ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଛନ୍ତି । ତାଙ୍କ ପ୍ରତି କୃତଜ୍ଞତାରେ ମୋର ହୃଦୟ ପୂର୍ଣ ହୋଇଯିବ ନାଇଁ? ଈଶ୍ୱର କିଏ, ମୁଁ କିଏ । ତାଙ୍କ ବିରାଟ ବ୍ରହ୍ମାଣ୍ଡ ବ୍ୟାପୀ କାୟାହୀନ କାୟା, ନିରାକାରର ଆକାର ସମ୍ମୁଖରେ ନିମିତ୍ତ ମାତ୍ର ନଗଣ୍ୟ ଧୂଳିବାଲିର ମଣିଷଟିଏ ମୁଁ । ପୃଥିବୀରେ ଏତେଲୋକ ଥାଉଥାଉ ମୋ ପରି ଏକ ଅପଦାର୍ଥକୁ ବାଛିଲେ ତାଙ୍କର କରୁଣାର ବିନ୍ଦୁ ବିସର୍ଗ ସକାଶେ । ଓଃ କୃତଜ୍ଞତାରେ ମୁଁ ଉଛୁଳି ପଡୁଛି । ମୋତେ ଏତେ ଖୁସି ଲାଗୁଛି ଯେ ମୁଁ ଏବେ ପୃଥିବୀ ବ୍ୟାପୀ, ବ୍ରହ୍ମାଣ୍ଡ ବ୍ୟାପୀ ଯାଇପାରିବି । ଇଶ୍ୱରଙ୍କ ସମକକ୍ଷ ହୋଇପାରିବି । ଇଶ୍ୱରଙ୍କ ଆସନରେ ନହେଲା ନାଇଁ ତାଙ୍କ ପାଖ ଆସନରେ ନିଶ୍ଚୟ ବସି ପାରିବି । ଚାରିଆଡୁ ମୋ ଉପରେ ଅଜାଡ଼ି ହେଉଥିବା ଛୋଟଲୋକି ମଣିଷମାନଙ୍କର ଈର୍ଷା ଓ ଘୃଣା ଏବଂ ମୋ ପ୍ରେମାସ୍ପଦର ତୃତୀୟ ଚକ୍ଷୁର ଦୃଷ୍ଟିଭିତରେ ବଞ୍ଚିବାର ଯେଉଁ ଅନୁଭୂତି, ଭୟଙ୍କର ବିଷର୍ଣତାର ଶୀକାର ହୋଇଥିବା ବିକାରଗ୍ରସ୍ତ ନଗଣ୍ୟ ମଣିଷ ମୁଁ ଓ ନିଜକୁ ନିଜେ ଦେଖି ଆତଙ୍କରେ ଶିହିରି ଉଠୁଥିବା ଅପଦାର୍ଥ ମଣିଷ ମୁଁ କୁ ଈଶ୍ୱର ଯେମିତି ସାହାଯ୍ୟ କରିଛନ୍ତି ମଣିଷ ଜାତିର ଇତିହାସରେ ତା’ର ପଟାନ୍ତର ନାହିଁ । ଲାରା, ତୁମ ଫ୍ରିଜ୍ ଭିତରେ ଏପିଲେପ୍ଟିକ୍ ଜୀବନକୁ ପୁଣିଥରେ ଲାଲ୍ ସଲାମ୍ । ଓଃ, ଲାରା, ଆଇ ଲଭ ୟୁ ଭେରି ମଚ୍ । ଆଇ ଲଭ୍ ୟୁ, ଆଇ ଲଭ ୟୁ, ଆଇ ଲଭ୍ ୟୁ । ବିଷାଦଗ୍ରସ୍ତ ଜୀବନର ଅନ୍ତିମ ବିନ୍ଦୁରୁ ଆମର ଭଲପାଇବା ଆରମ୍ଭ ହୋଇଥିଲା । ଲାରା, ତୁମର ମନେଅଛି? ତୁମର ବଡ଼ଭାଇ କେନ୍ସରରେ ମରି ସାରିଥିଲେ ସେତେବେଳେ । ସେ ତୁମର ଘର ଚଳାଉଥିଲେ । ତୁମେ ତାଙ୍କ ସ୍ଥାନରେ ଏ ସ୍କୁଲ ଚାକିରି ପାଇଲ ଏବଂ ମୋ ସାଙ୍ଗରେ ଦେଖାହେଲା । ତୁମେ ହସୁ ନଥିଲ ଆଦୌ । ପ୍ରାୟ ପ୍ରତିଦିନ ତୁମକୁ ମୁଁ ସାମାନ୍ୟ ହସିବା ପାଇଁ କହୁଥିଲି । ତମେ ହସିଲ ବହୁତ ଦିନପରେ, ପ୍ରଥମେ ଓଠରେ, ପରେ ଆଖିରେ । ତା’ପରେ ତୁମ ମୁହଁଟି ଆହୁରି ଉଜ୍ଜ୍ୱଳ ଆହୁରି ସୁନ୍ଦର ଦେଖାଗଲା । ତୁମେ କହିଲ ତମେ ହସିବା ପାଶୋରି ଦେଇଥିଲ, ଏବେ ସ୍ମିତହସ ଟିକେ ଟିକେ ଶିଖି ଯାଇଛ । ଏ ପୃଥିବୀ ଏତେ ସୁନ୍ଦର ଦେଖାଯାଏ ବୋଲି ତମେ ପୂର୍ବରୁ ଜାଣି ନଥିବା କଥା ବି ସ୍ୱୀକାର କଲ । ତୁମକୁ ମୁଁ ଏତେ କାହିଁକି ଭଲପାଉଛି ବୋଲି ପଚାରୁଥିଲ ବାରବାଂର । ତା’ର ଉତ୍ତରରେ ମୁଁ ବେଳକାଳ ଦେଖି ତୁମକୁ ସାମାନ୍ୟ ଚିମୁଟି ଦେଉଥିଲି ମାତ୍ର । ତୁମେ ଯେଉଁଦିନ ପ୍ରଥମେ ଆମଘରକୁ ଆସିଥିଲ ସେଦିନ ଆମଘରେ କେହି ନଥିଲେ ଏବଂ ଘରଭିତରେ ଗୋଟିଏ ବଡ଼ ପିଞ୍ଜରାରେ ସାପଟିଏ ଥିବାର ଦେଖି ତମେ ଚମକି ପଡ଼ିଥିଲ । ସାପଟି ମୋ ପୋଷା ମାନିଥିବା ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇଥିଲ । ସାପକୁ ଆଣି ତୁମକୁ ଛୁଇଁବାକୁ କହିଥିଲି । ତୁମେ ଚିତ୍କାର କରି ମୋ ବେଡ୍ରୁମକୁ ଧାଇଁ ପଳାଇଥିଲ । ସାପଟାକୁ ନେଇ ତୁମ ପେଟଉପରେ ମୁଁ ଛାଡ଼ିଦେବାରୁ ତୁମେ ମୂର୍ଛା ହୋଇପଡ଼ିଥିଲ । ମୁହଁରେ ପାଣିଛାଟି ହୋସ୍ ଫେରିଲାପରେ ବରଡ଼ା ପତରପରି ଥରୁଥିଲ ଭୟରେ । ତୁମ ମା ବାପା କିନ୍ତୁ ମୁଁ ବେଦିରେ ବସିବା ବେଳଠୁ ମୋତେ ସାପଟିଏ ବୋଲି ଠଉରାଇ ନେଇଥିଲେ ଏବଂ ଆତଙ୍କିତ ବି ହୋଇଥିଲେ । ତମେ ତାହା ଜାଣି ପାରି ନଥିଲ । ମୁଁ ବିବାହ କରିବାକୁ ଚାହୁଁ ନଥିଲି । ସମୁଦାୟ ବିବାହର କ୍ରିୟାକର୍ମରେ ମୋର କାମ ଥିଲା ମାଟି ଟେଳାଏ ପରି ପଡ଼ିରହିବା ଓ ଯେ ଯାହା କହିଲା ତାକୁ ସ୍ୱୀକାର ନକରି କାର୍ଯ୍ୟକାରୀ କରିବା । ମୋର