠିଲା । ମୁହାଁଇଲା ଘର ଆଡ଼କୁ । ଅନେକ ଦୂରରେ କେହି ଜଣେ ରାସ୍ତାକଡ଼ରେ ଛିଡ଼ାହୋଇ ପରିସ୍ରା କରୁଥିଲା ବୋଧହୁଏ । ଯାଉ ଯାଉ ଲୋକର ମୁଣ୍ଡକୁ ଲକ୍ଷ୍ୟକରି ପଥରଟି ମାରିଦେଇ ଦୌଡ଼ି ଦୌଡ଼ି ଘରକୁ ପଳାଇ ଆସିଲା । ଲୋକଟି ଚିହ୍ନିଥିବ ବି ତାକୁ? ଚିହ୍ନିଲେ ଚିହ୍ନୁ ଦେଖାଯିବ । ସେ ତ ତା ହାତର ଅଳସ ଭାଙ୍ଗୁଥିଲା । ହାତରେ କେତେବେଳୁ ପଥରଟିଏ ଥିଲାବୋଲି ସେ ଜାଣେନି । ଲୋକଟି ପଥରର ସାମ୍ନାକୁ ଚାଲି ଆସିଥିବ । ଟେବୁଲ୍ ଉପରେ ଆଜିର ସତେଜ ସଫେଦ୍ ଖବରକାଗଜ ଡେଣା ମେଲାଇ ପଡ଼ିଥିବାର ଦେଖି ଅନ୍ୟପଟ ଝରକା ଦେଇ ଘର ଭିତରକୁ ଫିଙ୍ଗି ଦେଲା । ବୋଧହୁଏ ବାପାଙ୍କ କୋଠରି ଭିତରେ ପଡ଼ିଥିବ । ତା ଡେଣାରୁ ଧୂଳି ଝାଡ଼ି ଅନ୍ୟମାନେ ସାଇତି ରଖିଥିବେ ତାକୁ କେତେ ଆଦରରେ । ଖବରକାଗଜ ଡେଣାରେ ଆଖି ଫେରାଇ ପର ଗଣିବାରେ ସେ କେବେ ସମୟ ନଷ୍ଟ କରେ ନାଇଁ । ମହିଳା କଲେଜରେ ଥିବା ସେଇ ପତଳା ବତିଷ- ବାଇଶ-ବତିଷ- ପାଞ୍ଚଫୁଟ-ଆଠଇଞ୍ଚର ଏନ୍ଥ୍ରୋପୋ ଅଧ୍ୟାପିକା ତାକୁ ଥରେ ତାଗିଦ କରିଥିଲେ, “ଖବରକାଗଜ ପଢୁନ, ଗୁଡ଼ାଏ କରେଣ୍ଟ ଆଫାୟାର ମିସ୍ କରୁଛ ।’’ ଅବକାଶ କହିଥିଲା, “ଏକଦା ତମର ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ, ଛଅଫୁଟ ଦୁଇ, ଦେଟ୍ ବ୍ରୁସ୍ଲି-କିଡ୍ ଗତ ନଭେଂବର ଦଶରେ ପିଜିନ୍ ନାମ୍ନୀ ଏକ ନାଗା ହଟ୍-ବ୍ଲୋ-ଅଫ୍କୁ ବାହା ହୋଇଛି ସିମଲାରେ ।’’ ଚମକି ପଡ଼ିଲେ ଅଧ୍ୟାପିକା ଜଣକ, “ତମେ କେମିତି ଜାଣିଲ?’’ “ଯଦିଓ ଏଇଟା ବି କରେଣ୍ଟ ଆଫାୟାର ତେବେ ଅନ୍ତତଃ ଏଇ ଖବରକାଗଜରୁ ନୁହେଁ ।’’ ହସିଲା ଅବକାଶ ସାମାନ୍ୟ । ବ୍ରସ୍ କରିବ କି ଏବେ? ଚଟି ଖୋଲି ଠେଲି ଦେଲା ଖଟ ତଳକୁ । ଟାୱାଲ ଟାଣି ଟାଣି ଗାଧୁଆଘର ଯାଏ ଯାଇ ଦେଖିଲା ଭିତରୁ କବାଟ ବନ୍ଦ । ପୁଣି ଅପେକ୍ଷା । ମାଙ୍କର ଗାଧୋଇବା ଡେରି ହୁଏ । ବେଶି ଡେରି ହୁଏ ଯଦି ଆଜି ରବିବାର । ପେଣ୍ଟ ବଦଳାଇ ଦାନ୍ତ ଘସିଲା ଓ ଖଟରେ ଗଡ଼ି ପଡ଼ିଲା । ଅକ୍ଟୋପସ୍ ଦେହରେ ଝିଟିପିଟିଟିଏ କକ୍ରୋଚକୁ ଛକି ବସିଛି ବୋଧ ହୁଏ । କାନ୍ଥର ବହି ରେକ୍ରେ ଆଠଟି ଥାକ । ତାକୁ ଅବକାଶ ଅକ୍ଟୋପସ୍ ବୋଲି କହେ । ଝିଟିପିଟିଟି ଆଗକୁ ଯାଉନି କି ପଛକୁ ଫେରୁନାଇଁ । ସିଏ ବି ଅପେକ୍ଷା କରିଛି । ଅବକାଶ ଆଙ୍ଗୁଠି ଫୁଟାଇଲା । ପୃଥିବୀ ଘୁରୁଛି ନା ନାଇଁ ସନ୍ଦେହରେ ପଡ଼ିଗଲା ଅବକାଶ । ଦିନର ବୟସ ବଢୁଛି ତ? ଖରାର ରଙ୍ଗ ବଦଳୁଛି ତ? ଗାଧୁଆଘରର କବାଟ ଖୋଲିବା ଶବ୍ଦ ଶୁଣି ହଠାତ୍ ଠିଆ ହୋଇପଡ଼ିଲା । ତା ଗାଧୁଆଘରର ନାଁ ଦେଇଛି ଏରୁଣ୍ଡିଘାଟ, ତା ଭିତରୁ ସେ ଗାଧୋଇ ପାଧୋଇ ନୂଆ ଜନ୍ମ ନିଏ ପ୍ରତିଦିନ । ଏରୁଣ୍ଡିଘାଟ ଭିତରୁ କବାଟ ବନ୍ଦ କରି ସାୱାରର ଟେପ୍ଟି ଖୋଲିଦେଲା । ତଳଟା ଓଦା ହୋଇ ସାମାନ୍ୟ ଖସଡ଼ା ହୋଇଯାଇଛି । ଛାତରୁ ଶ୍ରାବଣୀ ଝରୁଛି । ଶ୍ରାବଣୀର ପ୍ରଥମ ଆଲିଙ୍ଗନରେ ନିଯୁକ୍ତିପତ୍ର ପାଇବା ପରି ଏକ ଅଜଣା ଶିହରଣ ପହଁରି ଗଲା । ସଙ୍ଗେ ସଙ୍ଗେ ବନ୍ଦ ପାଟି ଓ ବନ୍ଦ ଆଖିବାଟେ ଶୀତ୍କାର, ଗୋଟାଏ ଏକ୍ଷ୍ଟାସି ଛିଟିକି ପଡ଼ିଲା । ଏଇ ଗାଧୋଇବା ସମୟଟା ଅବକାଶକୁ ଖୁବ୍ ଭଲ ଲାଗେ । ଏରୁଣ୍ଡିଘାଟ ଭିତରେ ସେ ଭୁଲିଯାଏ ଯେ ପୃଥିବୀ ଘୁରୁଛି ବା ଆକାଶର ରଙ୍ଗ ବଦଳୁଛି । ସେ ଭୁଲିଯାଏ ଯେ ତାର ପରୀକ୍ଷା ଦେବାର ଅଛି ବା ଚିଲିକା ସହ ଭେଟ ହେବାର ଅଛି ବା ନିଜ ଯୋତା ପାଲିସ୍ କରିବାର ଅଛି ବା ଟେପ୍ ଲଗାଇ ଫୋନେଟିକ୍ ଶୁଣିବାର ଅଛି । ସମସ୍ତ ଋତୁକୁ ବାହାରକୁ ପେଲିଦେଇ ଏରୁଣ୍ଡିଘାଟ ଭିତରେ କେବଳ ବର୍ଷାର ଜୁଇ ଜାଳେ । ନିବିଡ଼ ଅଶ୍ଳେଷରେ ଗାଧୁଏ ଏବଂ ଗାଧୁଏ ଏବଂ ଗାଧୁଏ । ନୂଆ ମଣିଷଟେ ହୋଇ ବାହାରେ । ଏବେ ତା କେକଟସ୍ର ଅରଣ୍ୟକୁ ଫେରିଆସି ପୋଷାକ ବଦଳାଇଲା ଓ ଅଗଣାକୁ ଯାଇ ସଜନାଗଛ ଡାଳରେ ଓଦା ଟାୱେଲକୁ ଟାଣିଦେଲା । ଦେଖିଲା ପାଖରେ ଗୋଟେ ଓଦା ଶାଢ଼ି ଶୁଖୁଛି । ନିଜ ଅରଣ୍ୟକୁ ଫେରିବା ବାଟରେ ଚିଲାକାର ଓଦା ଶାଢ଼ି ଶୁଖାଉଥିବାର ଦୃଶ୍ୟ ମନେପକାଇଲା । ସାର୍ଟର ବୋତାମ ଲଗାଉ ଲଗାଉ ଦର୍ପଣ ସାମନାରେ ନିଜ ପ୍ରତିବିମ୍ବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ବଜାରର କୌଣସି ଟୋପି ଖାପଖାଉ ନ ଥିବା ପରି ମୁଣ୍ଡଟିଏ ଏବଂ ଓଦା ଆଖିପତା । ନିଜ ମୁହଁକୁ ମନେ ପକାଇଲା । କଲେଜ ବେଳର ଚିହ୍ନଟ କାର୍ଡଟି ଡ୍ର ଭିତରୁ କାଢ଼ି ନିଜକୁ ପରଖ କଲା । ନିଜେ, ତା ପ୍ରତିବିମ୍ବ ଓ ତା ଫଟୋ ତିନିହେଁ ସମାନ ଦେଖା ଯାଉଛନ୍ତି ନା ନାଇଁ । କାନ୍ଥକୁ ଅନାଇ ନିଜ ମୁହଁକୁ ମନେପକାଇବା ପାଇଁ ଚେଷ୍ଟା କଲା । ପାରିଲା ନାଇଁ । ଟିକେ ଦୂରରେ ଛିଡ଼ା ହୋଇ ଦର୍ପଣ ଭିତରେ ନିଜ ନାକକୁ ଦେଖିଲା । ଆଶ୍ଚର୍ଯ୍ୟ, ନାକଟି ତରଳି ଯାଉଛି, ଲମ୍ବି ଯାଉଛି ଅସ୍ୱାଭାବିକ ଭାବେ । ନିଜ ମୁହଁଟି ବଙ୍କେଇ ବୋହିଯାଉଛି ପାଣି ପରି । ନିଜ ମୁହଁରେ ହାତ ମାରିଲା । ଫଟୋକୁ ଫିଙ୍ଗି ଦେଲା । ଦର୍ପଣକୁ ଓଲଟାଇ ଦେଲା ଏବଂ