ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇଟଙ୍କାର ପିଆଜ, ଦୁଇଟଙ୍କାର ତେଲ, ଦୁଇଟଙ୍କାର ଗରମ ମସଲା । ତାକୁ କହିଲେ ସେ ତେଜରାଜି ଦୋକାନକୁ ଯାଉ ଏସବୁ କିଣି ରଖିଥାଉ । ବ୍ରଏଲର୍‌ଟି ଆଉ ଦଶଦିନ ପରେ ବଡ଼ ହେଲେ ତାଙ୍କ ପାଖକୁ ଆସିବ, ସେ ଅପରେସନ୍ କରିଦେବେ, ଆଉ ତାକୁ ଦେବେ, ସେ ଯାଇ ରାନ୍ଧିବ ଓ ଖାଇବ । ଲୋକଟି କିଛି ବୁଝିପାରିଲା ନାହିଁ, ଫେରିଗଲା । ଡାକ୍ତର ହରପ୍ରସାଦଙ୍କ ବୟସ ଏବେ ପଚାଶରୁ କିଛି ବେଶୀ । ତାଙ୍କ ସ୍ତ୍ରୀଙ୍କ ବୟସ ଏବେ ପଞ୍ଚାବନରୁ କିଛି ବେଶୀ । ଶୁଣାଯାଏ ସେ ମେଡିକାଲ କଲେଜରେ ପଢୁଥିବା ବେଳେ ଜଣେ ଝିଅର ଇଂରାଜି ଉଚ୍ଚାରଣ ଶୁଣି ତା ପ୍ରତି ଆକୃଷ୍ଟ ହୋଇଥିଲେ । ଝିଅଟି ଅନ୍ୟ ଏକ କଲେଜରୁ ଆସି ତର୍କ ପ୍ରତିଯୋଗିତାରେ ଭାଗନେଇଥିଲା । ପ୍ରତିଯୋଗୀତା ଶେଷ ହେବାପରେ ଯୁବକ ହରପ୍ରସାଦ ତା ପାଖକୁ ଯାଇ ସିଧାସଳଖ କହିଥିଲେ, "ୟୋର ପ୍ରନନ୍ସିଏସନ୍ ଇଜ୍ ଏକ୍ସଲେଣ୍ଟ ।’ ଝିଅଟି କହିଲା, "ଥେଙ୍କସ୍ ।’ ହରପ୍ରସାଦ କହିଲେ, "ସୁଡ୍ ଆଇ ସେ ଆଇ ଲଭ୍ ୟୁ?’ ଝିଅଟି କହିଲା, "ଗୋ ଟୁ ଡଗ୍ସ୍ ।’ ତାପରଦିନ କିନ୍ତୁ ଯୁବକ ଡାକ୍ତର ଗୋଟାଏ ଜିଦ୍‌‌ରେ ଦୁଇଶହ କିଲୋମିଟର ବାଟ ଝିଅ ଘରକୁ ଯାଇ ତା ମା ବାପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ବୟସର ତାରତମ୍ୟରେ ସମାଜ ଅନୁମୋଦନ କରୁ ନଥିଲେ ମଧ୍ୟ ଡାକ୍ତର ଜ୍ୱାଇଁ ପ୍ରତି ଲୋଭ ଯୋଗୁଁ ସେମାନେ ଝିଅକୁ ବିବାହ ଦେବାପାଇଁ ସାତ ଦିନପରେ ସଂମତି ପ୍ରକାଶ କରିଥିଲେ । ମାସେ ପରେ ବାହାଘର । ବାହାଘର ବେଦୀରେ ଝିଅଟି କହିଥିଲା, "ଆଇ ଆମ୍ ସରି' ଏବଂ ଫିକ୍ କିନା ହସିଥିଲା । ଠିକ୍ ଶବ୍ଦ ଉଚ୍ଚାରଣ ଯୋଗୁଁ ଯେ ବିବାହ ସମ୍ପନ୍ନ ହୋଇପାରେ ଏକଥା ସେତେବେଳ ପର୍ଯ୍ୟନ୍ତ କେହି ଜାଣି ନଥିଲେ । ପରେ ଦେଖାଗଲା ଯେ ଝିଅଟିର ଶାଢ଼ି ପିନ୍ଧା ପ୍ରଣାଳୀ, ରାନ୍ଧିବାର ଢଙ୍ଗ, କଥାଭାଷା ଓ ଚାଲିଚଳଣ ସବୁକିଛି ସମ୍ଭ୍ରମ ଓ ମାର୍ଜିତ । ଏବେ ଡାକ୍ତର ହରପ୍ରସାଦଙ୍କ ଦୁଇଟି ଝିଅ, ଜଣେ ପ୍ଲସ୍ ଟୁ ଓ ଜଣେ ପ୍ଲସ୍ ଥ୍ରୀ । ଝିଅ ଦୁଇଟି ସବୁବେଳେ ବାପା ବାପା ହୁଅନ୍ତି, ମା ମା ହୁଅନ୍ତି ନାହିଁ । ସେମାନେ କେଉଁ ପୋଷାକ ପିନ୍ଧିବେ, କିପରି ମୁଣ୍ଡ କୁଣ୍ଡାଇବେ, ଆଜି କଣ ରନ୍ଧା ହେବ, କେଉଁ ଖବରକାଗଜ ପଢ଼ିବେ, କେଉଁ ବହି ପଢ଼ିବେ ସବୁକାମ ପାଇଁ ବାପାଙ୍କ ସାହାଯ୍ୟ ହିଁ ଦରକାର ପଡ଼େ । ଏକଦା ଦଶ କିଲୋମିଟର ବାଟ ଗୋଟିଏ ଗାଁକୁ ରୋଗୀ ଦେଖିଯିବା ସମୟରେ ଡାକ୍ତର ହରପ୍ରସାଦ ନିଜ ପ୍ଲସ ଟୁ ଝିଅକୁ ସାଙ୍ଗରେ ଧରି ଯାଇଥିଲେ । ଉଦେ୍ଧଶ୍ୟ, ଝିଅ ଗାଁ ଲୋକଙ୍କ ଉଚ୍ଚାରଣ ସଂଶୋଧନ କରିବ । ଗାଁ ମୁଣ୍ଡରେ ଏକ ତେନ୍ତୁଳିଗଛ ତଳେ କାଠ ଦୋଳିଟିଏ ଦେଖି ଝିଅ ଚାଲିଲା ଦୋଳି ଝୁଲିବାକୁ । କିନ୍ତୁ ଦୋଳିର କାଠ ପଟାରେ ଗୁଡ଼ାଏ କଣ୍ଟା ପିଟା ହୋଇଥିବାର ଦେଖି ଝିଅଟି ଚୁପଚାପ ଠିଆହେଲା । ଡାକ୍ତର ବାପା କହିଲେ ସେ କଣ୍ଟା ଦୋଳିରେ ବସି ଝୁଲି ଦେଖୁ, ପରୀକ୍ଷା କରୁ । ଝିଅ ବି ସଙ୍ଗେ ସଙ୍ଗେ ବସିଲା, ନିର୍ବିକାରରେ ଏବଂ ଝୁଲିଲା ଥରେ ଦୁଇଥର ତିନି ଚାରିଥର । ଆହୁରି ବି ଝୁଲିଲା । ଗାଁ ଲୋକେ ଡକା ଡକି ହୋଇ ସେଠି ଭିଡ଼ କଲେ । ତାଟକା ହେଲେ । କହିଲେ ସେ ଦୋଳିରେ ତାଙ୍କ ଗାଁର ଦେବତା ଝୁଲେ । ଆଉ କେହି ଝୁଲିଲେ ତା ଦେହରେ ଦେବତା ପଶିଯାଏ ଓ ସେ ଝାଡ଼ାବାନ୍ତି ହୋଇ ମରେ । ଝିଅକୁ ବି ଝାଡ଼ାବାନ୍ତି ହେବ ଭାବି ଲୋକେ ଡାକ୍ତରଙ୍କୁ ବିରକ୍ତ ହେଲେ । ରାଗିଲେ, କିନ୍ତୁ ତାଙ୍କୁ କିଛି କହିପାରିଲେ ନାହିଁ, ଭୟରେ । ପରେ ଝିଅକୁ ଦି’ ତିନିଦିନ ଜର ହେବାରୁ ଗାଁ ଲୋକେ ଯାହା ପାରିଲେ କହିଲେ । ଗ୍ରାମଦେବତାଙ୍କ ବିଚକ୍ଷଣ କରାମତି ସମ୍ପର୍କୀୟ କଥାବାର୍ତା ବେଶ କିଛି ଦିନ ଚାଲିଲା । ମାତ୍ର ଦୁଇଟି ଭିନ୍ନ ଦୃଶ୍ୟ ଗାଁରେ ଦେଖିବାକୁ ମିଳିଲା । ପ୍ରଥମ ଦୃଶ୍ୟ ହେଉଛି ସେଦିନ ଡାକ୍ତର ସାହେବ ଯେଉଁ ରୋଗୀକୁ ଦେଖିବାକୁ ଆସିଥିଲେ ସିଏ ହେଉଛି ଦୁଆରୁ ବୁଢ଼ା, ଯିଏ ପ୍ରତିବର୍ଷ ଚୈତ୍ରମାସରେ ଦେବତା ଭାବରେ ଗାଁରେ ଆବିର୍ଭାବ ହୁଏ । ଗାଁ ଗାଁ ବୁଲେ, ସଁ ସଁ ଫଁ ପଁ ହୁଏ । ଲୋକଙ୍କୁ ତେନ୍ତୁଳି ଡାଳରେ ପିଟେ, ଦେବଭାଷାରେ ଭବିଷ୍ୟତ ବାଣୀ କୁହେ । ପାଞ୍ଚ ପଚିଶ ଗାଁର ଲୋକଙ୍କୁ ଆଶୀର୍ବାଦ ଦିଏ । ଅଣ୍ଟାରେ କଳା ଶାଢିଟିଏ ଗୁଡ଼ାଇ ହୋଇ ଘୁଂଘୁର ବାନ୍ଧି, କପାଳରେ ପ୍ରକାଣ୍ଡକାୟ ଲାଲ ଟିକା ମାଖି, ବାଳ ମୁକୁଳା କରି ହାତରେ ମୟୂରପର ଓ ତେନ୍ତୁଳି ଡାଳ ଧରି ଗାଁ ଦାଣ୍ଡରେ ଝଣ ଝଣ କରି ଦୌଡ଼ି ଚାଲିଗଲେ ଗର୍ଭିଣୀ ଗାଈ ବି ବାଟ ଛାଡ଼ି ଦିଏ । ସ୍ତ୍ରୀଲୋକେ ଓ ଛୋଟ ପିଲାମାନେ ଅବା କି ଛାର! ଏଇ ଦୁଆରୁ ବୁଢ଼ା ଯେତେବେଳେ କଣ୍ଟା ଦୋଳିରେ ବସି ଏ ପାଖରୁ ସେ ପାଖ ଝୁଲିଯାଏ ଶଂଖ, ଘଣ୍ଟ, ମୃଦଙ୍ଗ, ଖଞ୍ଜଣୀ ଓ ହୁଳହୁଳିରେ ଆକାଶ ମେଦିନୀ କମ୍ପି ଉଠେ । ସେଦିନ ସେ ଦୁଆରୁ ବୁଢ଼ା ତା ରୋଗଗ୍ରସ୍ତ ବିଛଣାରୁ ତା ବୁଢ଼ୀ ମା'କୁ ଡାକି ଫିସ୍ ଫିସ୍ କରି କହିଲା, "ମା, ମୋ ଦେବତା ତ ଡାକ୍ତର ହାରି ପ୍ରସାଦ' ଏବଂ ଦୁଃଖ ଯନ୍ତ୍ରଣା ଓ ଅସହାୟତାରେ କାନ୍ଦି ପକାଇଲା । ରକ୍ଷା ହୋଇଛି ଡାକ୍ତର ହର ପ୍ରସାଦ ୟା ମୁହଁରୁ ନିଜ ନାମ ଉଚ୍ଚାରଣ କରିବା ଶୁଣି ନାହାନ୍ତି!