ପେଣ୍ଟ ସାର୍ଟ ପିନ୍ଧି ବେଦିରେ ବସିବା, କୌଣସି ବନ୍ଧୁଙ୍କୁ ନିମନ୍ତ୍ରଣ ନ କରିବା, ଫଟୋ ଉଠାଇବା ପାଇଁ ମନାକରିବା, ମୁକୁଟ ପିନ୍ଧିବା ପାଇଁ ମନାକରିବା ସମସ୍ତଙ୍କୁ ଆତଙ୍କିତ କରିଥିଲା । ବିବାହ ଲଗ୍ନ ସମୟରେ ମୋର ଶୋଇପଡ଼ିବା ଦେଖି ସମସ୍ତେ କାଠ ପାଲଟି ଯାଇଥିଲେ । ମୋତେ ଉଠାଇଆଣିବାକୁ କାହାରି ସାହାସ ହୋଇ ନଥିଲା । ସେଦିନଠାରୁ ମୋର ମନଭିତରେ ତୁମପ୍ରତି ଘୃଣାର ବୀଜଟିଏ ମୋ ନିଜ ଅଜାଣତରେ ପୋତି ହୋଇଯାଇଥିଲା । ତା’ ପରଦିନଠୁ ମୁଁ ତୁମକୁ ଭଲ ବି ପାଇଲି ଏବଂ ବୋଝହେତୁ ବୋଧହୁଏ ଘୃଣା ବି କଲି । ଏଇ ଘୃଣାର ବୀଜଟି ଧୀରେ ଧୀରେ ଅଙ୍କୁରୋଦ୍ଗମ ହୋଇ ତୁମ ବନ୍ଧୁ ଅଧ୍ୟକ୍ଷ ଆମ ସ୍କୁଲରେ ଯୋଗଦେବା ପରେ ହଠାତ୍ ବିରାଟ ଆକାର ଧାରଣ କଲା ଏବଂ ଆଶ୍ଚର୍ଯ୍ୟର କଥା ତୁମେ ଯେଉଁଦିନ ଏପିଲେପ୍ସିରେ ପଡ଼ିରହିଲ ସେହି ଦିନ ହିଁ ବିଷ ବୃକ୍ଷଟି ଉପୁଡ଼ିଗଲା । ତୁମେ ଯେତେବେଳେ ଖାଇବାକୁ ଦେଉଥିଲ, ବିଛଣାର ଚାଦର ବଦଳାଉଥିଲ, ଶାଢ଼ିର କୁଞ୍ଚସବୁ ଟିକେ ଧରିଦେବା ପାଇଁ କହୁଥିଲ ବା ମୋ ରୁମାଲ ଖୋଜିଆଣି ଧରାଇ ଦେଉଥିଲ ସେତେବେଳେ ତୁମେ ଦୂରରେ ଦୂରରେ ଅଛ ପରି ଲାଗୁଥିଲା । ଏବେ କିନ୍ତୁ କାଚଘର ଭିତରେ ଅଛ, କଥା କହି ପାରୁନ, ଚଲାବୁଲା କରିପାରୁନ, ମୋତେ ତୁମ ପାଖକୁ ଯିବାମନା, ତୁମ ମୁହଁ-ହାତ-ଗୋଡ଼ ସବୁ ଯେତେବେଳେ ବଙ୍କା-ସିଧା ହେଉଛି, ସେତେବେଳେ ଲାଗୁଛି ତୁମେ ମୋର ପାଖରେ ପାଖରେ ଅଛ । ତୁମଛଡ଼ା ପୃଥିବୀରେ ଆଉ କେହି ମୋର ନୁହନ୍ତି ପରି ଲାଗୁଛି । ଆମେ ପ୍ରାୟ ପାଞ୍ଚଶହ ଦିନହେଲା କେବଳ ଫୋନରେ କଥା ହେଉଥିଲୁ । ତୁମେ ତ କିଛି କହୁ ନଥିଲ, କେବଳ ମୁଁ ଯାହା ସ୍ୱିଟ୍ ନନ୍ସେନ୍ସ ସବୁ କହୁଥିଲି । ତୁମେ ତାକୁ ଆଘ୍ରାଣ କରୁଥିଲ । ତୁମ ମୁହଁର, ଆଖିର, ଓଠର, ଗାଲର